ଗୁଣପୁର : ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଗଣେଷ ବିହାରଠାରେ ଭଡାଟିଆ ଘରେ ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟ ହୋଇଛି। ମୃତକ ରଶ୍ମି ରଞ୍ଜନୀ ବଡକୁମାର(୨୬ ବର୍ଷ) ବୋଲି ଜଣାପଡିଛି । ଏହାକୁ ଯୌତୁକ ଜନିତ ହତ୍ୟା ବୋଲି ରଶ୍ମିଙ୍କ ବାପା କୁଞ୍ଜ ବିହାରି ବଡକୁମାର ଅଭିଯୋଗ ଆଣିଛନ୍ତି । ଆଠ ମାସ ପୂର୍ବେ ଜଣେ ପୁଲିସ କନେଷ୍ଟବଳଙ୍କୁ ସେ ବିବାହ କରିଥିଲେ। ଘଟଣାସ୍ଥଳରେ ଗୁଣପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୁଚନା ମୁତାବକ ମୃତକ ନବବଧୂଙ୍କ ଘର ପାରଳାଖେମୁଣ୍ଡି ସହରର ବିଦ୍ୟାନଗର ବୋଲି ଜଣାପଡିଛି। ୩ ଜୁଲାଇ ୨୦୨୪ ତାରିଖରେ କୁଞ୍ଜ ବିହାରି ବଡକୁମାର ତାଙ୍କ ଝିଅ ରଶ୍ମିକୁ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଗ୍ରାମର ଶରତ ଚନ୍ଦ୍ର ମାଝୀଙ୍କ ପୁଅ ଦେବାଶିଶ ମାଝୀଙ୍କ ସହ ବିବାହ କରାଇଥିଲେ। ନବବଧୁ ଜଣକ ଜଣେ ପୋଷ୍ଟାଲ କର୍ମଚାରୀ ଥିବା ଜଣାପଡିଛି। ଝିଅକୁ ବିବାହ ଦେବା ପରଠୁ ଯୈାତୁକ ଜନିତ ନିର୍ଯାତନା ଦିଆାଯାଉଥିବା ନେଇ ମୃତକଙ୍କ ବାପା ଗୁଣପୁର ଥାନାରେ ଅଭିଯୋଗ କରିଛନ୍ତି । ମୃତକ ନବ ବଧୂର ଶବ ବ୍ୟବଛେଦ ନିମନ୍ତେ ଗୁଣପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା । ତେବେ ସାଇଣ୍ଟଫିକ ଦଳ ପହଞ୍ଚି ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଅତିରିକ୍ତ ଏସ: ପି ପ୍ରତୀକ କୁମାର ପଣ୍ଡା ସୂଚନା ଦେଇଛନ୍ତି । ଅଭିଯୋଗକୁ ଆଧାର କରି ଗୁଣପୁର ଥାନ କେସ ନଂ ୨୨/୨୦୨୫ ରେ ଏକ ଯୌତୁକ ଜନିତ ହତ୍ୟାକାଣ୍ଡ ହୋଇଥିବା ମାମଲା ରୁଜୁ କରି ମୃତ ରଶ୍ମିଙ୍କ ସ୍ବାମୀ ଓ ତାଙ୍କ ପିତା ମାତାକୁ ଅଟକ ରଖି ପଚରା ଉଚରା କରି ତଦନ୍ତ ଆରମ୍ଭ କରିଛି ପୁଲିସ । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଲୋକ ଲୋଚନକୁ ଆସିବ ବୋଲି ପୁଲିସ ସୂଚନା ଦେଇଛି ।



