‘ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧନ ଜୀବନ ରକ୍ଷା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବା ଉଚିତ୍’
ଫୁଲବାଣୀ : କନ୍ଧମାଳ ଜିଲାର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆଜି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହାର ମୁକାବିଲା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କନ୍ଧମାଳ ଉପ–ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଯୋଗ ଦେଇ କହିଲେ କି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜୀବନ ହାନି କିଭଳି ରୋକାଯାଇପାରିବ ସେଥିପାଇଁ ଦୃଷ୍ଟି ଦେବା ଦରକାର । ଏହି ସମୟରେ ତ୍ବରିତ ଉଦ୍ଧାର କାର୍ଯ୍ୟଓ ସହାୟତା ଯୋଗାଇ ଦିଆଗଲେ ଅନେକ ଧନ ଜୀବନ ରକ୍ଷା କରାଯାଇପାରିବ । ପ୍ରତିଟି ଜୀବନ ମୂଲ୍ୟବାନ ହୋଇଥିବାରୁ କେହି ଯେଭଳି ମୃତାହତ ହେବେନି ସେହି ଦିଗ ପ୍ରତି ନଜର ଦେବା ଆବଶ୍ୟକ । ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ କିପରି କରାଯିବ ସମସ୍ତେ ଜାଣିବା ଆବଶ୍ୟକ ବୋଲି ସେ କହିଥିଲେ ।
ସେହିଭଳି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ କହିଥିଲେ କି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାବାସୀ ପୂର୍ବରୁ ପ୍ରସ୍ତୁତ ରହିବା ନିହାତି ଜରୁରୀ । ବିଭାଗୀୟ ଅଧିକାରୀମାନଙ୍କ ସହିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ନାଗରିକ ସମାଜ, ଏପରିକି ଛାତ୍ରଛାତ୍ରୀ ସମସ୍ତଙ୍କର ଏଥିରେ ଦାୟିତ୍ୱ ରହିଛି । ଉକ୍ତ ବୈଠକରେ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ସରକାରୀ ପଦାଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟମାନେ ଉପସ୍ଥିତ ଥିଲେ ।
Comments are closed.