ଗୁରୁଡ଼ିଝାଟିଆ: ଧବଳେଶ୍ୱରକୁ ମହାନଦୀରେ ସଂଯୋଗ କରୁଥିବା ଝୁଲାପୋଲ ବ୍ୟବହାର ଉପଯୋଗୀ ନହେବା ଫଳରେ ପ୍ରଶାସନ ପକ୍ଷରୁ ପ୍ରଭୂ ଧବଳେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ଅସ୍ଥାୟୀ ରାସ୍ତା ମହାନଦୀରେ ନିର୍ମିତ ହୋଇଥିଲା। ମହାନଦୀରେ ଅଧିକ ଜଳପ୍ରବାହିତ ହେବାରୁ ଆଜି ସକାଳୁ ଅସ୍ଥାୟୀ ରାସ୍ତା ଉପରେ ପ୍ରାୟ ୩ଫୁଟର ଜଳ ପ୍ରବାହିତ ହେଉଛି। ଫଳରେ ପ୍ରଭୂ ଧବଳେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନେ ଯାଇନପାରି ଫେରିଥିଲେ। ଘଟଣା ସଂପର୍କରେ ଖବର ପାଇ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଧବଳେଶ୍ୱରରେ ପହଞ୍ଚିଥିଲେ। ପରିସ୍ଥିତି ଅନୁଧ୍ୟାନ କରିବା ସହ ଅସ୍ଥାୟୀ ରାସ୍ତାରେ ମହାନଦୀର ଜଳକୁ ଦେଖିଥିଲେ। ଶ୍ରଦ୍ଧାଳୁମାନଙ୍କ ଦର୍ଶନ ଓ ମୁଣ୍ଡ ଉପରେ ଶ୍ରାବଣମାସ ଥିବାରୁ ଯେଭଳି ଶୀଘ୍ର ପ୍ରଭୂଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ।
ମହାନଦୀରେ ନିର୍ମିତ ହେଉଥିବା କଂକ୍ରିଟ ସେତୁ ବୁଲି ଦେଖିଥିଲେ। ଚୂଡାନ୍ତ ପର୍ଯ୍ୟାୟରେ ନିର୍ମାଣ କାର୍ଯ୍ୟ ପହଞ୍ଚିଛି। ତେଣୁ ଆସନ୍ତା ବୁଧବାର ଦିନ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ନୂତନ କରି ମହାନଦୀରେ ନିର୍ମିତ ହୋଇଥିବା କଂକ୍ରିଟ ସେତୁକୁ ଖୋଲାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଚଇନି ସମାଜକୁ କହିଥିଲେ। କଂକ୍ରିଟ ସେତୁ ଖୋଲାଯିବା ପରେ ପୀଠକୁ ସ୍ଥାୟୀ ସଂଯୋଗ ହୋଇଯିବ। ପ୍ରଭୂଙ୍କ ପଞ୍ଚକ ଓ ବଡଓଷା ଯାତ୍ରା ଓ ଅନ୍ୟାନ୍ୟ ପର୍ବପର୍ବାଣୀରେ ଏହି କଂକ୍ରିଟ ପୋଲି ଶ୍ରଦ୍ଧାଳୁଙ୍କ ଭିଡ ନିୟନ୍ତ୍ରଣ କରିବାରେ ସକ୍ଷମ ହେବ। ସେତୁ ଦେଇ ଶ୍ରଦ୍ଧାଳୁମାନେ ଯାଇ ପ୍ରଭୂଙ୍କ ଦର୍ଶନ କରିପାରିବେ। ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ଆଠଗଡ଼ ଭାରପ୍ରାପ୍ତ ଉପଜିଲ୍ଲାପାଳ ଦିପ୍ତିମୟୀ ବେହେରା, ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସ, ଜିଲ୍ଲା କାର୍ଯ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରିୟଦର୍ଶିନୀ ଜେନା, ଧବଳେଶ୍ୱର ପୂଜକ ସମିିତିର ସଭାପତି ବିଷ୍ଣୁଚରଣ ପତ୍ରୀ, ରବୀନ୍ଦ୍ର ପତ୍ରୀ, କୁଳମଣି ପତ୍ରୀ ଓ ଅନ୍ୟ ପୂଜକମାନେ ଉପସ୍ଥିତ ରହିଥିଲେ।



