ଫୁଲବାଣୀ: ଓଡିଶା ସରକାରୀ ମୋଟର କର୍ମଚାରୀ ସଂଘ କନ୍ଧମାଳ ଶାଖା ପକ୍ଷରୁ ଗୁରୁବାର ଜିଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅନେକ ଦିନରୁ ହୋଇ ଆସୁଥିବା ଦାବି ସରକାର ପୁରଣ ନ କଲେ ଆଗାମୀ ଦିନରେ ମୋଟର କର୍ମଚାରୀ (ଡ୍ରାଇଭର)ମାନେ ରାଜା ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଡ୍ରାଇଭରମାନେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଦୀର୍ଘ ଦିନରୁ କାମ କରି ଆସୁଛନ୍ତି। କେତେକ ୬ ବର୍ଷ ପୁରଣ କରିଥିବା ବେଳେ ଅନେକ ୨୦ରୁ ୨୫ ବର୍ଷ ହେଲା ସ୍ୱଳ୍ପ ପାରିଶ୍ରମିକ କାମ କରୁଥିବା ସହ ନିୟମିତ କରାଯାଉନାହିଁ ବୋଲି କହିଛି ଡ୍ରାଇଭର ସଙ୍ଘ। ପରିବାର ଚଳାଇବାରେ ବହୁ ଅସୁବିଧା ହେଉଛି। ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେବାରେ ବହୁ ହଇରାଣ ହେଉଛୁ। ଏ ନେଇ ବିଭାଗୀୟ ଅଧିକାରୀ ଏବଂ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଛି। ହେଲେ ଆମ କଥାକୁ ଗୁରୁତ୍ୱ ଦିଆଯାଉନାହିଁ। କରୋନା ସମୟରେ ଜୀବନକୁ ବାଜି ଲଗାଇ କାମ କରିଛୁ। ତଥାପି ଆମ ଦୁଃଖ ସରକାର ବୁଝିଲେ ନାହିଁ। ଆମେ ସରକାରଙ୍କୁ ଗୋଟିଏ ମାସ ସମୟ ଦେଉଛୁ। ଏହି ସମୟସୀମା ମଧ୍ୟରେ ସରକାର ଆମ ଦାବି ପୁରଣ ନ କଲେ, ଆମେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ସଂଘ ସଭାପତି ବବ୍ରୁବାହାନ ବେହେରା, ସମ୍ପାଦକ ଗୋଲଖ ବିହାରୀ ପଣ୍ଡା ପ୍ରକାଶ କରିଛନ୍ତି।



