ସମ୍ବଲପୁର: ସମ୍ବଲପୁରରେ ଗତ ଏପ୍ରିଲ ମାସରେ ହନୁମାନ ଜୟନ୍ତୀ ଉତ୍ସବ ପାଇଁ ଆୟୋଜିତ ମୋଟର ସାଇକେଲ ରାଲି ଉପରକୁ ଟେକା ମାଡ ଓ ମାରଣାସ୍ତ୍ରରେ ଆକ୍ରମଣ ଘଟଣା ପରେ ହୋଇଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟଣାରେ ୫୦ରୁ ଉର୍ଦ୍ଧ ହନୁମାନ ଜୟନ୍ତୀ କାର୍ଯ୍ୟକର୍ତ୍ତା ଏବେ ମଧ୍ୟ ଜେଲରେ ରହିଛନ୍ତି। ସେମାନଙ୍କ ନାମରେ ଗୋଟିଏ ପରେ ଗୋଟିଏ ମାମଲା ଦିଆଯାଉଥିବାର ଅଭିଯୋଗ ହୋଇ ଆସୁଥିବା ବେଳେ ମଙ୍ଗଳବାର ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ଆବାହକ ସମୀର ରଞ୍ଜନ ବାବୁ, ଶିଶିର ବହିଦାର, ଜୟବ୍ରତ ଦେ, ତପନ ପଟ୍ଟନାୟକ ଓ ସରୋଜ ଘଡେଇ ଙ୍କ ନାମରେ ଧନୁପାଲି ଥାନରେ ଗତ ଏପ୍ରିଲ ୧୫ ତାରିଖରେ ରୁଜୁ ହୋଇଥିବା ମାମଲା ସଂଖ୍ୟା ୧୨୭/୨୦୨୩ ମାମଲାକୁ ଟ୍ୟାଗ କରାଯାଇଛି। ମଙ୍ଗଳବାର ଏହି ମାମଲାରେ ସମିତିର ୫ ଜଣ ସଦସ୍ୟଙ୍କୁ ଟ୍ୟାଗ କରାଯାଇ ମାନ୍ୟବର ଅଦାଲତ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ଏହି ମାମଲାରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ପୁର୍ନବାର ଜେଲ ହାଜତକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଗତ ହନୁମାନ ଜୟନ୍ତୀ ଉତ୍ସବ ଅବସରରେ ହୋଇଥିବା ମୋଟର ସାଇକେଲ ରାଲି ସମୟରେ ଶୋଭାଯାତ୍ରାକାରୀ ଙ୍କ ସମେତ ପୁଲିସକୁ ମାଡ ହୋଇଥିବା ବେଳେ ଉକ୍ତ ଘଟଣାକୁ ନେଇ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଆଜି ପର୍ଯ୍ୟନ୍ତ ହୋଇ ନ ଥିବା ସହରବାସୀ ଅଭିଯୋଗ କରୁଛନ୍ତି। ଅପରପକ୍ଷରେ ବ୍ୟାପକ ପୁଲିସ ମୃତୟନ ସତ୍ୱେ ହୋଇଥିବା ହିଂସାକାଣ୍ଡ ଏବଂ ଏହା ପରେ ସୃଷ୍ଟି ହୋଇଥିବା ଉତ୍ତେଜନାପୁର୍ଣ୍ଣ ସ୍ଥିତିକୁ ସୁଧାରିବା ପାଇଁ ପ୍ରଶାସନ ତରଫରୁ ୧୪ ତାରିଖ ମଧ୍ୟରାତ୍ରରୁ ୩୦ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ କର୍ଫ୍ୟୁ ବଳବତ୍ତର ରହିଥିଲା। ଏଥି ସହ ୧୦ ଦିନରୁ ଉର୍ଦ୍ଧ ସମୟ ଧରି ଇନ୍ଟରନେଟ ସେବା ମଧ୍ୟ ବନ୍ଦ ରହିଥିଲା।
Popular Categories



