www.samajalive.in
Monday, December 8, 2025
14.1 C
Bhubaneswar

ଓଡ଼ିଶାର ୯୧ ଗାଁ ସୀମାକୁ ଜଗିବ କିଏ ?

-୫୨ ଗଳା ରାସ୍ତାରୁ ୪୪ଟି ସିଲ, ୮ଟି ମୁକୁଳା,୨୪ ଘଣ୍ଟିଆ ପହରା ଆବଶ୍ୟକ
-୩୫ରୁ ଊର୍ଦ୍ଧ୍ବ ଅତି ସଂକୀର୍ଣ୍ଣ ଗାଁ ବାଟ ଦେଇ ବିପଦ
-ନୌକାରେ ସୁବର୍ଣ୍ଣରେଖା ଦୁଇ ପଟ ମଧ୍ୟରେ ଯା’ଆସ ବନ୍ଦ ହେଉ
-ସ୍ଥାନୀୟ ଲୋକେ ସୀମାରେ ଯା’ଆସ ସଂପୂର୍ଣ୍ଣ ବନ୍ଦ କରାଇବା ଜରୁରୀ

ବାଲେଶ୍ୱର : ବଙ୍ଗ ଫେରନ୍ତା ଯାଜପୁର, ଭଦ୍ରକ ଜିଲାର କିଛି ଲୋକଙ୍କ ଠାରେ କରୋନା ପଜିଟିଭ ବାହାରିବା ପରେ ସମସ୍ତଙ୍କ ନିଦ ହଜିଯାଇଛି। ଏହା ସାଙ୍ଗକୁ ପଶ୍ଚିମ ବଙ୍ଗରେ କରୋନା କାୟା ବିସ୍ତାର କରିଚାଲିବା ଓଡ଼ିଶା ପ୍ରତି ସତର୍କ ଘଣ୍ଟି। ଲକ ଡାଉନ ଘୋଷଣା ପରେ ପଶ୍ଚିମ ବଙ୍ଗରୁ ଅନେକ ଲୋକ ୬୦ ନମ୍ବର ରାଜପଥ ଦେଇ ବିଭିନ୍ନ ମାଲବାହୀ ଗାଡ଼ିରେ ଓଡ଼ିଶା ଆସିଛନ୍ତି। ଲକ ଡାଉନ ଭିତରେ ମଧ୍ୟ ସେ ରାଜ୍ୟରେ କାମ କରୁଥିବା ଓଡ଼ିଶାର ବହୁ ଲୋକ ରାଜପଥରେ ଯାନ ବା ଟ୍ରେନରେ ଆସି ନ ପାରି ଗଳା ରାସ୍ତାକୁ ଆଶ୍ରୟ କରିଥିବା ଜଣାଯାଇଛି। ପୁଲିସ ଗଳା ରାସ୍ତାଗୁଡ଼ିକୁ ସିଲ କରିଥିଲେ ବି ସବୁଠି ୨୪ ଘଣ୍ଟିଆ ପହରାର ଆବଶ୍ୟକତା ରହିଛି। କାରଣ କେଉଁଠି ବାଡ଼, କଣ୍ଟା ଆଦିକୁ ଉପାଡ଼ି ଲୋକେ ଯା’ଆସ କରିଥିବା ଜଣାଯାଇଛି। ତେବେ ଜଣାଶୁଣା ଗଳା ରାସ୍ତା ବାଦ ଆହୁରି ଅନେକ ଅତି ସଂକୀର୍ଣ୍ଣ ବାଟ ରହିଛି। ପୁଲିସ ଦୃଷ୍ଟି ଆଢୁଆଳରେ ସୀମାରେ ଥିବା ସେହିସବୁ ଅତି ସଂକୀର୍ଣ୍ଣ ଗାଁ ରାସ୍ତା ଦେଇ ମଧ୍ୟ ଯା’ଆସ ଚାଲିଛି। ଏପରିକି ଓଡ଼ିଶା ପଟ ବାସିନ୍ଦାଙ୍କ ବିଲ ହିଡ଼, ବାଡ଼ି ଦେଇ ସେପଟୁ ଯିବା ଆସିବା ଚାଲିଛି। ସେହିପରି ନୌକାରେ ସୁବର୍ଣ୍ଣରେଖା ନଦୀରେ କେଉଁଠି କେଉଁଠି ଦୁଇ ପଟ ଲୋକଙ୍କ ଯା’ଆସ ଚାଲିଥିବାବେଳେ ଏହା ବନ୍ଦ ହେବା ଜରୁରୀ। ଏ ପରିପ୍ରେକ୍ଷୀରେ ସ୍ଥାନୀୟ ଲୋକେ ସଜାଗ ହୋଇ ସୀମା ସେପଟୁ ଯା’ଆସକୁ ବନ୍ଦ କରାଇବାର ଜରୁରୀ ଆବଶ୍ୟକତା ଥିବାବେଳେ ପଞ୍ଚାୟତ କର୍ତ୍ତୃପକ୍ଷ ମଧ୍ୟ ତତ୍ପର ହେବା ଆବଶ୍ୟକ। ଲକ ଡାଉନ ଭିତରେ ସୀମା ଦୁଇ ପଟ ମଧ୍ୟରେ ବିଭିନ୍ନ ରାସ୍ତା ଦେଇ ଅନେକ ଲୋକଙ୍କ ଯାତାୟାତ ହୋଇଥିବାବେଳେ ଏବେଠାରୁ ସଂପୂର୍ଣ୍ଣ ବନ୍ଦ ନ ହେଲେ ମହା ବିପଦର ସମ୍ଭାବନାକୁ ଏଡ଼ାଇଦିଆଯାଇ ନ ପାରେ।
ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଚୂଡାମଣିପୁର ଓ ଚନ୍ଦ୍ରପୁୁର ଠାରୁ ପଶ୍ଚିମ ବଙ୍ଗ ସୀମା ଆରମ୍ଭ ହୋଇ ଭୋଗରାଇ ବ୍ଲକର ସାହାବାଜିପୁର ଯାଏ ବିସ୍ତାରିତ। ପଶ୍ଚିମ ବଙ୍ଗର ୯୧ଟି ଗାଁର ସୀମା ଓଡ଼ିଶାକୁ ଲାଗିଥିବାବେଳେ ଓଡ଼ିଶାର ୮୨ଟି ଗାଁର ସୀମା ସେ ରାଜ୍ୟକୁ ଲାଗିଛି। ସୀମା ସେପଟକୁ ଭୋଗରାଇ ବ୍ଲକର ୩୨ଟି ଗ୍ରାମ୍ୟ ଗଳା ରାସ୍ତା ଯାଇଥିବାବେଳେ ଜଳେଶ୍ୱର ବ୍ଲକର ୨୦ଟି ରାସ୍ତା ଯାଇଛି। ଏହା ବାଦ ଆଉ କିଛି ଅତି ସଂକୀର୍ଣ୍ଣ ରାସ୍ତା ରହିଛି। ଜଳେଶ୍ୱର ବ୍ଲକ ଦେଇ ସେମିତି ୨୦ରୁ ଅଧିକ ରାସ୍ତା ଥିବାବେଳେ ଭୋଗରାଇ ବ୍ଲକର ମଧ୍ୟ ପ୍ରାୟ ୧୫ରୁ ଅଧିକ ରାସ୍ତା ରହିଛି। ସୂଚନାଯୋଗ୍ୟ ଯେ ପ୍ରତିଦିନ ସୀମା ଗଳା ରାସ୍ତା ଦେଇ ଦୁଇ ପଟ ଲୋକଙ୍କ ଯା’ଆସ ଚାଲିଥାଏ। ବିଭିନ୍ନ କାର୍ଯ୍ୟ ପାଇଁ ଓଡ଼ିଶା ପଟ ଲୋକ ସେପଟକୁ ଯାଇଥାନ୍ତି। ଦୁଇ ପଟ ଲୋକଙ୍କ ମଧ୍ୟରେ ବନ୍ଧୁଚାନ୍ଧବ ସମ୍ପର୍କ ରହିଛି। ଏପରିକି ଚୋରା ମଦ, ମାଛ ଆଦି ବିଭିନ୍ନ ରାସ୍ତା ଦେଇ ପରିବହନ ହୋଇଥାଏ। ଗଳା ରାସ୍ତା ସିଲ ହେବା ପରେ ଅତି ସଂକୀର୍ଣ୍ଣ ରାସ୍ତାରେ ଦୁଇ ଚକିଆ ଯାନ ଓ ସାଇକେଲ ଯିବା ଆସିବା କରୁଥିବା ଦେଖାଯାଇଛି। ଚାଲି ଚାଲି ବି ଲୋକେ ଯା’ଆସ କରୁଛନ୍ତି। ଲକ ଡାଉନ ଭିତରେ କେତେବେଳେ କେଉଁଠି ଲୋକେ ସୁବର୍ଣ୍ଣରେଖା ନଦୀରେ ନୌକାରେ ବି ପାର ହେଉଥିବା ଜଣାଯାଇଛି। ଲକ ଡାଉନ ଘୋଷଣା ପରେ ମଧ୍ୟ ଅନେକ ଦିନ ପର୍ଯ୍ୟନ୍ତ ଭୋଗରାଇ ବ୍ଳକର