ସମ୍ବଲପୁର: ସମ୍ବଲପୁରରେ ବିଗତ ଦିନରେ ହୋଇଥିବା ହିଂସାକାଣ୍ଡ ପାଇଁ ପ୍ରଶାସନ ଦାୟୀ ବୋଲି ବଜରଙ୍ଗ ଦଳର ରାଷ୍ଟ୍ରୀୟ ସଂଯୋଜକ ନିରଜ ଦନୋରିଆ କହିଛନ୍ତି। ଶନିବାର ପୂର୍ବାହ୍ନରେ ସ୍ଥାନୀୟ ଭିଏସଏସ ମାର୍ଗ ସ୍ଥିତ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଶ୍ରୀ ଦନୋରିଆ ବିଭିନ୍ନ ବିଷୟରେ ବଜରଙ୍ଗ ଦଳର ମତ ରଖିଛନ୍ତି। ଗତ ଏପ୍ରିଲ ୧୨ ତାରିଖରେ ହନୁମାନ ଜୟନ୍ତୀ ଅବସରରେ ଘଟିତ ହିଂସାକୁ ଦୃଢ଼ ନିନ୍ଦା କରିବା ସହିତ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ। ପ୍ରଶାସନ ଓ ପୁଲିସର ଅବହେଳା ପାଇଁ ୧୪ ତାରିଖରେ ଏହି ହିଂସାକାଣ୍ଡ ବଡ ଓ ଉଗ୍ର ରୂପ ଧାରଣ କରିଥିଲା। ଏହି ଘଟଣାରେ ପୁଲିସ ଓ ପ୍ରଶାସନର ପକ୍ଷପାତିତା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ସେ ପ୍ରଶାସନକୁ ଏଥି ପାଇଁ ଦାୟୀ କରିଛନ୍ତି। ଏଣୁ ଏହି ଘଟଣାର ଉଚିତ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଦଣ୍ଡ ଯଦି ଦିଆ ନ ଯାଏ, ତାହା ହେଲେ ଆଗାମୀ ଦିନରେ ବଜରଙ୍ଗ ଦଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଶ୍ରୀ ଦନୋରିଆ ଚେତାଇ ଦେଇଛନ୍ତି।
ସମଗ୍ର ଦେଶରେ ଚାଲିଥିବା ଇସଲାମିକ ଆତଙ୍କବାଦ ଓ ଇସାଇ ମାନଙ୍କର ଧର୍ମାନ୍ତରିକରଣକୁ ନେଇ ସେ ଗଭୀର ଉଦବେଗ ପ୍ରକାଶ କରିଥିଲେ। ଏହାର ମୁକାବିଲା ପାଇଁ ବର୍ତ୍ତମାନ ଦେଶର ହିନ୍ଦୁ ମାନଙ୍କୁ ଏକଜୁଟ ହେବା ଆବଶ୍ୟକ ବୋଲି ସେ କହିଥିଲେ। ଦେଶରେ ବୃଦ୍ଧି ପାଉଥିବା ଲଭ ଜିହାଦ ତଥା ଇସ୍ଲାମିକ ଆତଙ୍କବାଦ ସହିତ ଦ୍ରୃତଗତିରେ ବୃଦ୍ଧି ପାଉଥିବା ଖ୍ରୀଷ୍ଟିୟାନ ଓ ଇସ୍ଲାମ ଧର୍ମାନ୍ତରିକରଣକୁ ପ୍ରତିହିତ କରିବା ପାଇଁ ବଜରଙ୍ଗ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥି ପାଇଁ ଦେଶର ୪୪ଟି ପ୍ରାନ୍ତରେ ବଜରଙ୍ଗ ଦଳ ପକ୍ଷରୁ ସୌର୍ଯ୍ୟ ଶିବିର ଗୁଡିକ ଆୟୋଜିତ ହେଉଛି। ଏହି କ୍ରମରେ ବିଗତ ଦିନରେ ଅତାବିରା ଠାରେ ଆୟୋଜିତ ସୌର୍ଯ୍ୟ ଶିବିରରେ ସେ ସାମିଲ ହୋଇଥିଲେ। ଏହି ଶିବିର ଗୁଡିକରେ ହିନ୍ଦୁ ଯୁବକ ମାନଙ୍କୁ ପ୍ରଶିକ୍ଷଣ ଦେଇ ବୌଦ୍ଧିକ ବିକାଶ ସହିତ ସାହାସୀ ଓ ପରାକ୍ରମୀ କରାଯାଉଛି। ଫଳରେ ହିନ୍ଦୁ ସମ୍ପ୍ରଦାୟ ଙ୍କୁ ଭୟମୁକ୍ତ ଜୀବନଯାପନ ତଥା ଲଭ ଜିହାଦର ଶିକାର ହେଉଥିବା ଯୁବତୀଙ୍କୁ ଉଦ୍ଧାର କରିବାକୁ ପ୍ରାଥମିକତା ଦିଆଯାଉଛି। ବିଗତ ଦିନରେ ହରିଦ୍ୱାରା ଠାରେ ଅନୁଷ୍ଠିତ ବଜରଙ୍ଗ ଦଳର ସମାବେଶରେ ଦେଶରେ ଥିବା ୪ ଲକ୍ଷରୁ ଉର୍ଦ୍ଧ ମନ୍ଦିର ମାନଙ୍କୁ ସରକାରଙ୍କୁ ନିୟନ୍ତ୍ରଣରୁ ମୁକ୍ତ କରିବା ପାଇଁ ଦାବି କରାଯାଇଛି। ହିନ୍ଦୁ ମନ୍ଦିର ମାନଙ୍କରୁ ସଂଗୃହିତ ପାଣ୍ଠିର ବିନିଯୋଗ କରି ମୁସଲମାନ ମୌଲବୀ, ଖ୍ରିଷ୍ଟିୟାନ ପାଦ୍ରୀ ମାନଙ୍କ ପାଇଁ ହେଉଥିବା ବିନିଯୋଗକୁ ରୋକିବା, ଦେଶରେ ଏକକ ନାଗରିକ ସଂହିତା ଆଇନ ଲାଗୁ କରିବା, ଗୋହତ୍ୟା ଓ ଧର୍ମାନ୍ତରିକରଣ ତଥା ଜନ୍ମ ନିୟନ୍ତ୍ରଣ ଲାଗୁ କରିବାକୁ ରହିଥିବା ଦାବି ଗୁଡିକୁ ପୁର୍ନବାର ଦୋହରାଯାଇଛି। ବିଗତ ଦିନରେ ହୋଇଥିବା ରେଳ ଦୁର୍ଘଟଣାରେ ପ୍ରଥମେ ବଜରଙ୍ଗ ଦଳର କର୍ମୀ ମାନେ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ସହିତ ରକ୍ତଦାନ, ରୋଗୀ ସେବା ଆଦି ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ବେଳେ ବଜରଙ୍ଗ ଦଳକୁ ବଦନାମ କରୁଥିବା ବିଭିନ୍ନ ସଙ୍ଗଠନ ଗୁଡିକ ମାନବିକତା ଦୃଷ୍ଟିରୁ ସେଠାକୁ ଯିବାକୁ ମଧ୍ୟ ଉଚିତ ମଣି ନ ଥିଲେ। ଏଣୁ ବଜରଙ୍ଗ ଦଳ ତାର ମୂଳ ଲକ୍ଷ୍ୟ ରାଷ୍ଟ୍ର ସେବା କାର୍ଯ୍ୟ ଜାରି ରଖିବ ବୋଲି ଶ୍ରୀ ଦନୋରିଆ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ ପଶ୍ଚିମ ପ୍ରାନ୍ତ ସୁଧିର ରଞ୍ଜନ ବହିଦାର, ବିଶ୍ୱ ହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ସଭାପତି ଡା. ରାଜକୁମାର ବଡପଣ୍ଡା ଓ ସହ ସମ୍ପାଦକ ରାଜୀବ ଶତପଥୀ ପ୍ରମୁଖ ମଞ୍ଚାସୀନ ରହିଥିଲେ।



