ପିପିଲି: ପୁରୀ ଜିଲାର ପୁରାତନ ଓ ପ୍ରମୁଖ ଥାନା ଭାବେ ପରିଚିତ ଇଂରେଜ ଅମଳର ପିପିଲି ଥାନା ଏବେ ନାହିଁ ନାହିଁରେ ଚାଲିଛି। ଏହି ଥାନାର ପୁରୁଣା କୋଠାଘର ଚଟାଣ ଉପରେ ଟାଇଲ ବିଛାଯାଇଥିବା ବେଳେ ଫଟା କାନ୍ଥକୁ ପ୍ଲାଷ୍ଟର କରାଯାଇ ରଙ୍ଗବୋଳା ଯାଇଛି। ଏଠାରେ କର୍ମଚାରୀଙ୍କ ବସିବା ପାଇଁ ସ୍ଥାନର ଅଭାବ ରହିଥିବା ବେଳେ ମହିଳା ଓ ଶିଶୁଙ୍କ ପାଇଁ କୌଣସି ସ୍ୱତନ୍ତ୍ର ପ୍ରକୋଷ୍ଠ ନାହିଁ। ରାଜ୍ୟର ଅଧିକାଂଶ ପ୍ରମୁଖ ଥାନାର ଆଧୁନିକିକରଣ କରାଯାଇ ସେଠାରେ ନୂତନ କୋଠାଘର ନିର୍ମାଣ କରାଯାଇଥିବା ବେଳେ ପୁରୀ ଜିଲାର ପ୍ରମୁଖ ଥାନା ଭାବେ ପରିଚିତ ଏହି ଥାନାର ଚିତ୍ର କିନ୍ତୁ ନବଦଳିବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି। ଦୀର୍ଘ ୨୧୭ ବର୍ଷ ତଳେ ଇଂରେଜ ପ୍ରଶାସକଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ପୁରାତନ ପିପିଲି ଥାନାକୁ ଏ୍ୟତିହ୍ୟ ଥାନାର ମାନ୍ୟତା ଦେବାକୁ ବିଭିନ୍ନ ମହଲରୁ ଦାବି କରାଯାଇଛି।
ଇଂରେଜ ରାଜତ୍ୱ ସମୟରେ ୧୮୦୬ ମସିହାରେ ଇଂରେଜ ପ୍ରଶାସକଙ୍କ ଦ୍ୱାରା ଏହି ଥାନା ପ୍ରତିଷ୍ଠା କରାଯାଇଥିବା ଇତିହାସ ପୃଷ୍ଠାରୁ ଜଣାଯାଏ। ସେ ସମୟରେ ପୁରୀ ଜିଲାର ପ୍ରତିଷ୍ଠିତ ୬ଟି ଥାନା ମଧ୍ୟରୁ ପିପିଲି ଥାନା ଥିଲା ଅନ୍ୟତମ। ପରବର୍ତ୍ତି ସମୟରେ ୧୯୦୬ ମସିହାରେ ପିପିଲି ଥାନା ଅଧିନରେ ବାଲିପାଟଣା, ବାଲିଅନ୍ତା, ନିମାପଡ଼ା ଓ ଡେଲାଙ୍ଗ ଠାରେ ୪ଗୋଟି ପୁଲିସ ଫାଣ୍ଡି ସ୍ଥାପନ କରାଯାଇଥିଲା। ସେ ସମୟରେ ପ୍ରତ୍ୟେକ ଥାନାରେ ଜଣେ ଲେଖାଏଁ ଦାରୋଗା ମୁଖ୍ୟ ଭାବରେ ନିଯୁକ୍ତି ପାଇ ତାଙ୍କ ଅଧିନରେ ଜଣେ ମୋହରିର, ଜଣେ ଜମାଦାର ଓ ୧୦ଜଣ ଲେଖାଏଁ ବରକନ୍ଦାଜ ନିଯୁକ୍ତ ହୋଇଥିଲେ। ସେମାନଙ୍କ ବ୍ୟତୀତ କେତେଜଣ ଚୌକିଦାର ମଧ୍ୟ ନିଯୁକ୍ତି ପାଇଥିଲେ। ଦାରୋଗାଙ୍କୁ ମାସିକ ୨୫ଟଙ୍କା ବେତନ ଦିଆଯାଉଥିବା ବେଳେ ମୋହରିର ଓ ଜମାଦାରଙ୍କୁ ୮ଟଙ୍କା ଓ ବରକନ୍ଦାଜଙ୍କୁ ୪ଟଙ୍କା ଲେଖାଏଁ ବେତନ ଦିଆଯାଉଥିଲା। ଚୌକିଦାରମାନଙ୍କୁ ଜାଗିରି ଜମି ଦିଆଯାଇଥିବା ସଂପର୍କରେ ‘ଇତିହାସ ପୃଷ୍ଠାରେ ପିପିଲି’ ପୁସ୍ତକରୁ ସୂଚନା ମିଳିଛି।
