ପାତ୍ରପୁର: ନିଜର ୮ମାସର ଝିଅକୁ ଧରି ପାତ୍ରପୁର ବ୍ଲକ ଚିଡିପୁଡି ଗ୍ରାମର କାପଡ଼ା ଶ୍ରାବଣୀ ବୁଧବାର ଆତ୍ମହତ୍ୟା କରିବା ଘଟଣା ଖମ୍ବାରୀ ଗାଁ ଓ ଚିଡ଼ିପୁଡ଼ି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ବୁଧବାର ଶ୍ରାବଣୀ ଦୁଇ ସନ୍ତାନଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ନେଉଥିବା ସମ୍ପର୍କରେ ବୁଢ଼ୀ ମାଆଙ୍କୁ କହି ଯାଇଥିବା ବେଳେ ରେଳଧାରଣାରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ପାରିବାରିକ କଳିରୁ ଶ୍ରାବଣୀ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଥିବା ବେଳେ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ। ଇଚ୍ଛାପୁର ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଥିବା ୪ ବର୍ଷର ପୁଅ ଅସିତକୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଗୁରୁବାର ଶ୍ରାବଣୀଙ୍କ ବାପା ଘର ଖମ୍ବାରୀଗାଁ ଏବଂ ଶାଶୁ ଘର ଚିଡ଼ିପୁଡ଼ିଗାଁ ଲୋକେ ଇଚ୍ଛାପୁରରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପରେ ଶାଶୁ ଘର ଗ୍ରାମ ଚିଡ଼ିପୁଡିକୁ ଆଣିଥିଲେ। ପରେ ଚିଡ଼ିପୁଡ଼ିରେ ମାଆ-ଝିଅଙ୍କ ଶବ ଗୋଟିଏ ଜୁଇରେ ସତ୍କାର କରାଯାଇଥିଲା।
ଝିଅ ସହ ରେଳଧାରଣାରେ ଶ୍ରାବଣୀଙ୍କ ଆତ୍ମହତ୍ୟା କରିବା ଘଟଣା ୧୮ ବର୍ଷ ତଳ ଏକ ଘଟଣାର ପୁନରାବୃତ୍ତି ବୋଲି ଜଣାପଡିଛି। ୧୮ବର୍ଷ ତଳେ ନିଜର ସାନଝିଅକୁ ଧରି ଏହି ସ୍ଥାନରେ ହିଁ ମୃତା ଶ୍ରାବଣୀଙ୍କ ମାଆ କାପା ଡାଲମ୍ମା ଟ୍ରେନ ତଳେ ଆତ୍ମହତ୍ୟା କରିଥିଲଲ। ଶ୍ରାବଣୀଙ୍କ ବାପା କାପା ଉମାପତି କୋଡ଼ିଏ ବର୍ଷ ପୂର୍ବେ ଫେରାର ହୋଇଯାଇଥିଲେ। ଦୁଇ କନ୍ୟା ସନ୍ତାନ ଏବଂ ଶାଶୁଙ୍କ ସହ ଡାଲମ୍ମା ଖମ୍ବାରି ଗାଁରେ ରହୁଥିଲେ। ୧୮ ବର୍ଷ ପୂର୍ବେ ଶ୍ରାବଣୀ ଛୋଟ ଥିବା ବେଳେ ତାଙ୍କ ମାଆ ଡାଲମ୍ମା ୯ ମାସର ସାନଝିଅକୁ ଧରି ଆନ୍ଧ୍ରର ଏହି ସ୍ଥାନ(ଲୋଧାପୁଟି)ରେ ହିଁ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ସେତେବେଳେ ମଧ୍ୟ ମାଆ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଧବାର ଏହାର ପୁନରାବୃତ୍ତି ହୋଇଛି। ଝିଅ ସହ ଶ୍ରାବଣୀ ଆତ୍ମହତ୍ୟା କରିବା ଘଟଣା ଦୁଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ, ଶ୍ରାବଣୀଙ୍କ ସ୍ବାମୀ ଉପାଡ଼ା ଶ୍ୟାମା ରେଡ୍ଡୀ ଗତ ୫ମାସ ହେଲା ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇଛନ୍ତି।
ବୁଧବାର ରାତିରେ ଶ୍ରାବଣୀ ନିଜର ୮ମାସର ଝିଅ ଏବଂ ୪ବର୍ଷର ପୁଅକୁ ଧରି ଆନ୍ଧ୍ରର ଲୋଧାପୁଟି ନିକଟ ରେଳଧାରଣାରେ ଆତ୍ମହତ୍ୟା ପାଇଁ ଯାଇଥିବାବେଳେ ଏଥିରେ ଶ୍ରାବଣୀ ଓ ତାଙ୍କ ଝିଅର ମୃତ୍ୟୁ ହୋଇଯାଇଥିବାବେଳେ ଏଥିରୁ ୪ବର୍ଷର ପୁଅ ଅସିତ ବର୍ତ୍ତିଯାଇଥିଲେ।



