ଏନ୍‌ଆଇଏ ମୂକ ଓ ବଧିର ଶୁଆ ପାଲଟିଛି: ଓୱେସୀ

0

ନୂଆଦିଲ୍ଲୀ : ମକ୍କା ମସ୍‌ଜିଦ୍‌ ବିସ୍ଫୋରଣ ମାମଲାରେ ଏନ୍‌ଆଇଏ)ର ସ୍ୱତନ୍ତ୍ର କୋର୍ଟ ସୋମବାର ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ପରିପେକ୍ଷୀରେ ମୁସଲମାନ ସଂଗଠନ ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ଅସଦୁଦ୍ଦିନ୍‌ ଓୱେସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ମାମଲାରେ ନ୍ୟାୟ ହୋଇ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ବାସ୍ତବରେ ଏନ୍‌ଆଇଏ ଏହି ମାମଲାରେ ଏକ ପ୍ରକାର ମୂକ ଓ ବଧିର ଶୁଆ ପାଲଟିଛି। ୨୦୧୪ରେ ଏହି ମାମଲାର ସାକ୍ଷୀ ନିଜ ବୟାନରୁ ଓହରିବା ପରେ ତଦନ୍ତକାରୀମାନେ ଉପଯୁକ୍ତ ତଥ୍ୟ ପ୍ରମାଣ ଉପସ୍ଥାପନ କରିପାରି ନ ଥିଲେ; ଫଳରେ ମାମଲା ଦୁର୍ବଳ ହୋଇପଡିଥିଲା। ଅନ୍ୟପଟେ ଅଭିଯୁକ୍ତମାନଙ୍କୁ ଗିରଫ ହେବାର ୯୦ ଦିନ ମଧ୍ୟରେ ଜାମିନ ମିଳିଥିବାବେଳେ ନରେନ୍ଦ୍ର ମୋଦି ସରକାର ଏହା ବିରୋଧରେ ଆବେଦନ କରିନାହାନ୍ତି। ତଦନ୍ତକୁ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହାଦ୍ୱାରା ଆତଙ୍କବାଦ ଦମନ ନେଇ ଦେଶର ଆଭିମୁଖ୍ୟ ଦୁର୍ବଳ ହୋଇଛି ବୋଲି ଓୱେସୀ କହିଛନ୍ତି। କୋର୍ଟଙ୍କ ରାୟର ନମୁନା ମିଳିବା ପରେ ତାହାକୁ ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ସ୍ଥିର କରାଯିବ ବୋଲି ସେ ଦର୍ଶାଇଛନ୍ତି।

Leave A Reply