ସମ୍ବଲପୁର: ଭାରତୀୟ ରେଡକ୍ରସ ସୋସାଇଟି ଓ ରାଜ୍ୟ ରେଡକ୍ରସ ସୋସସାଇଟିର ସହଯୋଗରେ ସ୍ଥାନୀୟ ଦଲେଇପଡ଼ା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ସମ୍ବଲପୁର ଜିଲା ରେଡକ୍ରସ ସୋସାଇଟି ଦ୍ୱାରା ୩ ଦିନ ହେଲା ଆୟୋଜିତ ଆପାତକଳୀନ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ସମ୍ବଲପୁର ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଡା. ମହେନ୍ଦ୍ର ନନ୍ଦ, ଅବସରପ୍ରାପ୍ତ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପଞ୍ଚାନନ ନାୟକ ଓ ଜିଲା ରେଡକ୍ରସ ସୋସାଇଟିର ସମ୍ପାଦକ ଜୟ ଜର୍ଜ ପ୍ରମୁଖ ଅତିଥି ରୂପେ ଉପସ୍ଥିତ ରହିଥିଲେ। ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ନେବା ପୂର୍ବରୁ ଆପାତକାଳୀନ ସେବା କିମ୍ବା ଚିକିତ୍ସା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ଅଟେ ବୋଲି ଅତିଥି ମାନେ କହିଥିଲେ।
ସାମ୍ପ୍ରତିକ ସ୍ଥିତିରେ ବିଭିନ୍ନ ଦୁର୍ଘଟଣା ପରେ ଡାକ୍ତରଖାନାକୁ ନେବା ପୂର୍ବରୁ ଅନେକ ବ୍ୟକ୍ତିଙ୍କ ମୃତ୍ୟୁବରଣ ହେଉଥିବାରୁ ଜିଲାରେ ଫାଷ୍ଟ ଏଡ (ଆପାତକାଳୀନ ଚିକିତ୍ସା ସହାୟତା) ତାଲିମ ଗୁରୁତ୍ୱ ବହନ କରୁଥିବାରୁ ଏହି ଶିବିର ଆୟୋଜିତ ହୋଇଥିଲା ବୋଲି ଉଦଯାପନୀ ଉତ୍ସବରେ ସୂଚନା ଦିଆଯାଇଥିଲା। ଏହି ଶିବିରରେ ରେଡକ୍ରସର ୩୨ ଜଣ ଆଜୀବନ ସଦସ୍ୟ ଓ ସଦସ୍ୟା ଯୋଗ ଦେଇଥିବା ବେଳେ କୌଣସି ଦୁର୍ଘଟଣା ହେବା ପରେ ଡାକ୍ତରଖାନା ନେବା ପୂର୍ବରୁ କିଭଳି ଜଣେ ବ୍ୟକ୍ତିକୁ ଆପାତକାଳୀନ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇ ତାର ଜୀବନ ରକ୍ଷା କରାଯାଇପାରିବ, ତାହା ଉପରେ ୩ ଦିନ ଧରି ତାଲିମ ପ୍ରଦାନ କରାଯାଇଥିଲା। ତାଲିମଦାତା ରୂପେ ସୁମନ୍ତ ଦ୍ୱିବେଦୀ ଓ ଲିଲାପୁର୍ଣ୍ଣ ତିର୍ଥ ସ୍ୱାଇଁ ତାଲିମ ପ୍ରଦାନ କରିଥିଲେ। ଶିବିରରେ ଅଂଶଗ୍ରହଣ କରିଥିବା ଶିବିରାର୍ଥୀ ମାନଙ୍କୁ ଜିଲା ରେଡକ୍ରସ ତରଫରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରେଡକ୍ରସର ପ୍ରମିଳା ବେହେରାଙ୍କ ସଂଯୋଜନାରେ ରେଡକ୍ରସ ସୋସାଇଟିର ସଦସ୍ୟ ମାନେ ସକ୍ରିୟ ସହାୟତା ପ୍ରଦାନ କରିଥିଲେ।



