ସମ୍ବଲପୁର: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆଙ୍କ ନିର୍ଦ୍ଦେଶାନୁଯାୟୀ, ୟୁକୋ ବ୍ୟାଙ୍କ ସମ୍ବଲପୁର ମୁଖ୍ୟ ଶାଖା (ମୁଦ୍ରା ତିଜୋରୀ) ପକ୍ଷରୁ ପୁରୁଣା ନୋଟ ଓ ମୁଦ୍ରା ବିନିମୟ ମେଳା ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଗୋଲବଜାର ସ୍ଥିତ ପେଟ୍ରୋଲ ପମ୍ପ ପରିସରରେ ଆୟୋଜିତ ଏହି ମୁଦ୍ରା ବିନିମୟ ମେଳାକୁ ୟୁକୋ ବ୍ୟାଙ୍କ ସମ୍ବଲପୁରର ମଣ୍ଡଳ ମୁଖ୍ୟ ରାଜେଶ କୁମାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ମେଳାର ଆୟୋଜନ ବ୍ୟାଙ୍କର ଗ୍ରାହକ ମାନଙ୍କ ସହିତ ସାଧାରଣ ଜନତା ମାନଙ୍କ ପାଇଁ କରାଯାଇଥିଲା। ଏହି ମେଳାରେ ବ୍ୟାଙ୍କର ଗ୍ରାହକ ଓ ଜନତା ମାନେ ଉତ୍ସାହର ସହିତ ଅଂଶଗ୍ରହଣ କରି ପୁରୁଣା ଫଟା, ଖରାପ ହୋଇଯାଇଥିବା ନୋଟ ଓ ମୁଦ୍ରା ଗୁଡିକୁ ବଦଳରେ କରି ନୂତନ ନୋଟ ଓ ମୁଦ୍ରା ନେଇଥିଲେ। ସକାଳ ୧୦ଟା ୩୦ରୁ ଆରମ୍ଭ ହୋଇଥିବା ଏହି ମେଳା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜାରି ରହିଥିଲା। ଏହି ମେଳାରେ ୨୩ ଲକ୍ଷ ଟଙ୍କାର ମୁଦ୍ରା ବିନିମୟ ଓ ବଦଳ କରାଯାଇଥିଲା। ଏଭଳି ମେଳା ଆଗାମୀ ଦିନରେ ମଧ୍ୟ ଜନତାଙ୍କ ସୁବିଧା ପାଇଁ କରାଯିବ ବୋଲି ୟୁକୋ ବ୍ୟାଙ୍କ ତରଫରୁ ସୂଚନା ଦିଆଯାଇଛି।
Popular Categories



