ସମାଜ ଡିଜିଟାଲ ଡେସ୍କ: ଭାରତରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସଂଖ୍ୟା କିଛି କମ୍ ନୁହେଁ। ଛୋଟ କାମଠାରୁ ଆରମ୍ଭ କରି ବଡ଼ କାମ ପର୍ଯ୍ୟନ୍ତ, ସବୁଥି ପାଇଁ ଲାଞ୍ଚ ଦରକାର ପଡ଼ୁଛି। ଯେତେ ସଚେତନତା, ଯେତେ କାର୍ଯ୍ୟାନୁଷ୍ଠାନ ନିଆଗଲେ ବି ତାହା ଦୁର୍ନୀତିଖୋର ଅଧିକାରୀମାନଙ୍କ ପାଇଁ କମ୍ ପଡ଼ିଯାଉଛି। ହେଲେ ଏବେ ଦୁର୍ନୀତିର ଏକ ନୂଆ ଚେହେରା ସାମ୍ନାକୁ ଆସିଛି। ପୀଡ଼ିତ (ଲାଞ୍ଚ ଦେଉଥିବା ବ୍ୟକ୍ତି)ଙ୍କୁ ଯେପରି ଲାଞ୍ଚ ଅର୍ଥ ବୋଝ ଭଳି ନ ଲାଗିବ ସେଥିପାଇଁ ଲାଞ୍ଚୁଆ ଅଧିକାରୀମାନେ ଇଏମଆଇ (ସହଜ ମାସିକିଆ କିସ୍ତି) ସୁବିଧା ବି କରିସାରିଲେଣି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟରେ। ବ୍ୟାଙ୍କରେ କିସ୍ତି ଶୁଝିଲା ପରି ଲାଞ୍ଚୁଆ ଅଧିକାରୀମାନେ ଲାଞ୍ଚ ଅର୍ଥକୁ ପୀଡ଼ିତଙ୍କଠାରୁ କିସ୍ତି ଆକାରରେ ଆଦାୟ କରୁଛନ୍ତି।
ନିକଟରେ ଏକ ଜିଏସଟି ଠକେଇ ମାମଲାରେ ଜଣେ ବ୍ୟକ୍ତିଙ୍କଠାରୁ ୨୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରାଯାଇଥିଲା। ବ୍ୟକ୍ତି ଜଣକ ଏକକାଳୀନ ଏଥେ ଅର୍ଥ ଦେବାକୁ ଅସମର୍ଥ ହେବାରୁ ଲାଞ୍ଚୁଆ ଅଧିକାରୀ ତାହାକୁ ୧୧ଟି କିସ୍ତିରେ ଦେବାକୁ ଧାର୍ଯ୍ୟ କରିଥିଲେ। ୨ ଲକ୍ଷ ଟଙ୍କା ଲେଖାଏ ୧୦ଟି ଏବଂ ୧ ଲକ୍ଷ ଟଙ୍କାର ଗୋଟିଏ କିସ୍ତିରେ ଲାଞ୍ଚ ଦେବାକୁ ସ୍ଥିର ହୋଇଥିଲା।
ସେହିପରି ଆଉ ଏକ ଘଟଣାରେ ଜଣେ ଉପସରପଞ୍ଚ ଏବଂ ତାଲୁକା ପଞ୍ଚାୟତ ସଦସ୍ୟ ଗ୍ରାମର ଜଣେ ଚାଷୀଙ୍କ କୌଣସି କାର୍ଯ୍ୟ କରାଇଦେବା ପାଇଁ ୮୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଚାଷୀ ଜଣକ ଏକକାଳୀନ ଅର୍ଥ ଦେବାକୁ ଅସମର୍ଥ ଥିବାରୁ ୩ଟି କିସ୍ତିରେ ତାହା ପଇଠ କରିବାକୁ କୁହାଯାଇଥିଲା।
ନିଟକରେ ୨ ଜଣ ପୁଲିସ କର୍ମଚାରୀ ୪ ଲକ୍ଷ ଟଙ୍କା ଲାଞ୍ଚ ଅର୍ଥ ନେଇ ଫେରାର ହୋଇଯାଇଥିବା ଖବର ସାମ୍ନାକୁ ଆସିଥିଲା। ଏହାର ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ଏହି ୪ ଲକ୍ଷ ମୋଟ ୧୦ ଲକ୍ଷ ଟଙ୍କା ଲାଞ୍ଚ ଅର୍ଥର ପ୍ରଥମ କିସ୍ତି।
ଦୁର୍ନୀତି ନିର୍ବାରଣ ବ୍ୟୁରୋ (ଏସିବି)ର ଜଣେ ବରିଷ୍ଠ ଅଧିକାରୀ ଗୁଜରାଟରେ ଏଭଳି ଘଟଣା ବୃଦ୍ଧି ପାଉଥିବା କହିଛନ୍ତି। ସେ କହିଛନ୍ତି, ଚଳିତବର୍ଷ ମେ ମାସ ସୁଦ୍ଧା ଏପରି ୧୦ଟି ଘଟଣା ସାମ୍ନାକୁ ଆସିଛି। ଯେପରି ଜଣେ ବ୍ୟକ୍ତି ପାଖରେ ଅର୍ଥ ନ ଥିଲେ ବ୍ୟାଙ୍କରୁ ଋଣ ନେଇ କାର୍ କିଣୁଛି କିମ୍ବା ଘର ତିଆରି କରୁଛି, ଠିକ୍ ସେହିପରି ଅଧିକାରୀମାନେ ସମାନ ପନ୍ଥା ଆପଣାଉଛନ୍ତି।



