ସମ୍ବଲପୁର: ସମ୍ବଲପୁରରେ ଚଳିତ ବର୍ଷାର ଋତୁରୁ ପ୍ରଥମ ବର୍ଷା ଗୁରୁବାର ରାତ୍ରିରେ ଆରମ୍ଭ ହୋଇଛି। ମୌସୁମୀ ଏବେ ସକ୍ରିୟ ହେଉଥିବାରୁ ଏହାର ପ୍ରଭାବରେ ବର୍ଷା ସମ୍ବଲପୁରରେ ବର୍ଷା ହେବା ଦ୍ୱାରା ଲୋକେ ମାସାଧିକାଳ ଅସହ୍ୟ ଗରମରୁ କିଛିଟା ତ୍ରାହି ପାଇଥିବା ବେଳେ କୁତ୍ରିମ ବନ୍ୟାକୁ ନେଇ ଜନତା ଆତଙ୍କିତ। ପ୍ରତି ବର୍ଷ ପ୍ରଶାସନ ବର୍ଷା ପୂର୍ବରୁ ପ୍ରାକ ପ୍ରସ୍ତୁତି ଓ ବିପର୍ଯ୍ୟୟ ପରିଚାଳନା ବୈଠକ ଆଦି କରି ପ୍ରହସନ କରୁଥିବା ବେଳେ କିନ୍ତୁ ଠିକ ସମୟରେ ସବୁ ଫେଲ ମାରିଥାଏ ଏବଂ ସମ୍ବଲପୁରବାସୀ କୁତ୍ରିମ ବନ୍ୟାରେ ଉବୁଡୁବୁ ହେବାକୁ ବାଧ୍ୟ ହୋଇଥାନ୍ତି। ଇତି ମଧ୍ୟରେ ବେଶ ପୂର୍ବରୁ ବର୍ଷା ପୂର୍ବରୁ ସହର ଯେଭଳି କୁତ୍ରିମ ବନ୍ୟାରେ ବୁଡି ନ ଯିବ, ସେଥିପାଇଁ ବାତାନୁକୂଳ କୋଠରୀରେ ବସି ବୈଠକ ହୋଇ ସାରିଛି। କିନ୍ତୁ ଏବେ ମଧ୍ୟ ବୈଠକରେ ନିଷ୍ପତ୍ତି ଅନୁଯାୟୀ, ସହରର ପ୍ରାୟତଃ ସମସ୍ତ ଅଞ୍ଚଳରେ ନାଳ ସଫେଇ ହୋଇ ନାହିଁ। ବିଭିନ୍ନ ସ୍ଥାନରେ ବର୍ଷ ବର୍ଷ ହେବ ନାଳ ସଫେଇ ହୋଇ ନ ଥିବାରୁ ନାଳ ଗୁଡିକର ଶହ ଶହ ଟ୍ରକ ବାଲି, ଗୋଡି ଓ ଆବର୍ଜନା ଜମି ରହିଛି। ଫଳରେ ଘରର ଆବର୍ଜନା ଜଳ ନିଷ୍କାସନ ପରେ ଗୁରୁବାର ରାତ୍ରି ଭଳି ଯଦି ସାମାନ୍ୟ ୧୫ ମିନିଟ ବର୍ଷା ହେଉଛି, ତାହା ହେଲେ ସମସ୍ତ ଅଞ୍ଚଳରୁ ବର୍ଷା ଜଳ ନିଷ୍କାସିତ ହୋଇ ନ ପାରି ରାଜରାସ୍ତାରେ ଗଡ଼଼ିବା ସହିତ ଘର ଓ ଦେବା ଦେବୀ ମନ୍ଦିର ଗୁଡିକୁ ପଶିଯାଉଛି।
ଗୁରୁବାର ରାତ୍ରିର ସାମାନ୍ୟ ବର୍ଷା ଯୋଗୁଁ ସହରର ତଳିଆ ଅଞ୍ଚଳ ମୁଦିପଡ଼ା, ପାଣିଟାଙ୍କି ପଡ଼ା, ଏ. ଏନ ଗୁହା ଲେନ, ଫାର୍ମ ରୋଡ, ରୋହିଦାସ ନଗର, ସମଲେଶ୍ୱରୀ କଲୋନୀ, କଲ୍ୟାଣ ନଗର, ଗୋପାଲମାଲ, ଚାରଭାଟି, କୁମ୍ଭାରପଡ଼ା, କାଳିବାଡି ଦଳେଇପଡ଼ା, ଲକ୍ଷ୍ମୀ ଟକିଜ ଛକ, ଭତରା, ଠେଲକୋପଡ଼ା ଆଦି ସହରର ବିଭିନ୍ନ ସ୍ଥାନ ଗୁଡିକରେ ଜଳ ତୁରନ୍ତ ଖଲାସ ହୋଇ ନ ପାରି ଜମି ରହୁଛି। ଯାହା ଫଳରେ ଲୋକେ ନାହିଁ ନ ଥିବାର ଅସୁବିଧା ଭୋଗ କରୁଛନ୍ତି। ଏବେ ମଧ୍ୟ ବର୍ଷା ଚାଲୁ ରହିଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଏଥିରୁ ସ୍ପଷ୍ଟ ରୁପେ ଜଣାପଡୁଛି ଯେ ମହାନଗର ନିଗମ ତଥା ଜିଲା ଓ ନିଗମ ପ୍ରଶାସନ କିଭଳି ଭାବରେ ବର୍ଷା ପୁର୍ବରୁ ପ୍ରାକ ପ୍ରସ୍ତୁତି କରିଛନ୍ତି। ବର୍ଷତମାମ ନାଳ ନର୍ଦ୍ଦମା ଯଦି ସଠିକ ଭାବରେ ସଫାସୁତୁରା କରି ରକ୍ଷଣାବେକ୍ଷଣ କରାଗଲେ ଏଭଳି ପରିସ୍ଥିତି ହୁଆନ୍ତା ନାହିଁ ବୋଲି ସହରବାସୀ ମତ ଦେଉଛନ୍ତି। କେବଳ ବର୍ଷା ଆସିଲେ ଚେତା ପଶିଥାଏ ଏବଂ। ଏହା ପରେ ଆରମ୍ଭ ହୋଇଯାଏ ବହୁ ଆଡମ୍ବରେ ଲଘୁକ୍ରିୟା ଭଳି ଭେଳିକି କାର୍ଯ୍ୟ ଦେଖାଇ ଜନତାଙ୍କୁ ଶାନ୍ତ୍ୱନା ଦେବାର ପ୍ରୟାସ ପ୍ରଶାସନ ପ୍ରତି ବର୍ଷ କରୁଛି ବୋଲି ଜନତା ଅଭିଯୋଗ କରୁଛନ୍ତି। ପ୍ରତି ବର୍ଷ ଏଭଳି ସ୍ଥିତି ଉପୁଜୁଥିବା ବେଳେ କିନ୍ତୁ ସରକାର, ଜନ ପ୍ରତିନିଧି, ଜିଲା ପ୍ରଶାସନ ଓ ମହାନଗର ନିଗମର ଚେତା ପଶୁ ନାହିଁ। ଯଦି ଜୁନ ମାସରୁ ସହରର ଏଭଳି ଅବସ୍ଥା ରହିଛି, ତାହା ହେଲେ ଜୁଲାଇ ଓ ଅଗଷ୍ଟ ମାସରେ ଯେତେବେଳେ ମୌସୁମୀ ସମ୍ପୁର୍ଣ୍ଣ ସକ୍ରିୟ ରହିବ, ସେହି ସମୟର କଥା ଚିନ୍ତା କରି ନିଗମବାସୀ ଏବେ ବେଶ ଆତଙ୍କିତ। ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଫଳପ୍ରଦ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ସହରବାସୀ ମନୁଷ୍ୟକୃତ ବନ୍ୟାରେ ସୁନିଶ୍ଚିତ ଭାବରେ ଭାସମାନ ହେବେ ବୋଲି ସହରବାସୀ ଙ୍କ ମଧ୍ୟରେ ମତ ପ୍ରକାଶ ପାଇବା ସହତି ଅସନ୍ତୋଷ ବ୍ୟକ୍ତ କରାଯାଉଛି।