ବଡ଼ସରିଷା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଶ୍ଚିମ ବଙ୍ଗରୁ ପ୍ରତିଦିନ ରୋଗୀ ଆସିଥିବାବେଳେ ପଶ୍ଚିମ ବଙ୍ଗର ଦୀଘା ହସପିଟାଲକୁ ସୀମା ଏପଟୁ ରୋଗୀ ଯାଉଥିଲେ। ଭୋଗରାଇ ବ୍ଲକର ବହୁ ଲୋକ ଦୀଘା, କଣ୍ଟାଇ, ରାମନଗରରେ ବ୍ୟବସାୟ କରୁଥିବାବେଳେ ଅନେକ ଲୋକ କଲକାତା, ହଳଦିଆରେ କାମ କରନ୍ତି। ଏମାନଙ୍କ ମଧ୍ୟରୁ କିଛି ଲୋକ ଲକ ଡାଉନ ଭିତରେ ପ୍ରତିଦିନ ଘରକୁ ଯା’ଆସ କରିଥିବା ଜଣାଯାଇଛି। କଡ଼ା ପହରା ନ ହେଲେ ଯା’ଆସ ଚାଲିପାରେ। ପୂର୍ବରୁ ବଙ୍ଗ ପଟୁ ବହୁ ଲୋକ ପ୍ରତିଦିନ ଚନ୍ଦନେଶ୍ୱର ମନ୍ଦିର ଓ ତାଳସାରୀ ବେଳାଭୂମିକୁ ଆସୁଥିଲେ। ଏବେ ତାହା ବନ୍ଦ ରହିଛି।
ଭୋଗରାଇ ବ୍ଳକର ବିଭିନ୍ନ ଥାନାର ପୁଲିସ ପକ୍ଷରୁ ୩୨ଟି ସୀମାନ୍ତବର୍ତ୍ତୀ ଗଳା ରାସ୍ତାକୁ ସିଲ କରାଯାଇଛି। ଜଳେଶ୍ୱର ପୁଲିସ ମଧ୍ୟ ବ୍ଲକର ୧୨ଟି ସୀମାନ୍ତବର୍ତ୍ତୀ ଗଳା ରାସ୍ତାକୁ ସିଲ କରିଛି। ବ୍ଳକର ଆହୁରି ୮ଟି ଗଳା ରାସ୍ତା ମୁକୁଳା। ପୁଲିସ ସବୁ ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ସୀମା ଠାରେ ସବୁବେଳେ ପହରା ନାହିଁ। ସୀମା ରାସ୍ତା ସିଲ ଥିଲେ ବି କେହି କୌଣସି ଉପାୟରେ ବାଡ଼ ଟେକି ଏ ପଟକୁ ଆସିବା ସମ୍ଭାବାନକୁ ଏଡ଼ାଇଦିଆଯାଇ ନ ପାରେ। ତେଣୁ ୨୪ ଘଣ୍ଟିଆ ପହରାର ଆବଶ୍ୟକତା ରହିଛି। ସେହିପରି ଅତି ସଂକୀର୍ଣ୍ଣ ରାସ୍ତାଗୁଡ଼ିକୁ ମୁକୁଳା। ବିଶେଷ ଭାବେ ପଶ୍ଚିମ ବଙ୍ଗର ୯୧ଟି ଗାଁ ଓଡ଼ିଶାକୁ ଲାଗିଥିବାରୁ ସେପଟୁ ଏପଟକୁ କେହି ସହଜରେ ଆସିପାରିବ। ଏ କ୍ଷେତ୍ରରେ ପୁଲିସର ପାଟ୍ରୋଲିଂ ସାଙ୍ଗକୁ ଲୋକେ ସତର୍କ ରହିବା ଜରୁରୀ। ସ୍ଥାନୀୟ ଲୋକେ ସୀମାରେ ଯା’ଆସକୁ ସଂପୂର୍ଣ୍ଣ ବନ୍ଦ କରାଇବା ଆବଶ୍ୟକ। ସ୍ଥାନୀୟ ପଞ୍ଚାୟତଗୁଡ଼ିକର କର୍ତ୍ତୃପକ୍ଷ ମଧ୍ୟ ଏ କ୍ଷେତ୍ରରେ ଜରୁରୀ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories