ନୱାଜ ସରିଫ୍‌ ପୁନର୍ବାର ପ୍ରଧାନମନ୍ତ୍ରୀ ହୋଇପାରନ୍ତି

ଇସଲାମାବାଦ୍‌ : ନୱାଜ ସରିଫ୍‌ ପୁନର୍ବାର ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ସମ୍ଭାବନା ରହିଛି। ପାକିସ୍ତାନରେ ହେବାକୁ ଥିବା ଆଗାମୀ ସାଧାରଣ ନିର୍ବାଚନରେ ଯଦି ପାକିସ୍ତାନ ମୁସଲିମ୍‌ ଲିଗ୍‌-ନୱାଜ (ପିଏମ୍‌ଏଲ-ଏନ୍‌) ବିଜୟୀ ହୁଏ ତେବେ ନୱାଜ ସରିଫ୍‌ ପୁନର୍ବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବେ ବୋଲି ତାଙ୍କ ଭାଇ ତଥା ବର୍ତ୍ତମାନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଥିବା ସେହୱାଜ ସରିଫ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାଥାଉ କି ନୱାଜ ୨୦୧୯ରୁ ସ୍ବେଚ୍ଛାକୃତ ଭାବେ ଇଂଲଣ୍ଡରେ ରହି ଆସୁଛନ୍ତି। ଖୁବ୍‌ଶୀଘ୍ର ନୱାଜ ପାକିସ୍ତାନ ଫେରିବେ ବୋଲି ସେହବାଜ୍‌ କହିଛନ୍ତି। ପିଏମ୍‌ଏଲ-ଏନ୍‌ ସଭାପତି ତଥା ପାକିସ୍ତାନର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ସେହବାଜ କହିଥିଲେ ଆସନ୍ତା ୧୨ରେ ତାଙ୍କ ସରକାରର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଆଗାମୀ ସାଧାରଣ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଜଣେ କାମଚଳା ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରାଯିବ। ତେବେ ବର୍ତ୍ତମାନର ଅର୍ଥମନ୍ତ୍ରୀ ଇସାକ ଦାର୍‌ଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯିବ ନାହିଁ ବୋଲି ସେହବାଜ ସ୍ପଷ୍ଟ କରି ଦେଇଛନ୍ତି। ସବୁ ଦଳର ନେତାଙ୍କ ସହ ଆଲୋଚନା ପରେ କାମଚଳା ପ୍ରଧାନମନ୍ତ୍ରୀ ଭାବେ କାହାକୁ ନିଯୁକ୍ତ କରାଯିବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସେହବାଜ ସ୍ପଷ୍ଟ କରି ଦେଇଛନ୍ତି।
ଆଗାମୀ ସାଧାରଣ ନିର୍ବାଚନରେ ସହଯୋଗୀ ଦଳଙ୍କ ସହ ଆସନ ବୁଝାମଣା ପାଇଁ ପିଏମ୍‌ଏଲ-ଏନ୍‌ ଉଦ୍ୟମ କରିବ ବୋଲି ସେହବାଜ କହିଛନ୍ତି। ଅନ୍ୟପକ୍ଷରେ ଗତ ମେ’ ୯ ତାରିଖରେ ପାକିସ୍ତାନରେ ଯେଉଁ ଦଙ୍ଗା ହୋଇଥିଲା ତାହା ପଛରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ ଦଳର ମୁଖ୍ୟ ଇମ୍ରାନ୍‌ ଖାନଙ୍କ ହାତ ଥିଲା ବୋଲି ସେହବାଜ ଅଭିଯୋଗ କରିଛନ୍ତି। ପାକିସ୍ତାନ ସେନା ମୁଖ୍ୟଙ୍କୁ ବିତାଡ଼ିତ କରିବା ସହ ଦେଶରେ ଗୃହଯୁଦ୍ଧ ଆରମ୍ଭ କରିବାକୁ ଇମ୍ରାନ ଯୋଜନା କରିିଥିଲେ ବୋଲି ସେହବାଜ କହିଥିଲେ।

Comments are closed.