ସମ୍ବଲପୁର: ପବିତ୍ର ମହାଳୟା ଅବସରରେ ମାଁ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ ଓ ଏହା ପରେ ନବରାତ୍ର ଅବସରରେ ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ସମୟ ନିର୍ଘଣ୍ଟ ମାଁ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଜାରି କରାଯାଇଛି। ଭକ୍ତଙ୍କ ଅବଗତି ନିମନ୍ତେ ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁଙ୍କ ସୂଚନାନୁଯାୟୀ, ମହାଳୟା ଓ ନବରାତ୍ର ଅବସରରେ ସକାଳ ୬ଟାରେ ଦର୍ଶନ ଆରମ୍ଭ ହେବ। ସକାଳ ୧୧ଟା ୪୫ ମିନିଟରୁ ଅପରାହ୍ନ ୧୨ଟା ୩୦ ମିନିଟ ପର୍ଯ୍ୟନ୍ତ ଅନ୍ନଭୋଗ ପାଇଁ ଦର୍ଶନ ବନ୍ଦ ରହିବ। ଅପରାହ୍ନ ୩ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମାଁ ଙ୍କ ଶୃଙ୍ଗାର ବେଶ ପାଇଁ ଦର୍ଶନ ବନ୍ଦ ରହିବ। ଦିନ ୪ଟାରୁ ସନ୍ଧ୍ୟା ୭ଟା ୪୫ ମିନିଟ ପର୍ଯ୍ୟନ୍ତ ଦର୍ଶନ ପରେ ସନ୍ଧ୍ୟା ଆଳତୀ ପାଇଁ ଦର୍ଶନ ସନ୍ଧ୍ୟା ୮ଟା ୧୫ ମିନିଟ ପର୍ଯ୍ୟନ୍ତ ବନ୍ଦ ରହିବ। ରାତ୍ର ୮ଟା ୫୦ ମିନିଟରୁ ୯ଟା ୩୦ ମିନିଟ ପର୍ଯ୍ୟନ୍ତ ରାତ୍ର ଅନ୍ନଭୋଗ ପାଇଁ ଦର୍ଶନ ବନ୍ଦ ରହିବ। ଏହା ପରେ ରାତ୍ର ୯ଟା ୩୦ରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ଭକ୍ତ ମାନେ ମାଁ ଙ୍କ ଦର୍ଶନ କରିପାରିବେ ଏବଂ ରାତ୍ର ୧୦ଟା ସମୟରେ ମନ୍ଦିର ବନ୍ଦ କରାଯିବ। ଏଥି ସହ ମହାଳୟା ଅବସରରେ ମାଁ ଧବଳମୁଖୀ ବେଶ ଧାରଣ କରୁଥିବାରୁ ମାଁ ସମଲେଶ୍ୱରୀ ମହିମା ପ୍ରଚାର ସମିତି ତରଫରୁ ମନ୍ଦିରର ସମସ୍ତ ପାର୍ଶ୍ବ ଦେବାଦେବୀ ଓ ପୂଜକ ମାନେ ଧଳା ବସ୍ତ୍ର ପରିଧାନ କରିବେ। ମହାଳୟା ଅବସରରେ ଧବଳମୁଖୀ ବେଶ ଦର୍ଶନ ସମୟରେ ଆସୁଥିବା ଭକ୍ତ ମାନେ ମନ୍ଦିରକୁ କୌଣସି ପୂଜା ସାମଗ୍ରୀ ଧୂପ, ଦୀପ, ପ୍ରସାଦ, ଫୁଲ ଆଦି ନେବା ପାଇଁ ବାରଣ କରାଯାଇଛି ବୋଲି ଟ୍ରଷ୍ଟ ସଭାପତି ସଞ୍ଜୟ ବାବୁ କହିଛନ୍ତି।
Popular Categories



