ଅଲୋଡା ହେଲା ଶିଶୁ କନ୍ୟା, ବୁଦା ମୂଳରୁ ଉଦ୍ଧାର କଲେ ମହିଳା 

ପାଟଣା : ପୁଣି ଅଲୋଡା ହେଇ ପଡିଛି ଶିଶୁ କନ୍ୟା। ପାଟଣା ବ୍ଲକ ଖିରେଇଟାଙ୍ଗୀରୀ ଗ୍ରାମରେ ପୁଣି ଏଭଳି ଘଟଣା ଦେଖିବାକୁ ମିଳିଛି । ଖିରେଇଟାଙ୍ଗୀରୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଛପଟ ଏକ ପୋଖରୀ ନିକଟ ବୁଦାମୂଳରୁ ଏକ ବ୍ୟାଗରେ ଥିବା ମାତ୍ର ୬ ରୁ ୭ ଦିନର ନବଜାତ ଶିଶୁ କନ୍ୟାକୁ ସେହି ଗ୍ରାମର ଡାଳିମ୍ବ ମୁଣ୍ଡା ନାମ୍ନୀ ଜଣେ ମହିଳା ଉଦ୍ଧାର କରିଛନ୍ତି । ଡାଳିମ୍ବ ଶୌଚ ପାଇଁ ଯାଉଥିବା ସମୟରେ ବୁଦା ମୂଳରୁ ଶିଶୁ କନ୍ୟାର କୁଆଁ କୁଆଁ ଶବ୍ଦ ଶୁଣି ସେଠାକୁ ଯାଇ ଦେଖିବା ପରେ ବ୍ୟାଗରେ ଶିଶୁ କନ୍ୟାଟି ଥିବା ଦେଖି ତାକୁ ଉଦ୍ଧାର କରିଥିଲେ। ଶିଶୁ କନ୍ୟା ଉଦ୍ଧାର ହେବା ଘଟଣା ପ୍ରଚାରିତ ହେବା ପରେ ତୁରୁମୁଙ୍ଗା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି, ଏସ ଆଇ ରସାନନ୍ଦ ନାଏକ ଖିରେଇଟାଙ୍ଗୀରୀ ଗ୍ରାମର ଉକ୍ତ ମହିଳାଙ୍କଠାରୁ ଶିଶୁ କନ୍ୟା ଟିକୁ ଉଦ୍ଧାର କରିବା ସହ ପାଟଣା ସିଡିପିଓକୁ ଖବର ଦେଇଥିଲେ। ସ୍ଥାନୀୟ ଆଶା କର୍ମୀଙ୍କ ଦ୍ବାରା ଏହି ଶିକୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ଜଣାପଡିଛି। ତେବେ ଏହି ଶିଶୁ କନ୍ୟା କାହାର ତାହା ଆଜି ବିଳମ୍ୱିତ ସନ୍ଧ୍ୟା ଯାଏ ସ୍ପଷ୍ଟ ହୋଇପାରିନାହିଁ ।

Comments are closed.