ଆଜି ନୀଳାଦ୍ରି ବିଜେ
ପୁରୀ : ଘୋଷଯାତ୍ରା ଶେଷକରି ମଙ୍ଗଳବାର ମହାପ୍ରଭୁ ଶ୍ରୀମନ୍ଦିର ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରିବେ। ଶ୍ରୀକ୍ଷେତ୍ରରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶେଷ ହୋଇଛି ପ୍ରଶାସନିକ ପ୍ରସ୍ତୁତି। ରଥଉପରେ ତିନିଠାକୁରଙ୍କୁ ମଙ୍ଗଳ ଆଳତି, ତଡ଼ପଲାଗି, ଅବକାଶ, ବେଶ, ଗୋପାଳବଲ୍ଲଭ, ସକାଳଧୂପ, ମଇଲମ, ମହାସ୍ନାନ, ସର୍ବାଙ୍ଗ, ମଧ୍ୟାହ୍ନଧୂପ, ସନ୍ଧ୍ୟାଆଳତି ଏବଂ ସନ୍ଧ୍ୟାଧୂପ କରାଯିବ। ଏହାପରେ କୋଠ ସୁଅଁାସିଆ ସେବକ ତିନିରଥରେ ଚାରମାଳ ବନ୍ଧିବେ। ପରମ୍ପରା ଅନୁଯାୟୀ ସିଂହାସନ ମାଜଣା କରାଯିବ। ପୁଷ୍ପାଞ୍ଜଳି ପ୍ରଦାନ ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ପହଣ୍ଡି। ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ଲଗାଇ ରଥଉପରୁ ଶ୍ରୀମନ୍ଦିର ରତ୍ନବେଦୀକୁ ପହଣ୍ଡି ବିଜେ କରିବେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଚକ୍ରରାଜ ଶ୍ରୀସୁଦର୍ଶନ। ଏତଦ୍ବ୍ୟତୀତ ମଦନମୋହନ ଏବଂ ରାମକୃଷ୍ଣଙ୍କୁ ରଥରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ମିଳିତ ଘଣ୍ଟବାଦ୍ୟରେ କମ୍ପିଉଠିବ ଶ୍ରୀମନ୍ଦିର ସିଂହଦ୍ବାର। ସେବାୟତ ଏବଂ ଭକ୍ତଙ୍କ ମେଳରେ ଶ୍ରୀମନ୍ଦିରକୁ ଫେରିବେ ଦାରୁବ୍ରହ୍ମ। ମନ୍ଦିର ପ୍ରଶାସନ ସୂଚନା ଅନୁଯାୟୀ ଅପରାହ୍ଣ ୪ଟାରେ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟାରେ ଶେଷହେବ। ପହଣ୍ଡି ପରେ ରତ୍ନସିଂହାସନରେ ଶ୍ରୀଜୀଉଙ୍କ ସର୍ବାଙ୍ଗ ଓ ଶ୍ରୀମୁଖ ଖଣ୍ଡୁଆ ନୀତି କରାଯିବ। ରତ୍ନସିଂହାସନରୁ ଚାରମାଳ ଫିଟାଯିବ। ଚକ୍ରରାଜ ଶ୍ରୀସୁଦର୍ଶନ ସିଂହାସନକୁ ବିଜେ କରିବେ। ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ଶ୍ରୀମୁଖ ଖଣ୍ଡୁଆ ବାହାର କରାଯିବ। ସିଂହାସନ ଧୁଆପରେ ଶ୍ରୀମାଧବ, ଶ୍ରୀଦେବୀ ଓ ଭୂଦେବୀ ରତ୍ନସିଂହାସନକୁ ବିଜେ କରିବେ। ଦାରୁବ୍ରହ୍ମଙ୍କୁ ମହାସ୍ନାନ କରାଯିବ। ଏହାପରେ ରୋଷହୋମ, ମଇଲମ, ଚନ୍ଦନଲାଗି, ସୂର୍ଯ୍ୟପୂଜା, ଦ୍ବାରପାଳପୂଜା, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଏବଂ ରାତ୍ରପହୁଡ କରାଯିବା ବିଧି ରହିଛି।
ନୀଳାଦ୍ରି ବିଜେ ନୀତି ନିର୍ଘଣ୍ଟ
ପ୍ରାତଃ ଘ. ୪.୦୦ : ମଙ୍ଗଳ ଆଳତି
ପ୍ରାତଃ ଘ. ୫.୦୦ : ଅବକାଶ
ପ୍ରାତଃ ଘ. ୫.୩୦ : ବେଶ
ପ୍ରାତଃ ଘ. ୬.୩୦ : ଗୋପାଳବଲ୍ଲଭ ଭୋଗ
ସକାଳ ଘ. ୭.୦୦ରୁ ୮.୦୦ : ସକାଳଧୂପ
ଦିନ ଘ. ୯.୩୦ : ମହାସ୍ନାନ, ସର୍ବାଙ୍ଗ
ଦିନ ଘ. ୧୦.୦୦ : ବେଶ
ଦିନ ଘ. ୧୦.୩୦ରୁ ୧୧.୩୦ : ମଧ୍ୟାହ୍ନଧୂପ
ଦିନ ଘ. ୧୨.୧୫ : ସନ୍ଧ୍ୟା ଆଳତି
ଦିନ ଘ. ୧୨.୩୦ରୁ ୧.୩୦ : ସନ୍ଧ୍ୟାଧୂପ
ଦିନ ଘ. ୧.୩୦ରୁ ୩.୩୦ : ରଥରେ ଚାରବନ୍ଧା
ଦିନ ଘ. ୩.୩୦ : ସିଂହାସନ ମାଜଣା
ଦିନ ଘ. ୩.୫୦ : ପୁଷ୍ପାଞ୍ଜଳି
ଅପରାହ୍ଣ ଘ. ୪.୦୦ : ପହଣ୍ଡି ଆରମ୍ଭ
ରାତ୍ର ଘ. ୧୦.୦୦ : ପହଣ୍ଡି ଶେଷ
Comments are closed.