ସମ୍ବଲପୁର: ସମ୍ବଲପୁର ପୁଲିସ ନକଲି କାଗଜପତ୍ର ନିର୍ମାଣ କରି ଜମି ବିକ୍ରି କରିଥିବା ଅଭିଯୋଗରେ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ ଟଙ୍କା ଓ କାଗଜପତ୍ର ଆଦି ଜବତ କରିଛି। ଏ ସମ୍ପର୍କରେ ଜିଲା ପୁଲିସ ମୁଖ୍ୟାଳୟରେ ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ମୁକେଶ ଭାମୁ କହିଛନ୍ତି ଯେ, ଅନୁଗୁଳ ଜିଲା ଖମାର, ଖଲାରୀ ର ମୂଳ ନିବାସୀ ତଥା ଏବେ ବୁର୍ଲା ଅଞ୍ଚଳରେ ରହୁଥିବା ସୁର୍ଯ୍ୟକାନ୍ତ ନାହକ (୫୧)ଙ୍କ ଦ୍ୱାରା ଗତ ୨୧ ତାରିଖରେ ତାଙ୍କର ସହିତ ଠକେଇ ହୋଇଥିବାର ଅଭିଯୋଗ ବୁର୍ଲା ଥାନାରେ କରିଥିଲେ। ଏଣୁ ପୁଲିସ ମାମଲା ସଂଖ୍ୟା ୩୭୧/୨୦୨୩ ରୁଜୁ କରି ଘଟଣାର ତଦନ୍ତ ସମୟରେ ବୁର୍ଲା ମଝିପାଲି ନିବାସୀ ଚନ୍ଦ୍ରଶେଖର ବିଶ୍ୱାଳ ଓରଫ ମଣ୍ଟୁ (୩୦) ଓ କ୍ଷେତରାଜପୁର ନୁଆପଡ଼ା ନିବାସୀ ଟେଗୁନ ହରିପାଲ (୩୫) ଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ଗତ ଫେବୃଆରୀ ମାସରେ ଅଭିଯୋଗକାରୀ ଶ୍ରୀ ନାହକଙ୍କୁ ୧.୬୫୬ ଏକର ଜମି ବୁର୍ଲା ମୌଜାରେ ୨ କୋଟି ୧୮ ଲକ୍ଷ ୫୯ ହଜାର ୨୦୦ ଶହ ଟଙ୍କାରେ ବିକ୍ରି କରିବା ପାଇଁ କହିଥିଲେ। ଏହା ପରେ ସେମାନେ ଜମି ସଂକ୍ରାନ୍ତୀୟ ନକଲି କାଗଜପତ୍ର ସହିତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଜମିର ମାଲିକ ବୋଲି ଦର୍ଶାଇ ଉପସ୍ଥାପନ କରିଥିଲେ। ଏହା ପରେ ଉକ୍ତ ନକଲି ଜମି ମାଲିକ ସହିତ ସେମାନେ ଚୁକ୍ତିନାମା କରିବା ସହିତ ୨ ଲକ୍ଷ ଟଙ୍କା ନଗଦ ନେବା ସହିତ ୨୮ ଲକ୍ଷ ଟଙ୍କା ବାବଦରେ ୪ଟି ଚେକ ନେଇଥିଲେ। ଏହା ପରେ ଜମି କ୍ରେତା ଶ୍ରୀ ନାହକ ଜମିରେ କାର୍ଯ୍ୟ ଆରମ୍ଭ କରିବା ପରେ ଜମିର ଅସଲି ମାଲିକ ପୁରନ୍ଦର ରଣା, ନର ରଣା, ହିରଣ୍ୟା ରଣା ଓ ହରିହର ରଣା ଆସି ତାଙ୍କୁ ବିରୋଧ କରିଥିଲେ। ଏହା ପରେ ଜମି କ୍ରେତା ଏ ବାବଦରେ ଯାଞ୍ଚ କରିବାରୁ ସେ ଠକେଇର ଶିକାର ହୋଇଥିବାର ଜାଣି ବୁର୍ଲା ଥାନାରେ ଅଭିଯୋଗ କରିଥିଲେ। ଏଥି ସହ ଅଭିଯୋଗକାରୀ ତୁରନ୍ତ ସେ ଦେଇଥିବା ଚେକ ଗୁଡିକୁ ବାତିଲ କରିବା ପାଇଁ ବ୍ୟାଙ୍କୁ ଅନୁରୋଧ କରିଥିବା ବେଳେ ସେଥି ମଧ୍ୟରୁ ଗୋଟିଏ ଚେକ ଜରିଆରେ ଅଭିଯୁକ୍ତ ମାନେ ୭ ଲକ୍ଷ ଟଙ୍କା ନେଇ ସାରିଥିଲେ। ପୁଲିସ ତଦନ୍ତ ସମୟରେ ଅଭିଯୁକ୍ତ ମାନଙ୍କ ନିକଟରୁ ଜମି ସଂକ୍ରାନ୍ତୀୟ ବିଭିନ୍ନ କାଗଜପତ୍ର, ନକ୍ସା, ବୁର୍ଲା ଟାଉନର ମ୍ୟାପ, ଟ୍ରେସ ମ୍ୟାପ, ଗୋଟିଏ ମୋବାଇଲ ଫୋନ, ଗୋଟିଏ କମ୍ପ୍ୟୁଟର ସେଟ ଓ ନଗଦ ୬ ଲକ୍ଷ ୪୦ ହଜାର ଟଙ୍କା ଜବତ କରିଛି।
ଏସପି କହିଛନ୍ତି ଯେ, ଅଭିଯୁକ୍ତ ମାନେ ଅସଲି ମାଲିକଙ୍କ ଜମିର କାଗଜପତ୍ର ସହିତ ଆଧାର ପରିଚୟ ପତ୍ରକୁ କୌଶଳ କ୍ରମେ ହାସଲ କରିବା ପରେ ସେମାନେ ଆଧାର ପରିଚୟ ପତ୍ରରେ ନକଲି ଫଟୋ ଓ ଅନ୍ୟାନ୍ୟ ଆବଶ୍ୟକୀୟ ତଥ୍ୟ ବଦଳି କରି ଦେଉଥିଲେ। ଏହା ପରେ ସେମାନେ ନକଲି ବ୍ୟକ୍ତିକୁ ଜମି କ୍ରେତା ସମ୍ମୁଖରେ ଛିଡା କରାଇ ଚୁକ୍ତିନାମା କରି ଟଙ୍କା ଅ୍ଗ୍ରିମ ନେବା ସହ ପରବର୍ତ୍ତୀ ସମୟରେ ଜମି ପଞ୍ଜୀକରଣ ମଧ୍ୟ କରାଇ ଦେଉଥିଲେ। ଏହି ଘଟଣାର ତଦନ୍ତ ଜାରି ରହିଛି ବୋଲି ଏସପି କହିଛନ୍ତି। ଗିରଫ ଅଭିଯୁକ୍ତ ମାନଙ୍କୁ ପୁଲିସ ଅଦାଲତକୁ ଚାଲାଣ କରିଛି।



