ମୁମ୍ବଇ: ମହାରାଷ୍ଟ୍ରର ନାସିକ ମନମାଡ ଜଙ୍କସନରେ ଏକ ବିରଳ ଘଟଣା ଘଟିଛି। ଏଠାରେ ଟ୍ରେନକୁ ଅପେକ୍ଷା କରିଥିବା ୪୫ ଜଣ ଯାତ୍ରୀ ଜାଣି ଚକିତ ହୋଇଥିଲେ ଯେ ତାଙ୍କ ଟ୍ରେନ୍ ୯୦ ମିନିଟ୍ ପୂର୍ବରୁ ଷ୍ଟେସନରେ ପହଞ୍ଚିଥିଲା ଏବଂ ପାଞ୍ଚ ମିନିଟ୍ ରହି ପୁଣି ଆଗକୁ ଚାଲି ଯାଇଥିଲା। ଭାରତର ରେଳ ଇତିହାସରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି। ସାଧାରଣତଃ ଭାରତୀୟ ରେଳ ବିଳମ୍ବରେ ପହଞ୍ଚିବା ନେଇ ସର୍ବଦା ଚର୍ଚ୍ଚାରେ ଥାଏ। ତେବେ ଏହି ଘଟଣାକୁ ସହଜେ କେହି ବିଶ୍ବାସ କରିପାରୁ ନାହାନ୍ତି। ରେଲୱେର ଜଣେ ଅଧିକାରୀ କହିଛନ୍ତି, ଦିଲ୍ଲୀ ଯାଉଥିବା ଭାସ୍କୋଡିଗାମା-ହଜରତ ନିଜାମୁଦ୍ଦିନ ଗୋଆ ଏକ୍ସପ୍ରେସ ଗୁରୁବାର ସକାଳ ୯ଟା ୫ରେ ମନମାଡ ଷ୍ଟେସନରେ ପହଞ୍ଚିଥିଲା।
ତେବେ ମନମାଡରେ ପହଞ୍ଚିବାର ସଠିକ ସମୟ ୧୦ଟା ୩୫ ଥିଲା। ନିର୍ଦ୍ଧାରିତ ସମୟରୁ ୯୦ ମିନିଟ୍ ପୂର୍ବରୁ ହିଁ ଟ୍ରେନ ମନମାଡ ଷ୍ଟେସନରେ ପହଞ୍ଚିଥିଲା। ଟ୍ରେନ ଆଗୁଆ ପଳାଇ ଯାଇଥିବାରୁ ୪୫ ଜଣ ଯାତ୍ରୀ ଷ୍ଟେସନରେ ରହିଯାଇଥିଲେ। ଯାତ୍ରୀ ଏହା ଜାଣିବା ପରେ ଷ୍ଟେସନ ପରିଚାଳକଙ୍କ ନିକଟରେ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ଦାବି କରିଥିଲେ। ମଧ୍ୟ ରେଲୱେର ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି ଯେ ଏହା ରେଲୱେ କର୍ମଚାରୀଙ୍କ ଭୁଲରୁ ଘଟିଛି ଏବଂ ମାମଲାର ତଦନ୍ତ ଆରମ୍ଭ କରାଯାଇଛି। ପ୍ରଭାବିତ ଯାତ୍ରୀଙ୍କୁ ଗୀତଞ୍ଜଳି ଏକ୍ସପ୍ରେସରେ ପଠାଯାଇଛି। ଗୀତାଞ୍ଜଳି ଏକ୍ସପ୍ରେସ ରହଣି ନଥିବା ସତ୍ତ୍ୱେ ମନମାଡରେ ଅଟକାଯାଇଥିଲା।



