www.samajalive.in
Monday, December 15, 2025
26.1 C
Bhubaneswar

୫୬ ମହିଳାଙ୍କୁ ୧୪ଲକ୍ଷ କ୍ଷତିପୂରଣ ନିର୍ଦେଶ

ନୂଆଦିଲ୍ଲୀ : ଅନୁଗୁଳ ଜିଲାର ବଅଁରପାଳ ସାଇକଲ ପମ୍ପ ମାଧ୍ୟମରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଘଟଣାରେ ୧୪ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଜାତୀୟ ମାନବାଧିକାର ଆୟୋଗ ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି। ନିର୍ଦେଶ ଅନୁଯାୟୀ ରାଜ୍ୟ ସରକାର ପୀଡ଼ିତ ୫୬ଜଣ ମହିଳାଙ୍କୁ କ୍ଷତିପୂରଣ ବାବଦକୁ ପଚିଶ ହଜାର ଲେଖାଏଁ ଟଙ୍କା ଦେବେ। ସମସ୍ତ ଘଟଣାକ୍ରମକୁ ଅମାନବୀୟ ଦର୍ଶାଇ ପୀଡ଼ିତଙ୍କୁ ଛଅ ସପ୍ତାହ ମଧ୍ୟରେ କ୍ଷତିପୂରଣ ଦିଆଯାଇ ଏନଏଚଆରସିଙ୍କୁ ଜଣାଇବା ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦେଶ ଦିଆଯାଇଛି।
ଗତ ୨୮ ନଭେମ୍ବର ୨୦୧୪ରେ ଅନୁଗୁଳ ଜିଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପରିବାର ନିୟନ୍ତଣ କାର୍ଯ୍ୟକ୍ରମ ଅନୁଯାୟୀ ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫୬ଜଣ ମହିଳାଙ୍କର ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଇଥିଲା। ସେଥିରେ ଜିଲାର ୫୩ ଜଣ ଏବଂ ଅନ୍ୟ ଜିଲାର ତିନିଜଣ ମହିଳାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ବେଳେ ଆବଶ୍ୟକ ସର୍ଜିକାଲ ଯନ୍ତ୍ରପାତି ବ୍ୟବହାର କରାଯାଇନଥିଲା। ସାଧାରଣତଃ ଲାପରୋସ୍କୋପିକ୍‌ ଅପରେସନ ବେଳେ ମହିଳାଙ୍କ ଗର୍ଭାଶୟରେ ଗ୍ୟାସଚାପ ବଜାୟ ରଖିବା ପାଇଁ ଇନ୍‌ସୁଫ୍ଲାଟର ବ୍ୟବହାର କରାଯାଏ। ବଅଁରପାଳ ବନ୍ଧ୍ୟାକରଣ ଶିବିରରେ ଇନ୍‌ସୁଫ୍ଲାଟର ପରିବର୍ତ୍ତେ ଉପସ୍ଥିତ ଡାକ୍ତରୀ ଦଳ ବାଇ-ସାଇକଲ ପମ୍ପ ବ୍ୟବହାର କରି କାମ ତୁଲାଇ ଦେଇଥିଲେ। ଡାକ୍ତରୀ ନିୟମାବଳୀର ଉଲ୍ଲଙ୍ଘନ କରି ବନ୍ଧ୍ୟାକରଣ ଯୋଜନାରେ ଗ୍ରାମାଞ୍ଚଳର ମହିଳାଙ୍କୁ ଅମାନବୀୟ ଢ଼ଙ୍ଗରେ ଅସ୍ତ୍ରୋପଚାର କରାଯାଉଛି ବୋଲି ମାନବାଧିକାର କର୍ମୀ ତଥା ଆଡ଼ଭୋକେଟ ରାଧାକାନ୍ତ ତ୍ରିପାଠୀଙ୍କ ଅଭିଯୋଗ ପରେ ଜାତୀୟ ମାନବାଧିକାର ଆୟୋଗ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଥିଲେ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜବାବରେ ଦର୍ଶାଯାଇଥିଲା ଯେ ଅସ୍ତ୍ରୋପଚାର କରାଯାଇଥିବା ସମସ୍ତ ମହିଳା ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି, ସେମାନେ କୌଣସି ପ୍ରକାର ଯନ୍ତ୍ରଣା ଅନୁଭବ କରୁନାହାନ୍ତି। ଏପରିକି ଅସ୍ତ୍ରୋପଚାର ପରେ ସଂପୃକ୍ତ ମହିଳାମାନେ କୌଣସି ଅଭିଯୋଗ କରିନାହାନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ମହିଳାଙ୍କ ତରଫରୁ କୌଣସି ଅଭିଯୋଗ କରା ନ ଯିବା ଆଳରେ ଇନ୍‌ସୁଫ୍ଲାଟର ପରିବର୍ତ୍ତେ ବାଇ-ସାଇକଲ ପମ୍ପ ବ୍ୟବହାର ଘଟଣାରେ ଦୋଷୀ ଡାକ୍ତରଙ୍କୁ ଖସାଇ ଦେବା ପାଇଁ ସରକାରୀସ୍ତରର ଉଦ୍ୟମକୁ ଅଭିଯୋଗକରୀ ଶ୍ରୀ ତିପାଠୀ ବିରୋଧ କରିଥିଲେ। ସମସ୍ତ ଘଟଣାକ୍ରମ ପାଇଁ ଜାତୀୟ ମାନବାଧିକାର ଆୟୋଗ ରାଜ୍ୟ ସରକାରଙ୍କୁ ଦାୟୀ କରି ୧୪ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଥିଲେ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories