www.samajalive.in
Sunday, December 14, 2025
26.1 C
Bhubaneswar

୭ ମାସରେ ୭୧୭୪ ଦୁର୍ଘଟଣା

ଭୁବନେଶ୍ବର: ରାଜ୍ୟରେ ସଡ଼କ ଦୁର୍ଘଟଣା କମିବା ପରିବର୍ତ୍ତେ ବଢ଼ି ଚାଲିଛି। ଗତ ୭ ମାସରେ (ଜାନୁଆରୀରୁ ଜୁଲାଇ) ପ୍ରାୟ ୭,୧୭୪ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩,୩୬୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୯୪୬ ଆହତ ହୋଇଛନ୍ତି। ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ଏବେ ପୁନର୍ବାର ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ଅଭିଯାନ ଉପରେ ପରିବହନ ବିଭାଗ ଗୁରୁତ୍ବ ଦେଇଛି। ସଡ଼କ ସୁରକ୍ଷା ଲାଗି ସ‌େ‌ର୍ବାଚ୍ଚ ନ୍ୟାୟାଳୟଙ୍କ ଅଧିନରେ ଏକ କମିଟି କାର୍ଯ୍ୟ କରୁଛି। ଦୁର୍ଘଟଣା କିପରି ନିୟନ୍ତ୍ରଣ ହେବ, ସେନେଇ ଉକ୍ତ କମିଟି ସବୁ ରାଜ୍ୟ ବୁଲି ସମୀକ୍ଷା କରୁଛନ୍ତି। ଏହାପରେ ବି କମୁନି ଦୁର୍ଘଟଣା। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ପାଳନ କରିବାକୁ ଓଡ଼ିଶା ସରକାର ଯୋଜନା କରୁଛନ୍ତି। ମଦ୍ୟପାନ କରି ଗାଡ଼ିଚାଳନା, ଦ୍ରୁତ ଗତିରେ ଯିବା ଏବଂ ଶିରସ୍ତ୍ରାଣ (ହେଲମେଟ) ନ ପିନ୍ଧିବା ଭଳି ବିଭିନ୍ନ ଅପରାଧ ରୋକିବାରେ ଏହି ଅଭିଯାନ ଗାଡ଼ି ଚାଳକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ମଧ୍ୟ ସହାୟକ ହେଉଛି ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅନ୍ୟପଟେ ଦୁର୍ଗାପୂଜା ପୂର୍ବରୁ ଓଡ଼ିଶା ପୁଲିସ ସହାୟତାରେ ପରିବହନ ବିଭାଗ ରାଜ୍ୟରେ ନିଶାସକ୍ତ ଗାଡ଼ି ଚାଳକଙ୍କୁ ସାବାଡ଼ କରିବାକୁ ଯୋଜନା କରିଛି। ଗାଡ଼ି ମୋଟର ଯାଞ୍ଚ ଅଭିଯାନକୁ ମଧ୍ୟ ଜୋରଦାର କରିବ ‌ବିଭାଗ। ପୂଜା ସମୟରେ ସୁରକ୍ଷିତ ରହିବାକୁ ସହରୀ ପୁଲିସ ମଧ୍ୟ ମାର୍ଗଦର୍ଶିକା ବାଣ୍ଟିବାକୁ ପ୍ରସ୍ତୁତ ହୋଇଛି। ଦୁର୍ଘଟଣା ରୋକିବାକୁ ସରକାର ଧ୍ୟାନ ଦେଉଛନ୍ତି, ତଥାପି ସଡ଼କ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ହେବା ଚିନ୍ତାର କାରଣ ପାଲଟିଛି।

ଦୁର୍ଘଟଣାକୁ ରୋକିବା ଏବଂ ଆହତଙ୍କ ସଂଖ୍ୟା କମାଇବା ଲାଗି ପୂର୍ବରୁ ଏପ୍ରିଲ୍ ୧ ରୁ ୭ ମଧ୍ୟରେ ରାଜ୍ୟବ୍ୟାପୀ ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯାନରେ ବିଭିନ୍ନ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଘଟୁଥିବା ସଡ଼କ ଦୁର୍ଘଟଣାକୁ ରୋକିବାରେ ପରିବହନ ବିଭାଗ ସଫଳତା ହାସଲ କରିଥିବା ଲକ୍ଷ୍ୟ କରାଯାଇଛି। ଗତବର୍ଷ ବିଭାଗ ଦ୍ରୁତ ଗତିରେ ଗାଡ଼ି ଚାଳନା ଲାଗି ୧ ଲକ୍ଷ ୧୭ ହଜାର ୭୫୨ ଚାଳକଙ୍କ ବିରୋଧରେ ଚାଲାଣ ଜାରି କରିଛି। ସେହିପରି ହେଲମେଟ ନ ପିନ୍ଧି ଗାଡ଼ି ଚାଳନା ପାଇଁ ୧ ଲକ୍ଷ ୭୨ ହଜାର ୭୮୪ ଏବଂ ମଦ୍ୟପାନ କରି ଗାଡ଼ି ଚାଳନା ପାଇଁ ୧୧ ହଜାର ୫୪୪ ଚାଳକଙ୍କ ଠାରୁ ଜୋରିମାନା ଆଦାୟ କରିଛି। ଚଳିତ ବର୍ଷ ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ଦ୍ରୁତ ଗତିରେ ଗାଡ଼ି ଚାଳନା ଲାଗି ୭୫ ହଜାର ୮୫୦ ଚାଲାଣ କଟା ଯାଇଥିବା ବେଳେ ହେଲ୍‌ମେଟ ନ ପିନ୍ଧି ଚାଳନା ପାଇଁ ୮୯ ହଜାର ୭୫୬ ଏବଂ ମଦ୍ୟପାନ କରି ଚାଳନା ପାଇଁ ୬ ହଜାର ୨୮୭ ଚାଳକଙ୍କ ବିରୋଧରେ ପରିବହନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

- Advertisement -

ସୂଚନାଯୋଗ୍ୟ, ପରିବହନ ବିଭାଗର ଶୂନ୍ୟ ମୃତ୍ୟୁ ସପ୍ତାହ ଅଭିଯାନ ରାଜ୍ୟରେ ମୂଲ୍ୟବାନ ଜୀବନ ରକ୍ଷା କରିବାରେ ସହାୟକ ହୋଇଛି। ଗତ ୨୦୨୨ରେ ୨୨୪ ଜଣ ନାବାଳକ ଓ ନାବାଳିକା ଚାଳକଙ୍କ ବିରୋଧରେ ବିଭାଗ ଚାଲାଣ କାଟିଥିଲା। ଚଳିତ ବର୍ଷ ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ୩୮୮ଟି ଚାଲାଣ କଟାଯାଇଛି। ସରକାରୀ ତଥ୍ୟ ଅନୁଯାୟୀ, ଗତ ବର୍ଷ ଜାନୁଆରୀରୁ ଜୁଲାଇ ମଧ୍ୟରେ ୬,୯୨୮ ଦୁର୍ଘଟଣା ଘଟିଥଲା। ଏଥିରେ ୩ ହଜାର ୨୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ହଜାର ୨୯୦ ଆହତ ହୋଇଥିଲେ। ଏହି ସଂଖ୍ୟାରେ ୨୨ ବର୍ଷରୁ କମ୍ ବୟସର ପ୍ରାୟ ୨୨୬ ଜଣଙ୍କ ମୃତ୍ୟୁ ଅନ୍ତର୍ଭୁକ୍ତ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories