ଚୀନ୍‍କୁ ପାନେ : ନୂଆ ସମୀକରଣର ସମ୍ଭାବନା

ଭାରତ ସରକାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ନୀତିରେ ସମୟୋପଯୋଗୀ ସଂଶୋଧନ ଆଣିଛନ୍ତି। ଚୀନ୍‍ର ଆଧୁନିକ ଉପନିବେଶବାଦ ଆଭିମୁଖ୍ୟକୁ ଜବାବ ଦେବା ପାଇଁ କେନ୍ଦ୍ର ସରକାର ଉପରୋକ୍ତ ନୀତିଗତ ନିଷ୍ପତ୍ତି ନେଇଥିବା ସ୍ପଷ୍ଟ ହେଉଛି। ତେଣୁ ସ୍ୱାଭାବିକ ଭାବରେ ଏଥିରେ ଚୀନ୍‍ ପ୍ରତିକ୍ରିୟାଶୀଳ ହୋଇଛି।
ପ୍ରତିରକ୍ଷା, ଟେଲିକମ୍‍, ମହାକାଶ ଗବେଷଣା, ଆଣବିକ ଶକ୍ତି, ଗଣମାଧ୍ୟମ ପରି କେତେକ ସମ୍ବେଦନଶୀଳ ଶିଳ୍ପ କ୍ଷେତ୍ରକୁ ବାଦ୍‍ ଦେଇ ଅନ୍ୟ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ(ଏଫ୍‍ଡିଆଇ)କୁ ଭାରତ ସରକାର ସ୍ୱୟଂକ୍ରିୟ କରିଛନ୍ତି। ଅର୍ଥାତ୍‍ ବିଦେଶୀ ସଂସ୍ଥା/କମ୍ପାନୀମାନେ ଭାରତରେ ମୁକ୍ତ ଭାବରେ ପୁଞ୍ଜି ନିବେଶ କରିବା କ୍ଷେତ୍ରରେ ଥିବା ଅନୁମତିଗତ ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ତେବେ ଭାରତ ସରକାର ଏହି ନିୟମରେ ଏବେ କେତେକ ସଂଶୋଧନ ଆଣିଛନ୍ତି। ଗତ ଶନିବାର ଶିଳ୍ପ ବିକାଶ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ପକ୍ଷରୁ ଜାରି ସଦ୍ୟତମ ବିଜ୍ଞପ୍ତି ଅନୁଯାୟୀ, ଭାରତର ସୀମା ସଂଲଗ୍ନ ଦେଶଗୁଡ଼ିକର କୌଣସି ସଂସ୍ଥା ଓ ବ୍ୟକ୍ତିବିଶେଷ କେନ୍ଦ୍ର ସରକାରଙ୍କ ବିଧିବଦ୍ଧ ସ୍ୱୀକୃତି ବିନା ଦେଶର କୌଣସି କ୍ଷେତ୍ରରେ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ କରିପାରିବେ ନାହିଁ। ଭାରତର ପଡ଼ୋଶୀ ବା ସୀମା ସଂଲଗ୍ନ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ କେବଳ ଚୀନ୍‍କୁ ଛାଡ଼ି ଦେଲେ ଅନ୍ୟ କୌଣସି ରାଷ୍ଟ୍ର ଆର୍ଥିକ ଦୃଷ୍ଟିରୁ ଉନ୍ନତ ନୁହନ୍ତି କି ଭାରତରେ ପୁଞ୍ଜି ନିବେଶ କରିବା ସ୍ଥିତିରେ ନାହାନ୍ତି। ତେଣୁ ଭାରତ ସରକାରଙ୍କ ନୂଆ ଏଫ୍‍ଡିଆଇ ନୀତିର ଉଦ୍ଦେଶ୍ୟ କେବଳ ଚୀନ୍‍ର ଆଭିମୁଖ୍ୟ ପ୍ରତି ଇଙ୍ଗିତ କରୁଛି – ଏହା ବୁଝିବାରେ ଆଉ ଅସୁବିଧା ନାହିଁ। ଏଥିରେ ଚୀନ୍‍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଭାରତ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲୁଟିଓ) ରାଜିନାମାର ବିରୁଦ୍ଧାଚରଣ କରୁଛି ବୋଲି ଅଭିଯୋଗ କରିଛି।
ସାମ୍ପ୍ରତିକ ପରିସ୍ଥିତିରେ ଭାରତ ସରକାରଙ୍କ ଉପରୋକ୍ତ ନିଷ୍ପତ୍ତି ଯଥାର୍ଥ ଓ ଅପରିହାର୍ଯ୍ୟ ବୋଲି କୁହାଯାଇପାରେ। କାରଣ ଏବେ ବିଶ୍ୱ ଅର୍ଥନୀତି ଉପରେ ଚୀନ୍‍ର ଲୋଲୁପ ଦୃଷ୍ଟି ପଡ଼ିଛି। ଦେବାଳିଆ ହେବାକୁ ଯାଉଥିବା ବା ଆର୍ଥିକ ସମ୍ବଳ ଓ ପରିଚାଳନା ପାଇଁ ସଂଘର୍ଷ କରୁଥିବା ବିଭିନ୍ନ ଦେଶର ସଂସ୍ଥାଗୁଡ଼ିକର ଅଂଶଧନକୁ ବହୁ ପରିମାଣରେ ଚୀନ୍‍ର ବ୍ୟାଙ୍କ/ସଂସ୍ଥାମାନେ କିଣି ନେଉଛନ୍ତି। ଏକ ରକ୍ଷଣଶୀଳ(ଏକପ୍ରକାର ଏକଚ୍ଛତ୍ରବାଦ) ବ୍ୟବସ୍ଥା ଭିତରେ ଚୀନ୍‍ ଶାସିତ ହେଉଥିବାରୁ ସେଠାକାର ସମସ୍ତ କାରବାର, କାର୍ଯ୍ୟକ୍ରମ, ବ୍ୟକ୍ତିଗତ ନିଷ୍ପତ୍ତି ମଧ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ। ବିଶ୍ୱ ଶିଳ୍ପ ବଜାରରେ ଚାଇନା ସଂସ୍ଥା/ବ୍ୟକ୍ତିଙ୍କ ଆଧିପତ୍ୟ ବିସ୍ତାର ଯୋଜନା ଯେ ଚୀନ୍‍ ସରକାରଙ୍କ ବିନା ଇଙ୍ଗିତରେ ଓ ବିନା ପ୍ରୋତ୍ସାହନରେ ପରିଚାଳିତ ହେଉଥିବ, ତାହା ବିଶ୍ୱାସଯୋଗ୍ୟ ନୁହେଁ। ତେଣୁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଦୁର୍ବଳ ହୋଇପଡ଼ୁଥିବା ସଂସ୍ଥାର ଆର୍ଥିକ ସ୍ଥିତିକୁ ବିଭିନ୍ନ ସଂସ୍ଥା/ଶିଳ୍ପପତିଙ୍କ ଜରିଆରେ ସୁଧାରିବା ଆଳରେ ସେଗୁଡ଼ିକର ମାଲିକାନାକୁ ଧୀରେଧୀରେ ଚୀନ୍‍ ସରକାର ଅକ୍ତିଆର କରିନେଉଛନ୍ତି – ଏହା ଅନସ୍ୱୀକାର୍ଯ୍ୟ। ଗତ ଦୁଇ/ତିନି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଚୀନ୍‍ର ଏହି ଉପନିବେଶ ନୀତି ଏବେ ଆହୁରି ତ୍ୱରାନ୍ୱିତ ହୋଇଛି। କୋଭିଡ୍‍ -୧୯ ଲକ୍‍ଡାଉନ୍‍ ସ୍ଥିତିରେ ବିଶ୍ୱବ୍ୟାପୀ ଗୋଟିଏ ପରେ ଗୋଟିଏ ବୃହତ୍‍ ଶିଳ୍ପ ସଂସ୍ଥାର କାରବାର ବନ୍ଦ ହୋଇ ଚାଲିଥିବା ବେଳେ ପୁଞ୍ଜି ବଜାରରେ ସେମାନଙ୍କ ଅଂଶଧନ ମୂଲ୍ୟରେ ଶୋଚନୀୟ ହ୍ରାସ ଘଟିଛି। ଏହାର ଫାଇଦା ଉଠାଇ ସେହି ସବୁ ସଂସ୍ଥାର ଅଂଶଧନକୁ ଚୀନ କମ୍‍ ମୂଲ୍ୟରେ କିଣି ନେଉଛି। ଏପରିକି ଚୀନ ସରକାର ବିଭିନ୍ନ ସଂସ୍ଥା ଜରିଆରେ ବିଶ୍ୱ ବଜାରରୁ ବିପୁଳ ପରିମାଣରେ ସୁନା କିଣିନେଉଥିବାରୁ ଏହି ଧାତୁର ମୂଲ୍ୟ ଊର୍ଦ୍ଧ୍ବମୁଖୀ ହେବାରେ ଲାଗିଛି।
ଚୀନ୍‍ର ଏହି ଲୋଲୁପ ଦୃଷ୍ଟିରୁ ଭାରତ ମଧ୍ୟ ବର୍ତ୍ତି ପାରିନାହିଁ। ଭାରତରେ କାର୍ଯ୍ୟ କରୁଥିବା ଫ୍ଲିପ୍‍କାର୍ଟରେ ଚୀନ୍‍ ସଂସ୍ଥା ଟେନ୍‍ସେଣ୍ଟ ଏବଂ ପେଟିଏମ୍‍ରେ ଆଲିବାବାର ଅଂଶଧନ ବୃଦ୍ଧି ପାଇଛି। ଭାରତର ହାଉସିଂ ଡେଭଲପ୍‍ମେଣ୍ଟ ଫାଇନାନ୍ସ କର୍ପୋରେସନ୍‍ର ଅଂଶଧନ(ସେୟାର)କୁ ଇତିମଧ୍ୟରେ ପିପୁଲ୍‍ସ ବ୍ୟାଙ୍କ୍‍ ଅଫ୍‍ ଚାଇନା ବୃଦ୍ଧି କରିବା ପରେ ସରକାର ସତର୍କ ହୋଇଛନ୍ତି। ସାମ୍ପ୍ରତିକ ଲକ୍‍ଡାଉନ୍‍ ସ୍ଥିତିରେ ପ୍ରଭାବିତ ହୋଇଥିବା ଭାରତର ଅର୍ଥନୀତିକୁ ଚୀନ୍‍ର ଉପନିବେଶ ନୀତିରୁ ବେଳ ହୁଁ ସୁରକ୍ଷା ଦେବା ପାଇଁ ସରକାର ଏଫ୍‍ଡିଆଇ ନୀତିରେ ସଂଶୋଧନ ଆଣିବା ପାଇଁ ବାଧ୍ୟ ହୋଇଛନ୍ତି।
ପରିବର୍ତ୍ତିତ ନୀତିଗତ ନିଷ୍ପତ୍ତି ସ୍ୱାଗତଯୋଗ୍ୟ ହେଲେ ମଧ୍ୟ ଏ ଦିଗରେ କେତେକ ସୁଚିନ୍ତିତ କୌଶଳ ନିର୍ଦ୍ଧାରଣ କରିବାକୁ ପଡ଼ିବ। କାରଣ ଗତ କିଛି ବର୍ଷ ହେଲା ସଙ୍କଟ ଦେଇ ଗତି କରୁଥିବା ଭାରତୀୟ ପୁଞ୍ଜି ବଜାରକୁ ଚୀନ୍‍ ସ୍ରୋତ ହିଁ କିଛି ପରିମାଣର ସମ୍ଭାଳି ନେଇଛି। ତେଣୁ ଏଫ୍‍ଡିଆଇ ନୀତି ସଂଶୋଧନ ପରେ ସୃଷ୍ଟି ହେବାକୁ ଥିବା ପୁଞ୍ଜି ଅଭାବ ସମସ୍ୟାକୁ କିପରି