ପଦ୍ମପୁର: ପଦ୍ମପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଦୟନୀୟ ଅବସ୍ଥାରେ ରହିଛି। ଅଳ୍ପ ବର୍ଷା ହେବା ମାତ୍ରେ ପ୍ରତ୍ୟେକ ପ୍ରକୋଷ୍ଠ ଛାତରୁ ଅନବରତ ପାଣି ଝରୁଛି। ଟିକିଏ ବର୍ଷା ହେଲେ ବିଇଓ କାର୍ଯ୍ୟାଳୟ ଭିତରେ ଛାତରୁ ପାଣି ଗଳି ଯାଉଛି। ଯାହା ଫଳରେ କର୍ମଚାରୀ ମାନେ କାମ କରିପାରୁ ନାହାନ୍ତି। ଲଘୁଚାପ ପ୍ରଭାବରେ ଗତ ୪ ଦିନ ହେଲା ବର୍ଷା ଲାଗି ରହିଥିବାରୁ ଛାତରୁ ବର୍ଷା ପାଣି ଝରି ପ୍ରକୋଷ୍ଠ ଗୁଡିକରେ ପାଣି ଜମି ରହୁଛି। ଏପରିକି ଛାତରୁ ପ୍ଲାଷ୍ଟର ଖସିବା ଯୋଗୁଁ ଅତି ବିପଦ ସଂକୁଳ ଅବସ୍ଥାରେ କାର୍ଯ୍ୟାଳୟ ପରିଚାଳିତ ହେଉଛି। ଉକ୍ତ କାର୍ଯ୍ୟାଳୟରେ ବିଇଓ ଓ ଏବିଈଓଙ୍କ ସମେତ ପଦ୍ମପୁର ବ୍ଲକର ୧୩ ଗୋଟି ପଞ୍ଚାୟତର ୮ଟି କ୍ଲଷ୍ଟର ୫ ଜଣ ସିଆରସିସି ଦୈନନ୍ଦିନ ସରକାରୀ କାଯ୍ୟ କରୁଛନ୍ତି। କିନ୍ତୁ ପ୍ରକୋଷ୍ଟ ଗୁଡିକରେ ପାଣି ଜମି ରହୁଥିବାରୁ କର୍ମଚାରୀ ମାନେ ବିପଦପୂର୍ଣ୍ଣ ଅବସ୍ଥାରେ କାଯ୍ୟ କରୁଛନ୍ତି। ଏହି ସମସ୍ୟା ବହୁ ବର୍ଷ ଧରି ଲାଗି ରହିଥିବା ବେଳେ ଏ ନେଇ ବହୁବାର ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।କିନ୍ତୁ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇନି । ଅନ୍ୟ ବିଭାଗ ପ୍ରତି ପ୍ରଶାସନ ଗୁରୁତ୍ୱ ଦେଉଥବା ବେଳେ ଶିକ୍ଷା ବିଭାଗ ପ୍ରତି କାହିଁକି ଏଭଳି କଠୋର ମନୋଭାବ ହେଉଛି ବୋଲି ପ୍ରଶ୍ନ ଉଠୁଛି। ବିପଦ ସଂକୁଳ ଅବସ୍ଥାରେ ଥିବା ବିଇଓ କାର୍ଯ୍ୟାଳୟ ମରାମତି ଦିଗରେ ଶିଘ୍ର ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ଶଵର, ଏବିଇଓ ସତ୍ୟ ନାରାୟଣ ନାୟକ, ଚନ୍ଦ୍ରସେନ ଲିମାଙ୍କୁ ପଚାରିବାରୁ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅବଗତ କରିଥିବା ସୂଚନା ଦେଇଛନ୍ତି।
Popular Categories



