ନର୍ଲା: ଦୀର୍ଘ ଦୁଇ ଦଶନ୍ଧି ଧରି ଲାଞ୍ଜିଗଡ଼ ବ୍ଲକର କିଛି ଗାଁରୁ ଜୀବନ ଜୀବିକା ପାଇଁ କୁରମେଲ ପଞ୍ଚାୟତ ସିଆଲମାଲ ଜଙ୍ଗଲ ଜମି ଉପରେ କିଛି ଆଦିବାସୀ ପରିବାର ବାସ କରିବା ଆରମ୍ଭ କରିଥିଲେ। କୋଡ଼ିଏ ବର୍ଷ ପରେ ମଧ୍ୟ ସିଆଲମାଲ ପଦର ରାଜସ୍ଵ ଗ୍ରାମର ମାନ୍ୟତା ପାଇପାରି ନାହିଁ। ୨୦୧୧ରେ ଜଙ୍ଗଲ ଜମିରେ ଘର ତିଆରି କରିଥିବା ଯୋଗୁଁ କିଛି ବ୍ୟକ୍ତିଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡ଼ିଥିଲା। ଆଜି ପର୍ଯ୍ୟନ୍ତ ବାସ କରୁଥିବା ଉକ୍ତ ଜମି ଉପରେ ସେମାନଙ୍କ ମାଲିକାନା ଅଧିକାର ମିଳିପାରି ନାହିଁ କି ସେମାନଙ୍କୁ ସ୍ଥାୟୀ ଥଇଥାନ କରାଯାଇ ପାରିନାହିଁ। ଗାଁରେ ମୋଟ ଷାଠିଏ ପରିବାରର ଦୁଇଶହରୁ ଅଧିକ ବାସିନ୍ଦା ଥିଲେ ହେଁ ସରକାରୀ ସୁବିଧା କହିଲେ କେବଳ ରାସନ୍ କାର୍ଡ ହିଁ ସେମାନଙ୍କ ଭରସା ହୋଇ ଆସୁଛି। ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ବିଜୁଳି ଏମାନଙ୍କ ପାଇଁ ସାତସପନ ହୋଇ ରହିଛି। ବନ ବିଭାଗର ଜମି ହୋଇଥିବାରୁ ସେଠାରେ ନଳକୂପ ଖୋଳିବାକୁ ଅମଙ୍ଗ ହେଉଛି ପ୍ରଶାସନ। ଜଙ୍ଗଲ ଭିତରେ କିଛି ସମତଳ ଭୂମି ଦେଖି କପା, କାନ୍ଦୁଲ, ମାଣ୍ଡିଆ ଆଦି ଚାଷ କରୁଥିବା ସହ ଋତୁ ଅନୁସାରେ ଝାଡୁ, ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରି ଜୀବିକା ନିର୍ବାହ କରିଆସୁଛନ୍ତି। ନିକଟସ୍ଥ ରାଜସ୍ବ ଗ୍ରାମ ତେର୍ଲୋ ର ଏକ ୱ।ର୍ଡ ରେ ଏମାନେ ଭୋଟ ଦେଇ ଆସୁଛନ୍ତି।
ସରକାରୀ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ ହେଉଥିଲେ ବି ନିର୍ବାଚନ ମାନଙ୍କରେ ଶତପ୍ରତିଶତ ମତଦାନ କରି ଏମାନେ ଜଣେ ଜଣେ ସଚେତନ ନାଗରିକର କର୍ତ୍ତବ୍ୟ ସମ୍ପାଦନ କରି ଆସୁଛନ୍ତି। ନଇ ନାଳ ଦେଇ ଜଙ୍ଗଲି ରାସ୍ତା ହିଁ ଏମାନଙ୍କ ନିତିଦିନିଆ ଯୋଗାଯୋଗର ମାଧ୍ୟମ ସାଜିଛି। ଅଳ୍ପ ବର୍ଷାରେ ଜଙ୍ଗଲି ନାଳ ଗୁଡିକ ଯୋଗୁଁ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ। ଗାଁରେ ସ୍କୁଲ ନାହିଁ, ଅଙ୍ଗନବାଡ଼ି କେନ୍ଦ୍ର ନାହିଁ, ନଳକୂଅ ନାହିଁ, ସ୍ଵାସ୍ଥ୍ୟ ସେବା କଥା ନ କହିବା ଭଲ। ଗାଁର ବାର ଜଣ ପିଲା ତେର୍ଲୋ ପ୍ରାଥମିକ ବିଦ୍ୟାଳୟରେ ପଢନ୍ତି। ଜଙ୍ଗଲି ରାସ୍ତା ଦେଇ ବିପଦଜନକ ଭାବରେ ଯିବା