www.samajalive.in
Wednesday, December 10, 2025
14.1 C
Bhubaneswar

ଗାଁ ଶ୍ମଶାନରେ ଜଳିଲା ୯ ଜୁଇ

ମହାକାଳପଡ଼ା / କୁଜଙ୍ଗ : ନୂଆବର୍ଷରେ ଖୁସି ମନେଇବାକୁ କେନ୍ଦ୍ରାପଡ଼ାର ହୁକିଟୋଲା ଦ୍ୱୀପକୁ ଯାଇଥିଲେ। ଛୁଆପିଲା ସାଥିରେ ଥିଲେ। ଭୋଜିଭାତ କଲେ। ହସଖୁସିରେ ଘରକୁ ଫେରିଲା ବେଳକୁ ଫସିଗଲେ ମୃତ୍ୟୁଫାଶରେ। ଗାଁରୁ ହସି ହସି ଯାଇଥିଲେ; ହେଲେ ଗାଁକୁ ଫେରିଲା ବେଳକୁ ଶବ ହୋଇ ଫେରିଲେ ୯ଜଣ। ଜଣଙ୍କ ସନ୍ଧାନ ଏବେ ସୁଦ୍ଧା ମିଳିନି। ସାନ ନିପାଣିଆ ଗାଁର ଭାନୁଗିରି ଘାଟରେ ମୃତ୍ୟୁ ଯେ ସେମାନଙ୍କୁ ଅପେକ୍ଷା କରିଥିଲା ତାହା କେହି ଭାବି ପାରି ନ ଥିଲେ। ସାମାନ୍ୟ ଅସାବଧାନତା ଯୋଗୁଁ ଡଙ୍ଗାଟି ବୁଡ଼ିବାରୁ ଏମିତି ଏକ ବଡ଼ ଅଘଟଣ ଘଟିଗଲା। ଘଟଣା ପରେ ଏବେ ସାରା ହସିଣା ଗାଁ କାନ୍ଦୁଛି। ଗତକାଲି ରାତିରୁ କାହାରି ଘରେ ଚୁଲି ଜଳିନି କି ଲୋକେ ପାଣି ଟୋପାଏ ପାଟିକୁ ନେଇନାହାନ୍ତି। ଗାଁଟା ସାରା କାନ୍ଦ ବୋବାଳିରେ ଫାଟି ପଡୁଛି। କ୍ଷତିପୂରଣ ଦାବିରେ ରାସ୍ତରୋକ ବି ହୋଇଛି। ନୂଆବର୍ଷ ପାଇଁ ବଣଭୋଜି କରିବାକୁ ଗତକାଲି ସକାଳେ
କୁଜଙ୍ଗ ବ୍ଲକ ହସିଣା ଗାଁରୁ ୫୫ଜଣ ଏକ ମାଛଧରା ଡଙ୍ଗା(ବୋଟ)ରେ ହୁକିଟୋଲା ଯାଇଥିଲେ। ୨୦ଜଣ ଯାତ୍ରା କରିବାର କ୍ଷମତା ରଖିଥିବା ବୋଟ୍‌ରେ ଚଢ଼ିଥିଲେ ୫୫ଜଣ। ବୋଟ୍‌ରେ ନାଁ ଥିଲା ଲାଇଫ ଜ୍ୟାକେଟ, ନା ଥିଲେ ଅଭିଜ୍ଞ ନାଉରିଆ। ନୂଆବର୍ଷର ମଉଜମସ୍ତିରେ ହୁକିଟୋଲା ବତୀଘର ବୁଲି ରାତିରେ ଘରକୁ ଫେରୁଥିଲେ। ଲମ୍ବା ସମୟ ବୋଟ୍‌ରେ ବସିଥିବା ଗୀତା ସାହୁ ଶୌଚ ହେବା ପାଇଁ କହିଥିଲେ। ଏଣୁ ସାନ ନିପାଣିଆ ଗାଁର ଭାନୁ ଗିରି ଘାଟରେ ବୋଟ୍‌ଟି ଅଟକିଥିଲା। ବୋଟ୍‌ରୁ ତିନିଜଣ ମହିଳା ବାହାରକୁ ଯାଇଥିଲେ। ସେମାନେ ଫେରି ବୋଟ୍‌ରେ ଚଢ଼ିବାକୁ ଉଦ୍ୟମ କରିବାବେଳେ ବୋଟ୍‌ଟି ଗୋଟିଏ ପଟକୁ ଢଳି ଓଲଟି ପଡିଥିଲା। ବୋଟ୍‌ ଓଲଟିବା ଜାଗାରେ ପାଣି ପ୍ରାୟ ୭ଫୁଟ୍‌ରୁ ଅଧିକ ଥିଲା ବୋଲି ଦୁର୍ଘଟଣାରେ ବଞ୍ଚି ଯାଇଥିବା ରମେଶ ମୁଦୁଲି କହିଛନ୍ତି। ବୋଟଟି ଓଲଟି ପଡିବାରୁ ତା’ ତଳେ ରମେଶଙ୍କ ସହ ୧୦ରୁ ୧୨ଜଣ ଚାପି ହୋଇଯାଇଥିଲେ। ବୋଟ୍‌ ତଳୁ ବାହାରିବା ପାଇଁ ଉଦ୍ୟମ କରି ରମେଶ ବାବୁ ସଫଳ ହୋଇଥିଲେ; ହେଲେ ବୋଟ୍‌ ତଳୁ କୁନି କୁନି ପିଲାମାନେ ବାହାରି ପାରି