ଗୁରୁଡ଼ିଝାଟିଆ: ବାଳି ଅନୁସୂଚିତ ଜାତି ସାହିର ମୋହନ ନାଏକ ହତ୍ୟାମାମଲାର ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟର୍ଚାଲାଣ କରିଛି। ତାଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରାଯାଇଛି। ପୂର୍ବଶତୃତାରୁ ମୋହନକୁ ଟାଙ୍ଗିଆରେ ଛେଚି ଅତି ବିଭତ୍ସ ଭାବରେ ହତ୍ୟାକରିଥିବା ନେଇ ସେହି ସାହିର ପ୍ରକାଶ ନାଏକ(୨୪) ସ୍ୱୀକାର କରିଅଛି। କିଭଳି ଭାବରେ ଟାଙ୍ଗିଆରେ ହତ୍ୟା କରିଥିଲା ତାହା ପୋଲିସକୁ ଦେଖାଇଥିଲା। ଆଜି ଗୁରୁଡ଼ିଝାଟିଆ ଥାନାରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବଦତ୍ତ ବରାଳ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଥିଲେ ଅଭିଯୁକ୍ତ ପ୍ରକାଶକୁ ମୃତ ମୋହନ ବାରମ୍ବାର ଗାଳିଗୁଲଜ କରିବା ସହିତ ମାରଧର କରିଥାଏ। ଏଥିରେ କ୍ରୋଧିତ ଅଭିଯୁକ୍ତ ପ୍ରକାଶ ସବୁଦିନ ପାଇଁ ମୋହନକୁ ରାସ୍ତାରୁ ହଟାଇଦେବା ପାଇଁ ପ୍ରତିଜ୍ଞା କରିଥିଲା। ଗତ ୪ ତାରିଖ ରାତିରେ ଗାଁ କୋଠଘର ବାରଣ୍ଡାରେ ମୋହନ ଶୋଇଥିବା ଅବସ୍ଥାରେ ଘରେ ରଖିଥିବା କାଠହଣା ଟାଙ୍ଗିଆକୁ ଆଣି ତାର ପଛପଟପାର୍ଶ୍ବରେ ମୋହନ ଚିତେ ଶୋଇଥିବା ଅବସ୍ଥାରେ ନୃସଂଶ ଭାବରେ ଛେଚି ତାଲିଥିଲା। ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା।
ଏପରିକି ହତ୍ୟାକାଣ୍ଡର ସନ୍ଧ୍ୟାରେ ଉଭୟ ପରସ୍ପରକୁ ଗାଳିଗୁଲଜ କରାକରି ହେବା ସହ ହାତାହାତି ପର୍ଯ୍ୟନ୍ତ ଯାଇଥିଲେ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବରାଳ ଏହି ହତ୍ୟାକାଣ୍ଡର ଅଭିଯୁକ୍ତକୁ ଧରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଅତିରିକ୍ତ ଆରକ୍ଷୀ ଶ୍ରୀ ବରାଳ, ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ ଓ ଗୁରୁଡ଼ିଝାଟିଆ ଥାନା ଅଧିକାରୀ ସୁମନ୍ତ କିସାନଙ୍କୁ ନେଇ ଏକ ଦଳ ଗଠନ କରାଯାଇଥିଲା। ଏହି ମାମଲାରେ ପୁଲିସ ବିଭିନ୍ନ ଲୋକମାନଙ୍କୁ ଡାକି ତଥ୍ୟ ସଂଗ୍ରହ ସହିତ ଜେରା ମଧ୍ୟ କରିଥିଲେ। ପ୍ରକାଶ ନାଏକ ପୂର୍ବ ଶତୃତାକୁ ନେଇ ମୋହନକୁ ହତ୍ୟା କରିଥିବା କଥା କହିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ପୋଲିସକୁ ହସ୍ତାନ୍ତର କରିଛି। ମୋହନ ହତ୍ୟାକାଣ୍ଡ ମାମଲାରେ ତାର ବଡଭାଇ ଶିଶିର ଗୁରୁଡ଼ିଝାଟିଆ ଥାନରେ ଲିଖିତ ଅଭିଯୋଗ କରିଥିଲେ। ଆଜିର ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବରାଳଙ୍କ ସହିତ ଚୌଦ୍ୱାର ଏସଡିପିଓ ଶ୍ରୀ ନାୟକ ଓ ଗୁରୁଡ଼ିଝାଟିଆ ଥାନା ଅଧିକାରୀ ଶ୍ରୀ କିସାନ ଉପସ୍ଥିତ ରହିଥିଲେ।



