ନୀତୀନ ଗଡକରୀ ଓ କପିଲ ସିବଲଙ୍କୁ କ୍ଷମା ମାଗିଲେ କେଜେରିୱାଲ

0

ନୂଆଦିଲ୍ଲୀ : ମାନହାନି ମାମଲାରେ ଛନ୍ଦି ହୋଇପଡ଼ିଥିବା ଆମ ଆଦମୀ ପାର୍ଟି (ଆପ)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିୱାଲ କ୍ଷମା ମାଗି ସମସ୍ତ ମୋକଦ୍ଦମାକୁ ରଫାଦଫା କରିବାକୁ ଲାଗିପଡିଛନ୍ତି । ଅକାଳି ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ବିକ୍ରମ ମାଜିଥିଆଙ୍କୁ କ୍ଷମା ଗାଗିବା ପରେ ଅରବିନ୍ଦ କେଜେରିୱାଲ ଏବେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀ ଏବଂ କଂଗ୍ରେସ ନେତା କପିଲ ସିବଲଙ୍କୁ କ୍ଷମା ମାଗିଛନ୍ତି ।

କପିଲ ସିବଲଙ୍କ ପୁଅ ଅମିତ ସିବଲଙ୍କ ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ସେ କପିଲ ଓ ତାଙ୍କ ପୁଅଙ୍କୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। କେଜେରିୱାଲ ପତ୍ର ଲେଖି ଗଡ଼କରୀଙ୍କୁ ନିଜ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିବା ସହ ମାନହାନି ମୋକଦ୍ଦମା ବନ୍ଦ କରିବାକୁ ନିବେଦନ କରିଛି । କ୍ଷମା ପ୍ରାର୍ଥନା ପରେ ଉଭୟ ନେତା ଆପୋଷ ସହମ୍ମତିରେ ମାମଲା ବନ୍ଦ କରିବାକୁ ଅଦାଲତରେ ଆବେଦନ କରିଛନ୍ତି । ଭାରତରେ ସର୍ବାଧିକ ଦୁର୍ନୀତିଗ୍ରସ୍ତ ନେତାଙ୍କ ତାଲିକାରେ ନୀତୀନ ଗଡ଼କରି ଅଛନ୍ତି ବୋଲି ଅରବିନ୍ଦ କେଜେରିୱାଲ ଅଭିଯୋଗ କରିଥିଲେ । ଏହି ଟିପ୍ପଣୀ ପରେ କେଜେରିୱାଲଙ୍କ ବିରୋଧରେ ନୀତୀନ ଗଡ଼କରୀ ମାନହାନି ମୋକଦ୍ଦମା କରିଥିଲେ । ଆପର ରାଷ୍ଟ୍ରୀୟ ସଂଯୋଜକ ଚିଠିରେ ଲେଖିଛନ୍ତି ଯେ ‘ମୋର ଆପଣଙ୍କ ସହ ନିଜସ୍ୱ କୌଣସି ଆକ୍ରୋଶ ନାହିଁ । ପୂର୍ବରୁ ଦେଇଥିବା ନିଜ ବାୟନ ପାଇଁ ଦୁଃଖିତ।’

ଏପଟେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବାରୁ ଦିଲ୍ଲୀର ଏକ ଅଦାଲତରେ କେଜେରିୱାଲଙ୍କ ବିରୋଧରେ ମାନହାନି ମୋକଦ୍ଦମା ବିଚାରଧୀନ ରହିଛି । ଗଡ଼କରୀଙ୍କ ଓକିଲ ପିଙ୍କି ଆନନ୍ଦ କହିଛନ୍ତି ଯେ ମାନହାନି ମାମଲା ବହୁତ ଗୁରୁତର ଓ ଏହାକୁ ଅପରାଧୀକ ମାମଲା ଭଳି ଦେଖାଯାଏ । ସେହିପରି କଂଗ୍ରେସ ନେତା କପିଲ ସିବଲ ଏବଂ ତାଙ୍କ ପୁଅଙ୍କ ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ଅରବିନ୍ଦ କ୍ଷୋଭ ପ୍ରକାଶ କରିବା ସହ କ୍ଷମା ମାଗିଛନ୍ତି । ୨୦୧୩ରେ ଏକ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ କେଜେରିୱାଲ ଅଭିଯୋଗ କରିଥିଲେ ଯେ କପିଲ ସିବଲଙ୍କ ପୁଅ ଅମିତ ସିବଲ ନିଜ ଲାଭ ପାଇଁ ପଦର ଅପବ୍ୟବହାର କରିଛନ୍ତି ।

ମାନହାନି ମୋକଦ୍ଦମା ପ୍ରତ୍ୟାହାର କରିନେବା ପାଇଁ କେଜେରିୱାଲ ଅକାଳି ଦଳ ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ବିକ୍ରିମ ମାଜିଥିଆଙ୍କୁ କ୍ଷମା ମାଗିବା ପରେ ପଞ୍ଜାବ ଆପରେ ବିଦ୍ରୋହ ଦେଖାଦେଇଥିଲା । ପଞ୍ଜାବ ଆପର ସଭାପତି ଓ ଉପସଭାପତି ନିଜ ପଦରୁ ଇସ୍ତଫା ଦେଇଥିଲେ। ଆପର ବିଦ୍ରୋହୀ ଓ ଅସନ୍ତୁଷ୍ଟ ନେତାମାନେ ଅରବିନ୍ଦ୍ରଙ୍କୁ କଡ଼ା ସମାଲୋଚନା କରିଥିଲେ । ଏବେ ନୀତୀନ ଗଡ଼କରୀ ଓ କପିଲ ସିବଲଙ୍କୁ କ୍ଷମା ମାଗିବା ଘଟଣା କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା ।

Leave A Reply