ଗୁରୁଡ଼ିଝାଟିଆ: ଦୁନିଆ ଦେଖିନଥିବା ଓ ଜାଣିନଥିବା ୨ କୋମଳ ଶିଶୁଙ୍କ ଉପରେ ଦୁଃଖର ପାହାଡ ମାଡିବସିଛି। ମାଆ ବାପା ଆରପାରିକୁ ଚାଲିଯିବା ପରେ ଦିମୁଠା ଦିଓଳି ଖାଇବାକୁ ନପାଇ ଅତ୍ୟନ୍ତ ଦୁର୍ବିସହ ଜୀବନ ବିତାଉଛନ୍ତି ୨ କୋମଳମତି ଶିଶୁ। ଏଭଳି ଦୟନୀୟ ଚିତ୍ର ଦେଖିବାକୁ ମିଳେ ଆଠଗଡ଼ ବ୍ଲକ ଗୋବରା ପଞ୍ଚାୟତର ଓରିଙ୍ଗାବାଡି ଗାଁରେ। ଦାରାସିଂ ଗୁଇଆଁ (୧୦), ଇନ୍ଦ୍ର ଗୁଇଆଁ (୭) ଦୁଇଭାଇ। ବାପା ରୂପ ଗୁଇଆଁ (୩୮) ଯକ୍ଷ୍ମାରେ ପଡ଼ି ମୃତ୍ୟୁବରଣ କରିବାର ୫ ମାସ ପୁରିନି। ମାଆ ପାଲ ଗୁଇଆଁ (୩୨) ଗତ ୪ ଦିନ ତଳେ ମୃତ୍ୟୁବରଣ କରିଛି। ଫଳରେ କୋମଳମତି ଦୁଇଶିଶୁ ଉପରେ ଦଇବର ନିଷ୍ଠୁର ପ୍ରହାର ପଡ଼ିଛି। ଦୁଃଖର କଳାବାଦଲ ସେମାନଙ୍କ ଉପରେ ମାଡି ବସିଛି। ୪ ଦିନ ତଳେ ମରିଥିବା ମାଆକୁ ଝୁରି ହେଉଛନ୍ତି ଦୁଇଭାଇ।
ସମସ୍ତଙ୍କ ପରି ମାଆ ପାଲ ଓ ବାପା ରୂପ ଦୁଇଟି ସନ୍ତାନକୁ ଭଲ ମଣିଷ କରିବା ପାଇଁ ଗାଁ ବିଦ୍ୟାଳୟରେ ପାଠ ପଢ଼ାଇଥିଲେ। ସେମାନଙ୍କ ଆଖିରେ ଆଖିଏ ସପନ ଥିଲା ଦୁଇଭାଇ ଦିଅକ୍ଷର ପାଠ ପଢ଼ି ଭଲ ଓ ମଣିଷ ହେବେ। ଦାରା ୫ମ ଶ୍ରେଣୀରେ ପଢ଼ୁଥିବା ବେଳେ ସାନପୁଅ ଇନ୍ଦ୍ର ୨ୟ ଶ୍ରେଣୀରେ ପଢ଼ୁଅଛି। ଜନଜାତି ଅଧ୍ୟୁଷିତ ଓରିଙ୍ଗାବାଡିର ଦୁଇ ଭାଇ ଙ୍କ ଭବିଷ୍ୟତ କଣ ସତରେ ଆଉ ପ୍ରସ୍ପୁଟିତ ହେବ ନାହିଁ। ପଥର ତଲେ ଲୁଚି ରହିବ? ସରକାର ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବା ପାଇଁ ଦାବି ହୋଇଛି।



