ନୂଆ କଂକ୍ରିଟ ସେତୁ ଦେଇ ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ ଗଲେ ଶ୍ରଦ୍ଧାଳୁ

ଗୁରୁଡିଝାଟିଆ : ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ମହାନଦୀରେ ମଞ୍ଚେଶ୍ୱର ପାର୍ଶ୍ବରୁ ପ୍ରଭୁ ଧବଳେଶ୍ୱରଙ୍କ ପୀଠକୁ ସଂଯୋଗ ପାଇଁ ନିର୍ମିତ କଂକ୍ରିଟ ସେତୁ ଦେଇ ଶ୍ରଦ୍ଧାଳୁମାନେ ବୁଧବାର ଆନନ୍ଦରେ ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ରଙ୍ଗବେରଙ୍ଗ ଝୋଟି ନୂଆ କଂକ୍ରିଟ ସେତୁକୁ ଆକର୍ଷଣୀୟ କରିବା ସହ ଶ୍ରଦ୍ଧାଳୁଙ୍କ ଚିତ୍ତକୁ ଊଲ୍ଲସିତ କରି ଦେଇଥିଲା । କଂକ୍ରିଟ ସେତୁ ମଝିରେ ଛିଡା ହୋଇ ମହାନଦୀର ଶୋଭା ଦର୍ଶନ କରିବା ସହ କିଛି କିଛି ଶ୍ରଦ୍ଧାଳୁ ପରିବାର ସହିତ ସେଲଫି ନେଇଥିବା ଦେଖାଯାଇଥିଲା। ଆଜି ପୂର୍ବାହ୍ନ ପ୍ରାୟ ସାଢେ ୭ଟା ସମୟରେ ଧବଳେଶ୍ୱର ପୂଜକ ସମିତିର ସଦସ୍ୟ ନୂତନ ସେତୁରେ ଶ୍ରଦ୍ଧାଳୁଯିବା ପୂର୍ବରୁ ଶାସ୍ତ୍ରୀୟ ବିଧିମୁତାବକ ପୂଜାର୍ଚ୍ଚନା କରିବା ସହ ହରିବୋଲ ଓ ଶଙ୍ଖ ଧ୍ୱନୀରେ ପରିବେଶକୁ ପ୍ରକମ୍ପିତ କରିଥିଲେ। ପଞ୍ଚକ ଓ ବଡଓଷା ଅବ୍ୟବହିତ ପୂର୍ବରୁ ଝୁଲାସେତୁ ଅକାମୀ ହୋଇପଡିବା ଫଳରେ ଶ୍ରଦ୍ଧାଳୁମାନେ ଚର୍ମଚକ୍ଷୁରେ ବଡଓଷା, ବଡସିଂହାର ବେଶ ପୀଠକୁ ଯାଇ ଦେଖିପାରିନଥିଲେ। କିଛିମାସ ଶ୍ରଦ୍ଧାଳୁମାନେ ପ୍ରଭୂଙ୍କୂ ପୂଜାର୍ଚ୍ଚନା କରିବାରୁ ବଞ୍ଚିତ ହୋଇଥିଲେ । ଏହାପରେ ପ୍ରଶାସନ ବାଧ୍ୟ ହୋଇ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ସମ୍ମାନ ଜଣାଇ ମହାନଦୀରେ ଅସ୍ଥାୟୀ ରାସ୍ତା ତିଆରି କରାଇବା ଦ୍ୱାରା ଶ୍ରଦ୍ଧାଳୁମାନେ ପ୍ରଭୁଙ୍କୁ ଦର୍ଶନ ପାଇଁ ଯାଉଥିଲେ। ହେଲେ ଗତ ସପ୍ତାହରେ ମୌସୁମୀ ବର୍ଷା ଯୋଗୁଁ ମହାନଦୀରେ ଅଧିକ ଜଳପ୍ରବାହିତ ହେବାରୁ ଅସ୍ଥାୟୀ ରାସ୍ତାଟି ଧୋଇଯାଇଥିଲା। ଫଳରେ ପ୍ରଶାସନ ବ୍ୟତିବ୍ୟସ୍ତ ହୋଇପଡିଥିଲା। ତୁରନ୍ତ କଂକ୍ରିଟ ସେତୁ କାର୍ଯ୍ୟ ସମାପନ ପାଇଁ ତତ୍ପର ହୋଇଉଠିଥିଲେ। ଏପରିକି ଜିଲ୍ଲା ପ୍ରଶାସନ ସହିତ ବିଭାଗୀୟ ସଚିବ ସେତୁକୁ ବୁଲି ଦେଖିଥିଲେ। ପ୍ରକାଶଯୋଗ୍ୟ, ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ମହାନଦୀର ମଞ୍ଚେଶ୍ୱରରୁ ଧବଳେଶ୍ୱରକୁ କଂକ୍ରିଟ ସେତୁର ଲମ୍ବ ୨୭୬ ମିଟର ହୋଇଥିବା ବେଳେ ପ୍ରସ୍ତ ୬.୨ ମିଟର । ଉଭୟ ପାଶ୍ୱର୍ରେ ୩୬୦ ମିଟର ସଂଯୋଗୀକରଣ ରାସ୍ତା ମଧ୍ୟ ନିର୍ମିତ ହୋଇଛି। ସେତୁ ପାଇଁ ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ଜରିଆରେ ପ୍ରାୟ ୨୨କୋଟି ୨୮ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି।

Comments are closed.