ନ ଥିଲେ। ବୋଟ୍‍ ବୁଡ଼ିବା ପରେ ବଞ୍ଚାଅ ବଞ୍ଚାଅ ବୋଲି ଲୋକେ ପାଟି କରିଥିଲେ। ଲୋକଙ୍କ ଚିତ୍କାର ଶୁଣି ସବିତା ଗିରି ଓ ପୂର୍ଣ୍ଣିମା ଗିରି ନଦୀକୂଳକୁ ଦୌଡ଼ି ଆସିଥିଲେ। ଆଗ ପଛ କିଛି ବିଚାର ନକରି ସେମାନେ ନଦୀ ଭିତରକୁ ପଶି ମହିଳା ଓ କୁନି ଛୁଆଙ୍କୁ ଉଦ୍ଧାର କରିଥିଲେ। ପରେ ପରେ ଗାଁର ଅନ୍ୟଲୋକେ ବି ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ଜଣ ଜଣଙ୍କ ହାତକୁ ଧରି ୪୫ଜଣଙ୍କୁ ଉଦ୍ଧାର କରିବାକୁ ଗ୍ରାମବାସୀ ସକ୍ଷମ ହୋଇଥିଲେ। ପରେ ଘଟଣା ସଂପର୍କରେ ଖବରପାଇ ଓଡ୍ରାଫ ଟିମ୍‍, ଅଗ୍ନିଶମ ବିଭାଗ କର୍ମଚାରୀ, ମେରାଇନ୍‍ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ଗତକାଲି ରାତି ୨ଟା ମଧ୍ୟରେ ୯ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଆଜି ଦିନତମାମ ଖୋଜାଖୋଜି ପରେ ବି ନିଖୋଜ ଥିବା ଶୁଭଶ୍ରୀ ସ୍ୱାଇଁଙ୍କ ପତ୍ତା ମିଳିପାରିନି।
ଗତକାଲି ଘଟଣାସ୍ଥଳରେ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ଜିଲାପାଳ ଦାଶରଥି ଶତପଥୀ ଏସ୍‍ପି ନିତି ଶେଖର, ଉପଜିଲାପାଳ ସଂଜୟ ମିଶ୍ର, ଅତିରିକ୍ତ ତହସିଲଦାର ପ୍ରେମାନନ୍ଦ ବେହେରା ପ୍ରମୁଖ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ। ଆଜି ସକାଳୁ ଉଦ୍ଧାର ହୋଇଥିବା ୪୫ଜଣ ଓ ୯ଜଣଙ୍କ ମୃତଦେହ ପାରାଦ୍ୱୀପରେ ପହଞ୍ଚିଥିଲା। ଏଣେ ବୋଟ୍‌ ଚାଳକ ନିର୍ଭୟ ସ୍ୱାଇଁ ଓ ସନାତନ ସାହୁଙ୍କୁ ଜମ୍ବୁ ମେରାଇନ ପୁଲିସ ଅଟକ ରଖିଥିଲା। ପୁଲିସ ଅଟକ ରଖିଥିବା ନିର୍ଭୟ ଓ ସନାତନଙ୍କୁ ଛାଡିବା ପାଇଁ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ସେମିତି ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୪ଲକ୍ଷଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିଲେ। ହେଲେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ଲକ୍ଷଟଙ୍କାର କ୍ଷତିପୂରଣ ଓ ଗିରଫଙ୍କୁ ମୁକ୍ତ ଦାବିରେ କଟକ-ପାରାଦ୍ୱୀପ ରାସ୍ତାର ୧୫ନମ୍ବର ଛକରେ ଗାଁ ଲୋକେ ରାସ୍ତାରୋକ କରିଥିଲେ। ରାସ୍ତାରୋକରେ କଂଗ୍ରେସ ନେତା ବାପି ସର୍ଖେଲ ସାମିଲ ହେବାରୁ ଆନ୍ଦୋଳନ ତୀବ୍ରତର ହୋଇଥିଲା। ପରେପରେ ବିଜେପି