ରାଜ୍ୟର ଅତି ଉତ୍ତେଜନାପୂର୍ଣ୍ଣ ନିର୍ବାଚନମଣ୍ଡଳୀ ଭାବେ ପରିଚିତ ପିପିଲି ନିର୍ବାଚନମଣ୍ଡଳୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥାନା ହେଉଛି ପିପିଲି ଥାନା। ପିପିଲି ବ୍ଲକର ୨୫ଟି ପଞ୍ଚାୟତ ମଧ୍ୟରୁ ୨୧ଟି ପଞ୍ଚାୟତ ଓ ପିପିଲି ଏନ୍ଏସି ଅଞ୍ଚଳ ଏହି ଥାନା ଅଧିନରେ ରହିଛି। ଧଉଳି, ଏୟାରଫିଲ୍ଡ, ବାଲିପାଟଣା, ନିମାପଡ଼ା, ଜଟଣୀ, ଡେଲାଙ୍ଗ, ସତ୍ୟବାଦୀ ଓ ବଳଙ୍ଗା ଥାନା ଅଞ୍ଚଳ ଏହି ପିପିଲି ଥାନା ଅଞ୍ଚଳ ପରିସୀମାକୁ ଲାଗି ରହିଥିବା ଯୋଗୁଁ ଏହା ଅଧିକ ଗୁରୁତ୍ୱ ବହନ କରେ। ପ୍ରତିବର୍ଷ ୬ଶହରୁ ଉର୍ଦ୍ଧ ମାମଲା ଏହି ଥାନାରେ ରୁଜୁ ହେଉଥିବା ବେଳେ ଏହା ଅଧିନରେ ୩ଟି ଫାଣ୍ଡି ମଧ୍ୟ ରହିଛି। ତେବେ, ସବୁଠାରୁ ଗୁରୁତ୍ୱପର୍ଣ୍ଣ ପ୍ରସଙ୍ଗ ହେଉଛି ରାଜ୍ୟର ସମସ୍ତ ପ୍ରମୁଖ ଥାନାକୁ ଆଧୁନିକିକରଣ କରାଯିବା ସହ ସେଠାରେ ବୃହତ ଅଟ୍ଟାଳିକାମାନ ନିର୍ମାଣ କରାଯାଇଛି। ଏପରିକି ପୁରୀ ଜିଲାର ସମସ୍ତ ପ୍ରମୁଖ ଥାନା ସମେତ ଗ୍ରାମାଞ୍ଚଳରେ ଥିବା ଅଧିକାଂଶ ଥାନାକୁ ରୂପାନ୍ତରଣ କରାଯାଇ ସେଠାରେ ବହୁତଳ ବିଶିଷ୍ଟ କୋଠାଘରେ ଥାନା କାର୍ଯ୍ୟ ଚାଲିଛି। କିନ୍ତୁ ପିପିଲି ଥାନାର ଚିତ୍ର ଏଯାଏଁ ବଦଳିନି। ବ୍ରିଟିଶ ଅମଳର ପିପିଲି ଥାନାକୁ ନାମକୁ ମାତ୍ର ମରାମତି କରାଯାଇଥିବା ଅଭିଯୋଗ ହୋଇଛି। ୨୫ଶହ ବର୍ଗଫୁଟ୍ ଅଞ୍ଚଳରେ ଥିବା ପୁରୁଣା କୋଠାଘରେ ଥାନା କାର୍ଯ୍ୟ ଚାଲିଛି। ଏହା ପରିସରରେ ଥିବା ଥାନା ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ୪ଜଣରୁ ଅଧିକ ବ୍ୟକ୍ତିଙ୍କ ବସିବା ପାଇଁ ଯାଗା ନାହିଁ। ଉକ୍ତ କୋଠାଘର ମଧ୍ୟବର୍ତ୍ତ ଅଞ୍ଚଳରେ ଥିବା ୨୨ଫୁଟ୍ ଲମ୍ବ ଓ ୧୮ଫୁଟ୍ ଓସାର ବିଶିଷ୍ଟ ଘରେ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ବସି କାର୍ଯ୍ୟ କରୁଛନ୍ତି। ସେହି ସ୍ଥାନକୁ ସୁବିଧାରେ ପବନ ଯାଉନଥିବା କାରଣୁ ପ୍ରବଳ ଗରମ ଓ ଗୁଳୁଗୁଳିରେ କର୍ମଚାରୀମାନେ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ସେଠାରେ ଲୋକଙ୍କ ବସିବା ଦୂରେ ଥାଉ ଚାଲିବାକୁ ମଧ୍ୟ ଯାଗା ନାହିଁ।
ଉକ୍ତ କୋଠାଘରର ବାରଣ୍ଡାରେ ଆଜବେଷ୍ଟସ ପକାଯାଇ ସେଠାରେ ଅର୍ବାନ ହୋମଗାର୍ଡସ୍ ଅଫିସ ଓ ପ୍ଲାଟୁନ କମାଣ୍ଡର କାର୍ଯ୍ୟାଳୟ ୧୯୭୬ ମସିହାରୁ ଚାଲିଛି। ଅଟକ ବ୍ୟକ୍ତିଙ୍କ ପାଇଁ ସ୍ଥାନର ଅଭାବ ଥିବା ଯୋଗୁଁ ସେମାନଙ୍କୁ ଥାନାର ଭିଏଚ୍ଏଫ୍ ଘର ଓ ରେକର୍ଡ ଗୃହ ମଧ୍ୟରେ ଥିବା ବାରଣ୍ଡାରେ ବସାଯାଉଥିବା ପରିଲକ୍ଷିତ ହୋଇଛି। ରାତିରେ ଡ୍ୟୁଟି କରୁଥିବା ମହିଳା ଅଫିସର ଓ କର୍ମଚାରୀଙ୍କ ପାଇଁ ଉକ୍ତ ଘର ମଧ୍ୟରେ କୌଣସି ପରିସ୍ରାଗାରର ବ୍ୟବସ୍ଥା ନାହିଁ। ଏହା ବ୍ୟତୀତ ମହିଳା ଓ ଶିଶୁଙ୍କ ପାଇଁ ଏଠାରେ କୌଣସି ସ୍ୱତନ୍ତ୍ର କକ୍ଷର ବ୍ୟବସ୍ଥା ନଥିବା ବେଳେ ଥାନା ପରିସରରେ ଥିବା ମୋ ସରକାର ରିସେପସନ କେନ୍ଦ୍ରକୁ ଏଥିଲାଗି ବ୍ୟବହାର କରାଯାଉଥିବା ସୂଚନା ମିଳିଛି। ଥାନା କର୍ମଚାରୀଙ୍କ ପାଇଁ ସରକାରୀ କ୍ୱାଟରର ଅଭାବ ଥିବା ବେଳେ ପରିତ୍ୟକ୍ତ ଓ ବିପଦସଂକୁଳ ଅବସ୍ଥାରେ ଥିବା ୬ଟି ପୁରୁଣା ଆଜବେଷ୍ଟସ ଘରେ କର୍ମଚାରୀମାନେ ବିପଦପୂର୍ଣ୍ଣ ଅବସ୍ଥାରେ ରହୁଥିବା ସୂଚନା ମିଳିଛି। ଗତ ନବକଳେବର ସମୟରେ ଏଠାରେ ୨ମହଲା ବିଶିଷ୍ଟ ଅତ୍ୟାଧୁନିକ ବାରାକ ନିର୍ମାଣ କରାଯାଇଥିବା ବେଳେ ସେଠାରେ କେବଳ ପୁଲିସ ଫୋର୍ସ ରହୁଛନ୍ତି। ଏହି ଥାନା ପରିସରରେ ଥିବା ମାଲଖାନା ମଧ୍ୟ ବିପଦସଂକୁଳ ଅବସ୍ଥାରେ ରହିଥିବା ସୂଚନା ମିଳିଛି। ଉକ୍ତ ଘରର ଛାତରୁ ପାଣି ଗଳୁଥିବା ବେଳେ କିଛି ବର୍ଷ ଅନ୍ତରରେ ପୂର୍ତ୍ତ ବିଭାଗ ପକ୍ଷରୁ ଛାତ ଉପରେ ସିମେଣ୍ଟ ଢଳେଇ ଦିଆଯାଇ ଏହାର ମରାମତି କରାଯାଉଛି। ଥାନା କାର୍ଯ୍ୟାଳୟ ଛାତରୁ ମଧ୍ୟ ପାଣି ଗଳୁଥିବା ବେଳେ ପ୍ରତି ବର୍ଷେ ଦୁଇବର୍ଷ ଅନ୍ତରରେ ଏହି ଛାତର ମରାମତି କରାଯାଉଥିଲେ ମଧ୍ୟ କିଛି ଦିନ ପରେ ଏହା ପୂର୍ବଅବସ୍ଥାକୁ ଫେରି ଆସୁଥିବା ଅଭିଯୋଗ ହୋଇଛି। ଏହି ଥାନାର ରୁପାନ୍ତରିକରଣ ଓ ପୁନର୍ଦ୍ଧାର ଦିଗରେ ଉଭୟ ପ୍ରଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବକୁ ଲୋକେ ଦାୟୀ କରିଛନ୍ତି। ତେବେ ଜିଲାର ଏକ ପ୍ରମୁଖ ଓ ପୁରାତନ ଥାନା ଭାବେ ପରିଚିତ ଏହି ବ୍ରିଟିଶ ଅମଳର ପିପିଲି ଥାନାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏ୍ୟତିହ୍ୟ ଥାନାର ମାନ୍ୟତା ପ୍ରଦାନ କରାଯିବା ସହ ଏହାର ପୁନରୁଦ୍ଧାର ଓ ରୁପାନ୍ତରିକରଣ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଇଛି।



