ଗୋପାଳପୁର: ଗୋଳାବନ୍ଧ ଠାରେ ଥିବା ଗୋପାଳପୁର ମିଲିଟାରୀ ଷ୍ଟେସନରେ ଚାଲିଥିବା ଆର୍ମି ନିଯୁକ୍ତି ପରୀକ୍ଷାରେ ପରୀକ୍ଷା ଦେଉଥିବା ଜଣେ ପରୀକ୍ଷାର୍ଥୀ ବ୍ଲୁଟୁଥ୍ ବ୍ୟବହାର କରିବା ଅଭିଯୋଗରେ ଗୋପାଳପୁର ଥାନା ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ହରିଆଣା ରାଜ୍ୟ ଜିନ୍ଦ ଜିଲା ଅନ୍ତର୍ଗତ ବୋରଦା ଅଞ୍ଚଳର ବିଜୟ। ଅଭିଯୋଗ ଅନୁଯାୟୀ ଗତ ୭ ତାରିଖ ରେ ଗୋଳାବନ୍ଧ ଆର୍ମି ଏଡି କଲେଜ ପରିସରରେ ଡିଫେନସ ସିଭିଲିଆନ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୟ ପରୀକ୍ଷାର୍ଥୀ ଭାବେ ଯୋଗ ଦେଇଥିଲେ। ପରୀକ୍ଷା ଦାଇତ୍ୱରେ ଥିବା କର୍ମଚାରୀ ମାନେ ପରୀକ୍ଷା ହଲ ପରିସରରେ ବିଜୟଙ୍କ କାର୍ଯ୍ୟକଳାପରେ ସନ୍ଦେହ ପ୍ରକାଶ କରି ତଦନ୍ତ କରିଥିଲେ। ତଦନ୍ତ ସମୟରେ ବିଜୟ ବ୍ଲୁ ଟୁଥ ଡିଭାଇସ୍ ବ୍ୟବହାର କରୁଥିବା ଜାଣିବାକୁ ପାଇଥିଲେ। ବିଜୟଙ୍କୁ ତଦନ୍ତ ସମୟରେ ତାଙ୍କ ନିକଟରୁ ଏକ କଳା ରଙ୍ଗର ବ୍ଲୁଟୁଥ୍, ଏକ ବ୍ୟାଟେରୀ, ଗୋଟିଏ ଛୋଟ ଯନ୍ତ୍ର, ୨ଟି ସିମ କାର୍ଡ, ଆଧାର କାର୍ଡ, କଲ ଲେଟର ଆଦି ଜବତ କରିଥିଲେ। ଘଟଣା ନେଇ ଆଜି କର୍ଣ୍ଣଲଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ସହ ଅଭିଯୁକ୍ତ ବିଜୟକୁ ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ବିଜୟଙ୍କୁ କୋର୍ଟ ଚାଲାଣ କରିଛି।
Popular Categories



