QNETIC – Mobile

ଶିଶୁ ଯତ୍ନ କେନ୍ଦ୍ର ଅନ୍ତେବାସୀ ମଧୁବାବୁ ଭତ୍ତା ପାଇବାରୁ ବଞ୍ଚିତ ଘଟଣା, ରିପୋର୍ଟ ମାଗିଲେ ମାନବାଧିକାର କମିଶନ

ଗୋପାଳପୁର: ଏଚ୍‌ଆଇଭି ସଂକ୍ରମିତ ମାତା-ପିତାଙ୍କ ଠାରୁ ଜନ୍ମିତ ଅନାଥ ଶିଶୁଙ୍କୁ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ଥିବା ଶ୍ରଦ୍ଧା ସଞ୍ଜୀବନୀ ଆବାସିକ ଶିଶୁଯତ୍ନ କେନ୍ଦ୍ରରେ ଥଇଥାନ କରାଯାଉଛି। ଏହି କେନ୍ଦ୍ରରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରାୟ ୫୭ଜଣ ଏଚ୍‌ଆଇଭି ସଂକ୍ରମିତ ଶିଶୁ ରହୁଛନ୍ତି। କିନ୍ତୁ ଏଠାରେ ରହୁଥିବା ୮ ଜଣ ଅନ୍ତେବାସୀ ମଧୁବାବୁ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି।ଅନ୍ତେବାସୀଙ୍କୁ ମଧୁବାବୁ ପେନ୍‌ସନ୍‌ ପ୍ରଦାନ କରିବା ପାଇଁ ଶିଶୁ ଯତ୍ନ କେନ୍ଦ୍ରର ଅଧିକାରୀଙ୍କ ପକ୍ଷରୁ ଆବଶ୍ୟକ କାଗଜପତ୍ର‌ ବିଭାଗୀୟ ପଦାଧିକାରୀଙ୍କ ଠାରେ ଦାଖଲ କରିଥିବା ସତ୍ତ୍ୱେ ସେମାନଙ୍କୁ ଭତ୍ତା ମିଳି ପାରିନଥିବା ନେଇ ମାନବାଧିକାର କର୍ମୀ ରବିନ୍ଦ୍ର ମିଶ୍ରଙ୍କ ପକ୍ଷରୁ ଓଡ଼ିଶା ମାନବାଧିକାର କମିଶନଙ୍କ ଠାରେ ଏକ ପିଟିସନ ଗତ ଜୁନ ମାସରେ ଦାଖଲ କରାଯାଇଥିଲା।

ଏହି ପିଟିସନକୁ ଆଧାର କରି ଓଡ଼ିଶା ମାନବାଧିକାର କମିଶନଙ୍କ ପକ୍ଷରୁ ଗତ ଜୁଲାଇ ୩ ତାରିଖରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭତ୍ତା ପ୍ରଦାନରେ ବିଳମ୍ବ ଘଟଣା ନେଇ ଉପଯୁକ୍ତ ତଦନ୍ତ କରିବା ସହ ଆସନ୍ତା ଅକ୍ଟୋବର ୧୬ ତାରିଖରେ କମିଶନଙ୍କ ଠାରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ସୂଚନାଯୋଗ୍ୟ ଯେ ଉକ୍ତ ଶିଶୁ ଯତ୍ନ କେନ୍ଦ୍ରରେ ଏହି ଶିଶୁଙ୍କ ପାଠପଢ଼ା ଓ ଖାଇବା ରହିବା ସହିତ ସମସ୍ତ ପ୍ରକାର ଯତ୍ନ ରାଜ୍ୟ ସରକାର ବହନ କରୁଛନ୍ତି। ମାତା-ପିତା ଏଚ୍‌ଆଇଭି ପଜିଟିଭ୍‌ ହେବାର ପରବର୍ତ୍ତୀ ସମୟରେ ଗର୍ଭସ୍ଥ ଶିଶୁ ମଧ୍ୟ ସଂକ୍ରମିତ ହୋଇଥାଏ। ଏଚ୍‌ଆଇଭି ସଂକ୍ରମିତ ମାତା-ପିତାଙ୍କ ମୃତ୍ୟୁ ପରେ ଶିଶୁଟି ଅନାଥ ହୋଇ ଯାଇଥାଏ। ଏଭଳି ଅନାଥ ଶିଶୁଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟ ନେଇ ଗୋପାଳପୁର ଠାରେ ଶ୍ରଦ୍ଧା ସଞ୍ଜୀବନୀ ଶିଶୁଯତ୍ନ ଗୃହ ଆରମ୍ଭ କରା ଯାଇଥିଲା। ପୂର୍ବତନ ଗଞ୍ଜାମ ଜିଲ୍ଲାପାଳ ତଥା ବର୍ତ୍ତମାନର ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍‌ଙ୍କ ଉଦ୍ୟମ କ୍ରମେ ଗତ ୨୦୦୭ରେ ଶ୍ରଦ୍ଧା ସଞ୍ଜୀବନୀ ପ୍ରତିଷ୍ଠା ହୋଇଥିଲା। ଏଠାରେ ଗଞ୍ଜାମ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ଏଚ୍‌ଆଇଭି ସଂକ୍ରମିତ ଅନାଥ ଶିଶୁଙ୍କ ଯତ୍ନ ନିଆଯାଉଛି। ୬ରୁ ୧୮ବର୍ଷ ବୟସ ଭିତରେ ରହିଥିବା ପିଲାମାନଙ୍କୁ ଏଠାରେ ମାଗଣାରେ ଶିକ୍ଷା, ସ୍ବାସ୍ଥ୍ୟ, ଗୃହ ସହିତ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି। ଏହା ସହ ସାମାଜିକ ସୁରକ୍ଷା ଯୋଜନାରେ ଏଠାରେ ରହୁଥିବା ଶିଶୁଙ୍କୁ ମଧୁବାବୁ ପେନସନ୍‌ ଯୋଜନାରେ ସାମିଲ କରାଯାଇଛି। ପ୍ରତ୍ୟେକ ଅନ୍ତେବାସୀଙ୍କୁ ମାସିକ ୫ଶହ ଟଙ୍କା ପେନ୍‌ସନ୍‌ ଦିଆ ଯାଇଥାଏ। ଏହି ଟଙ୍କା ଅନ୍ତେବାସୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଥାଏ। କିନ୍ତୁ ୮ ଜଣ ଶିଶୁ ଦୀର୍ଘ ମାସ ଧରି ଏହି ପେନ୍‌ସନ୍‌ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ୮ ଜଣ ଶିଶୁ ଗତବର୍ଷ ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାରୁ ଏହି ଶିଶୁଯତ୍ନ ଗୃହକୁ ଆସିଥିଲେ। ଶ୍ରଦ୍ଧା ସଞ୍ଜୀବନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନ୍ତେବାସୀଙ୍କ ତାଲିକା ପ୍ରସ୍ତୁତ କରି ଫେବ୍ରୁଆରି ମାସରୁ ଗଞ୍ଜାମ ଡିଏପିୟୁସିର ଡିପିଏମ୍‌ ନିକଟରେ ଦାଖଲ କରିଥିଲେ। ଏହା ସହିତ ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷଙ୍କୁ ମଧ୍ୟ ଏହା ନେଇ ଅବଗତ କରାଯାଇଥିଲା। କିନ୍ତୁ ସେହି ଅନାଥ ଶିଶୁଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ ହୋଇପାରି ନଥିଲା। ଏଣୁ ଏହି ଘଟଣା ନେଇ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଅନ୍ତେବାସୀଙ୍କ ନିମନ୍ତେ ପେନ୍‌ସନ୍‌ ସୁବିଧା କରିବାକୁ କିଛି ସାମାଜିକ କର୍ମୀ ଦାବି କରିଥିଲେ। କିନ୍ତୁ ଏଥିରେ ବିଳମ୍ବ ଘଟିଥିଲା। ଘଟଣା ନେଇ କେନ୍ଦ୍ର ପରିଚାଳନା ଦାୟିତ୍ୱରେ ରହିଥିବା ଅରୁଣା ସ୍ବେଛାସେବୀ ସଂଗଠନର ନିର୍ଦେଶକ ଲୋକନାଥ ମିଶ୍ରଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ବିଭାଗ ପକ୍ଷରୁ ୭ ଜଣ ଅନ୍ତେବାସୀଙ୍କୁ ଭତ୍ତା ପ୍ରଦାନ ନିମନ୍ତେ ସ୍ୱୀକୃତି ପତ୍ର ମିଳି ଯାଇଥିବା ବେଳେ ଆଗାମୀ ଦିନରେ ସେମାନେ ସେମାନଙ୍କ ଭତ୍ତା ପାଇ ପାରିବେ, କିନ୍ତୁ ଜଣେ ଅନ୍ତେବାସୀଙ୍କ କେଓ୍ବାଇସି ଅପଡେଟ ହୋଇ ପାରିନଥିବାରୁ ଟିକେ ବିଳମ୍ବ ହେବ।

Comments are closed.