ପରିଚାଳନା କରିବାକୁ ପଡ଼ିବ ସେ ଦିଗରେ ନୀତି ନିର୍ଦ୍ଧାରକ ଓ ସରକାରଙ୍କ ଅର୍ଥ ପରାମର୍ଶଦାତାମାନଙ୍କୁ ନୂଆ ବାଟ ଖୋଜିବାକୁ ପଡ଼ିବ। ଏତଦ୍‍ବ୍ୟତୀତ ଚୀନ ସହିତ ଭାରତର ସୀମା ବିବାଦ ଲାଗି ରହିଛି। ଗତ କିଛି ମାସ ଧରି ସୁପ୍ତ ଥିବା ଡୋକ୍‍ଲାମ୍‍(ସୀମା ବିବାଦ)କୁ ହୁଏତ ଚୀନ୍‍ ଏହି ଆଳରେ ପୁଣି ଜାଗ୍ରତ କରିପାରେ। ଅପରପକ୍ଷରେ ଭାରତ ବିରୋଧରେ ସୀମାପାର ଆତଙ୍କବାଦକୁ ଜୋରଦାର କରିବା ପାଇଁ ପାକିସ୍ତାନକୁ ଚୀନ୍‍ ପ୍ରୋତ୍ସାହିତ କରିପାରେ। ସେଥିପ୍ରତି ମଧ୍ୟ ଭାରତର ବୈଦେଶିକ ବ୍ୟାପାର ଓ ପ୍ରତିରକ୍ଷା ବିଶେଷଜ୍ଞମାନେ ସତର୍କ ରହିବା ଆବଶ୍ୟକ।
ଉପରୋକ୍ତ ଅନେକ ଆଶଙ୍କା ଭିତରେ ଆଶାର ଝଲକ୍‍ ଟିଏ ସୃଷ୍ଟି ହୋଇଛି। କୋଭିଡ୍‍ -୧୯ ମହାମାରୀ ପରେ ବିଶ୍ୱ କୂଟନୀତିରେ ଚୀନ୍‍ ଖଳନାୟକ ଭାବେ ଚିତ୍ରିତ ହେଉଥିବା ବେଳେ ଭାରତ ଅନେକ କ୍ଷେତ୍ରରେ ପ୍ରଶଂସା ଅର୍ଜନ କରୁଛି। କୋଭିଡ୍‍ ୧୯ ମହାମାରୀ ପାଇଁ ଚୀନ୍‍କୁ ଦାୟୀ କରି ଏକାଧିକ ଦେଶ ଏବେ ଚୀନ୍‍ ବିରୋଧରେ ଆର୍ଥିକ ଓ ବାଣିଜ୍ୟ କଟକଣା ପାଇଁ ଅଣ୍ଟା ଭିଡ଼ିଛନ୍ତି। ତେଣୁ ନିକଟ ଭବିଷ୍ୟତରେ ବିଶ୍ୱ ଅର୍ଥ ଓ ବାଣିଜ୍ୟ ନୀତି, କୂଟନୀତି ଓ ରଣନୀତିରେ ନୂଆ ସମୀକରଣ ସୃଷ୍ଟି ହେବାର ସମ୍ଭାବନା ଉଜ୍ଜ୍ୱଳ। ହୁଏତ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ର ସହିତ ଭାରତର ସମ୍ପର୍କ ଆହୁରି ନିବିଡ଼ ହୋଇପାରେ ଏବଂ ଭାରତର ଅର୍ଥନୀତି ପାଇଁ ଟନିକ୍‍(ଶକ୍ତିବର୍ଦ୍ଧକ) ମିଳିପାରେ। ‘ନମସ୍ତେ ଟ୍ରମ୍ପ’ ଏ ଦିଗରେ ବୁଷ୍ଟର(ଗତିବର୍ଦ୍ଧକ) ରୂପେ କାମ କରିପାରେ। ଏହି ସମ୍ଭାବନା ସାକାର କରିବାକୁ ହେଲେ ଭାରତର ନୀତି ନିର୍ଦ୍ଧାରକମାନେ ସୁଚିନ୍ତିତ, ଦୂରଦର୍ଶୀ ଦୃଷ୍ଟିକୋଣ ସହିତ ସୁଯୋଗର ସଦୁପଯୋଗ କରିବା ଅପରିହାର୍ଯ୍ୟ।

kalyan agarbati

Comments are closed.