ନେତା ସଂପଦ ସ୍ୱାଇଁ, କଂଗ୍ରେସ ନେତା ଏଏନଡି ଯାଦବ, ରଞ୍ଜନ ଦାସ ପ୍ରମୁଖ ରାସ୍ତରୋକରେ ସାମିଲ ହୋଇଥିଲେ। ରାସ୍ତରୋକ ଚାପରେ ପ୍ରଶାସନ ଗିରଫ ଦୁଇ ବୋଟ୍‌ ଚାଳକଙ୍କୁ ମୁକ୍ତ କରିଥିଲା; ହେଲେ କ୍ଷତିପୂରଣ ଦାବି ପୂରଣ ନ ହେବାରୁ ରାସ୍ତାରୋକ ସଂଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ଶବଗୁଡ଼ିକ ଦିନବେଳା କୁଜଙ୍ଗରେ ବ୍ୟବଚ୍ଛେଦ ହୋଇ ଅଟକି ରହିବାରୁ ତୁରନ୍ତ ସତ୍କାର କାର୍ଯ୍ୟ ସାରିବାକୁ ଗାଁ ଲୋକେ ନିଷ୍ପତ୍ତି ନେଇଥିଲେ। ୧୧ତାରିଖ ଦିନ ଏ ସଂପର୍କରେ ଅଧିକ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବେଲି ଘୋଷଣା ହେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।
ରାସ୍ତାରୋକ ପ୍ରତ୍ୟାହାର ହେବାପରେ ହସିଣା ଗାଁ ଭିତରକୁ ମୃତକ ନରହରି ତରାଇଙ୍କ ପତ୍ନୀ ଅନୁପମା ଓ ପୁଅ ପ୍ରଭଞ୍ଚନ, ମଣ୍ଟୁ ସାହୁଙ୍କ ଝିଅ ରୋଜି ସାହୁ, ପୁଅ ଜ୍ୟୋତିପ୍ରକାଶ ସାହୁ, ପବିତ୍ର ସାହୁଙ୍କ ପୁଅ ଦେବାଶିଷ, ସୁଚିତ୍ର ପାଣିଙ୍କ ଝିଅ ଦେବସ୍ମିତା, ନିର୍ଭୟ ସ୍ୱାଇଁଙ୍କ ଝିଅ ସୁଶ୍ରୀ ପଲ୍ଲବୀ ସ୍ୱାଇଁ, ଗଣ୍ଡକିପୁର ଗାଁର ଚିନ୍ମୟ ଦଳାଇଙ୍କ ତିନିବର୍ଷ ଝିଅ ସୋନାକ୍ଷୀ, ଅକ୍ଷୟ ସ୍ୱାଇଁଙ୍କ ପତ୍ନୀ ପ୍ରଭାତୀଙ୍କ ମୃତଦେହଗୁଡିକ ଯାଇଥିଲା।
ଗାଁରେ ମୃତଦେହ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଗାଁ ଫାଟି ପଡିଥିଲା। ଆତ୍ମୀୟଙ୍କୁ ହରାଇ ସତେ ଯେମିତି ହସିଣା ଗାଁ ବାହୁନି କାନ୍ଦୁଥିଲା। ଚାରିଆଡେ ବୁକୁଫଟା ଚିତ୍କାର ଶୁଣି ଉପସ୍ଥିତ ସମସ୍ତେ ବି ଭୋ ଭୋ ହୋଇ କାନ୍ଦି ଉଠିଥିଲେ। ଶେଷଥର ପାଇଁ ନିଜ ଲୋକଙ୍କ ମୁହଁ ଦେଖିବା ପାଇଁ ସତେ ଯେମିତି ଲୋକେ ବ୍ୟାକୁଳ ହୋଇ ପଡିଥିଲେ। କୁନି କୁନି ଛୁଆଙ୍କ ଶବ ଦେଖିବା ପରେ ଛାତି ଫାଟି ପଡୁଥିଲା। ଶବଗୁଡିକ ଗାଁ ଶ୍ମଶାନରେ ପହଞ୍ଚିବା ପରେ ସମୂହ ସତ୍କାର କରାଯାଇଛି। ଗାଁରେ ରାଜନେତାମାନେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଉଛନ୍ତି। ପାରାଦ୍ୱୀପର ଅତିରିକ୍ତ ଜିଲାପାଳ ଡଃ.କାହ୍ନୁ ଚରଣ ଧୀର ଓ ଅତିରିକ୍ତ ଏସପି ବିଷ୍ଣୁ ଚରଣ ମିଶ୍ର ମଧ୍ୟ ଗାଁରେ ଉପସ୍ଥିତ ଅଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories