‘ସମାଜ’ ପ୍ରଭାବ – ବିଧାୟକଙ୍କ ପଦକ୍ଷେପ, ପିପିଲି ତହସିଲର ହେବ ରୁପାନ୍ତରିକରଣ

ପିପିଲି: ପୁରୀ ଜିଲାର ସବୁଠାରୁ ବ୍ୟସ୍ତବହୁଳ ତହସିଲ ଭାବେ ପରିଚିତ ପିପିଲି ତହସିଲ କାର୍ଯ୍ୟାଳୟର ଦୁରାବସ୍ଥା ସଂପର୍କରେ ‘ସମାଜ’ରେ ଖବର ପ୍ରକାଶ ପାଇବା ପରେ ଏହାର ପୁନରୁଦ୍ଧାର ଓ ରୁପାନ୍ତରିକରଣ ପାଇଁ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଏନେଇ ଭୁବନେଶ୍ୱର ସ୍ଥିତ ରାସ୍ତା ଓ ଗୃହ ନିର୍ମାଣ ବିଭାଗ (ଡିଭିଜନ୍‌‌-୨)ର ଅଧିକ୍ଷଣ ଯନ୍ତ୍ରୀଙ୍କୁ ପିପିଲି ତହସିଲ କାର୍ଯ୍ୟାଳୟର ମରାମତି, ପୁନର୍ଦ୍ଧାର ଓ ରୁପାନ୍ତରିକରଣ ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ପତ୍ର ଲେଖିଥିଲେ। ଏଥିସହ ରାଜସ୍ୱ ମନ୍ତ୍ରୀ ଓ ୱାର୍କସ ଡିପାର୍ଟମେଣ୍ଟ ମନ୍ତ୍ରୀଙ୍କୁ ମଧ୍ୟ ଏବାବଦରେ ଅବଗତ କରାଇ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।

ବିଧାୟକ ରୁଦ୍ରପ୍ରତାପଙ୍କ ପତ୍ର ଉପରେ ରାଜ୍ୟ ୱାର୍କସ ଡିପାର୍ଟମେଣ୍ଟ ମନ୍ତ୍ରୀ ଗୃହନିର୍ମାଣ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପିପିଲି ତହସିଲ କାର୍ଯ୍ୟାଳୟର ପୁନର୍ଦ୍ଧାର ଓ ରୁପାନ୍ତରିକରଣ ଦିଗରେ ତୁରନ୍ତ ସବିଶେଷ ପ୍ଲାନ (ଯୋଜନା) ଓ ଆନୁମାନିକ ମୂଲ୍ୟ ଅଟକଳ (ଏଷ୍ଟିମେଟ୍‌‌) କରି ତାହାକୁ ପୁରୀ ଜିଲାପାଳ ଓ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗଙ୍କ ନିକଟକୁ ଅର୍ଥ ଅନୁମୋଦନ ନିମନ୍ତେ ପଠାଇବା ପାଇଁ ରାଜ୍ୟ ୱାର୍କସ ଡିପାର୍ଟମେଣ୍ଟର ମୁଖ୍ୟ ଯନ୍ତ୍ରୀ ଓ ଅତିରିକ୍ତ ସଚିବ ଇଂ. ଏ.ଏନ୍‌‌ ଦାସ ଇତିମଧ୍ୟରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ (ଡିଭିଜନ୍‌‌-୨)ର ଅଧିକ୍ଷଣ ଯନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି।

Comments are closed.