ସମାଜ ପୋର୍ଟାଲ ଡେସ୍କ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଣି ଏକ ଟ୍ଵିଷ୍ଟ। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁଦଣ୍ଡ ପାଇଥିବା ଚାରି ଜଣଙ୍କ ମଧ୍ୟରୁ ଏବେ ମୁକେଶ ସିଂଙ୍କ ମାମଲା ଲଢ଼ୁଥିବା ଓକିଲ ଏମ.ଏଲ୍ ଶର୍ମା ଶୁକ୍ରବାର ଦିନ ତାଙ୍କ ପୂର୍ବତନ ଓକିଲଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ସେ ତାଙ୍କ ଆବେଦନରେ ଅଭିଯୋଗ କରିଛନ୍ତି ଯେ ଦୋଷୀ ମୁକେଶ ସିଂଙ୍କ ପୂର୍ବତନ ଓକିଲ ବୃନ୍ଦା ଗ୍ରୋଭର ଦିଲ୍ଲୀ ପୋଲିସ ସହିତ ମିଶି ମୁକେଶଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର କରିଥିଲେ।
ଏହି ଆବେଦନରେ କୁହାଯାଇଛି ଯେ ଆଇନ ଅନୁଯାୟୀ ତିନି ବର୍ଷ ପାଇଁ କ୍ୟୁରେଟିଭ ଆବେଦନ କରିବାକୁ ଅପେକ୍ଷା ନ କରି ବୃନ୍ଦା ଗ୍ରୋଭର ଜାଣିଶୁଣି ଶୀଘ୍ର ଆବେଦନ ଦାଖଲ କରିଥିଲେ, ଯେପରି ଏହି ଆବେଦନ ଖାରଜ ହୋଇଯିବ ଏବଂ ମୁକେଶଙ୍କୁ ଫାଶୀ ଦିଆଯିବ। ଆଜି ଦାଖଲ ହୋଇଥିବା ଏହି ଆବେଦନ ଚାରିରୁ ପାଞ୍ଚ ଦିନ ମଧ୍ୟରେ ଶୁଣାଣି ପାଇଁ ଆସିବ ବୋଲି ଆଶା କରାଯାଉଛି। ଗୁରୁବାର ଦିନ ଦିଲ୍ଲୀ କୋର୍ଟ ଚାରିଜଣ ଦୋଷୀ – ପୱନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ ସିଂ ଠାକୁର ଏବଂ ମୁକେଶ ସିଂଙ୍କ ଫାଶୀ ପାଇଁ ଡେଥ ୱାରେଣ୍ଟ ଜାରି କରିବା ପରେ ଏହି ପ୍ରସଙ୍ଗ ସାର୍ବଜନୀନ ହୋଇଛି।



