ନିଟ୍‍ ପେପର ଲିକ୍‍ ମାମଲା: ପୁନଃ ପରୀକ୍ଷା ଆବେଦନ ଖାରଜ, ପ୍ରଧାନ ବିଚାରପତି କହିଲେ ଯଦି ଆପଣଙ୍କର ଅଭିଯୋଗ ଅଛି ତେବେ…

ନୂଆଦିଲ୍ଲୀ: ନିଟ୍‍ ପେପର ଲିକ୍‍ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ନିଟ୍‍ ପୁନଃ ପରୀକ୍ଷା ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ । କୋର୍ଟଙ୍କ ନିଷ୍ପତ୍ତି ସହିତ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ମଧ୍ୟ ଅନ୍ତ ହୋଇଛି । ନିଟ୍‍-ୟୁଜି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ ବଡ ଧରଣର ପେପର ଲିକ୍‍ ହୋଇନାହିଁ । ଏହା ଏକ ବ୍ୟବସ୍ଥାଗତ ତ୍ରୁଟି ନୁହେଁ । ପେପର ଲିକ୍‍ କେବଳ ପାଟନା ଓ ହଜାରୀବାଗରେ ସୀମିତ ଥିବା କହିଛନ୍ତି ସୁପ୍ରିମକୋର୍ଟ । ନିଟ୍‍ ପେପର ଲିକ୍‍, ଭୁଲ ପ୍ରଶ୍ନପତ୍ର ବଣ୍ଟନ ଏବଂ ପଦାର୍ଥ ବିଜ୍ଞାନ ଭୁଲ ପ୍ରଶ୍ନର ବିକଳ୍ପ ପାଇଁ ଗ୍ରେସ୍‍ ମାର୍କ ପ୍ରଦାନ ମାମଲାରେ ଏନଟିଏ ଅର୍ଥାତ ଜାତୀୟ ପରୀକ୍ଷା ଏଜେନ୍ସିର ନୀତିକୁ ସମାଲୋଚନା କରିଛନ୍ତି କୋର୍ଟ। କେବଳ ପାଟନା ଓ ହଜାରୀବାଗ ବ୍ୟତୀତ ନିଟ୍‍ ପରୀକ୍ଷାରେ କୌଣସି ବ୍ୟବସ୍ଥାଗତ ତ୍ରୁଟି ହୋଇନାହିଁ । ପ୍ରଧାନ ବିଚରପତି ଜଷ୍ଟିସ୍‍ ଡିୱାଇ ଚନ୍ଦ୍ରଚୁଡ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ଗଠିତ କମିଟି କୌଣସି ଅନିୟମିତତାକୁ ରୋକିବା ଏବଂ ଚିହ୍ନଟ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଉଚିତ । ଏନଟିଏର ସହଯୋଗରେ କମିଟି ଏକ ଉପାୟ ଖୋଜି ବାହାର କରିବା ଉଚିତ । ଯେଉଁଥିରେ ପ୍ରଶ୍ନପତ୍ର ତିଆରି ଠାରୁ ଆରମ୍ଭ କରି ଏହାର ପରୀକ୍ଷଣ ପ୍ରତ୍ୟେକ ପ୍ରକ୍ରିୟା ଉପରେ ତୀକ୍ଷ୍ଣ ନଜର ରଖିବା ଜରୁରୀ । ଏହାସହିତ ପ୍ରଶ୍ନପତ୍ରର ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ଇତ୍ୟାଦି ଉପରେ ଯାଞ୍ଚ କରିବା ପାଇଁ ଏସଓପିକୁ ଶୃଙ୍ଖଳିତ କରାଯିବା ଉଚିତ । ଅନ୍ୟପଟେ ଏହି ରାୟ ବିରୋଧରେ କେହି ଅଭିଯୋଗ କରିବାକୁ ଚାହୁଁଥିଲେ ହାଇକୋର୍ଟକୁ ଯାଇପାରିବେ ବୋଲି ପ୍ରଧାନ ବଚାରପତି କହିଛନ୍ତି ।

Comments are closed.