ଆସିବା ସେମାନଙ୍କ ପାଇଁଁ କେବେହେଲେ ନିରାପଦ ହୋଇନାହିଁ। ପିଇବା ପାଇଁ ଗାଁରୁ ଅଧ କିଲୋମିଟର ଜଙ୍ଗଲ ଭିତରେ ଥିବା ଏକ କୂଅ ହିଁ ଏମାନଙ୍କ ଭରସା। ଗତ ୨୦୧୧ରେ ଡାଇରିଆ ଯୋଗୁଁ ଜିଲ୍ଲାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ସିଆଲମାଲ। ରାଜସ୍ୱ ଗ୍ରାମର ମାନ୍ୟତା ନାହିଁ ବୋଲି ରାସ୍ତା, ବିଜୁଳି, ନଳକୂଅ ଠାରୁ ଆରମ୍ଭ କରି ଆବାସ ଯୋଜନା ପରି ସାମାଜିକ ସୁରକ୍ଷା ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ ହୋଇରହିଛି।
ଆଦିବାସୀ ନେତା ଦୂର୍ଯ୍ୟୋଧନ ମାଝୀ କୁହନ୍ତି ନର୍ଲା ସମେତ ଲାଞ୍ଜିଗଡ଼ ଓ ମଦନପୁର ରାମପୁର ବ୍ଲକରେ ଅନ୍ୟୁନ ୧୬୦ ଏଭଳି ପଦର(ଅଣ ରାଜସ୍ବ) ଗ୍ରାମ ରହିଛି। ରାଜସ୍ବ ଗ୍ରାମର ମାନ୍ୟତା ନଥିଲେ ହେଁ ସେହି ଗ୍ରାମ ଗୁଡିକରେ ସରକାରୀ ଯୋଜନାରେ ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ହେଲେ ସିଆଲମାଲ ଠାରେ ଏସବୁ ଯୋଜନା ପାଇଁ ଏତେ ପ୍ରତିବନ୍ଧକ କାହିଁକି ରହିଛି। ଜୀବନ ଏଠାରେ ଦୁର୍ବିସହ ହୋଇପଡ଼ିଛି। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବିଡ଼ିଓ, ଜିଲ୍ଲାପାଳ, ନେତା ମନ୍ତ୍ରୀ ଆଦି ବିଭିନ୍ନ ସ୍ତରରେ ଏମାନେ ଅଭିଯୋଗ, ଗୁହାରି, ନେହୁରା, ଦାବି ଆଦି କରି ଆସୁଥିଲେ ହେଁ ଏହି ନିରୀହ ଆଦିବାସୀଙ୍କ ସମସ୍ୟା ପୂର୍ବବତ୍ ରହିଛି। ଅପରନ୍ତୁ କିଛି କୁଜିନେତା ଓ ଗାଁ ଟାଉଟର ଏମାନଙ୍କ କାମ କରେଇ ଦେବା ବାହାନାରେ ଏମାନଙ୍କୁ ଲୁଟ କରି ଚାଲିଛନ୍ତି। ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଚାଲିଛି, ପିଇବା ପାଣି ପାଇଁ ଏମାନଙ୍କ ସମସ୍ୟା ଦେଖିଲେ ହିଁ ଅନୁଭବ କରିହେବ। ପ୍ରତି ବର୍ଷ ପଂଚାୟତ ତରଫରୁ ଟ୍ୟାଙ୍କର୍ ଯୋଗେ ଖରା ଦିନେ ପାଣି ଯୋଗାଇ ଦିଆଯାଏ। ଏବର୍ଷ ତାହାବି ହେଲା ନାହିଁ। ପିଇବା ପାଣି ପାଇଁ ବିଡ଼ିଓଙ୍କୁ ଗାଁ ଲୋକେ ଗୁହାରି କରିଥିଲେ, ଗାଁ ଲୋକଙ୍କ କହିବାନୁଯାୟୀ ସେମାନେ କେବଳ ପ୍ରତିଶ୍ରୁତି ପାଇଛନ୍ତି ପାଣି କେବେ ପାଇବେ ତାହା ଭଗବାନଙ୍କୁ ଜଣା। ଜଳ ଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ ଏବିଷୟରେ ପଦକ୍ଷେପ ନେବେ ବୋଲି ନର୍ଲା ବିଡ଼ିଓ ଆଶ୍ଵାସନା ଦେଇଥିବା ଗାଁ ଲୋକେ କୁହନ୍ତି।



