ଭୁବନେଶ୍ୱର : ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ବିଧିବଦ୍ଧ ଭାବେ ସୋମବାରରୁ ଆରମ୍ଭ ହୋଇଛି। ଦଳୀୟ ମୁଖ୍ୟାଳୟରେ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ପାଇଁ ଦଳ ପକ୍ଷରୁ ଏକ କମିଟି ମଧ୍ୟ ଗଠନ କରାଯାଇଛି। ଦେବୀ ମିଶ୍ରଙ୍କ ନେତୃତ୍ୱରେ କମିଟି ସଭ୍ୟ ସଂଗ୍ରହ ଅଭିଯାନକୁ ରାଜ୍ୟର ତୃଣମୂଳ ସ୍ତରକୁ ପହଞ୍ଚାଇବାର ଯୋଜନା ପ୍ରସ୍ତୁତ କରିଛି। ଗ୍ରାମାଞ୍ଚଳର ବିଭିନ୍ନ ୱାଡ଼ରେ ଲୋକଙ୍କୁ ଦଳ ସହ ଯୋଡ଼ିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ବିଜେଡ଼ି ଅଫ୍ ଲାଇନ ସହ ଅନ୍ ଲାଇନରେ ମଧ୍ୟ ସଭ୍ୟ ସଂଗ୍ରହ କରିବ। ପ୍ରାୟ ୧ କୋଟି ସଭ୍ୟ ସଂଗ୍ରହ ପାଇଁ ଦଳ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ପ୍ରତି ୱାର୍ଡ଼ରୁ ୪, ଏନଏସିରୁ ୫, ମ୍ୟୁନିସପାଲିଟିରୁ ୧୫ ଓ କର୍ପୋରେସନରୁ ୪୦ ଜଣ ସକ୍ରିୟ ସଦସ୍ୟ ରହିବେ। ପ୍ରତ୍ୟେକ ସକ୍ରିୟ ସଦସ୍ୟ ନିଜକୁ ମିଶାଇ ୨୫ ଜଣ ସଦସ୍ୟ ସଂଗ୍ରହ କରିବେ।



