www.samajalive.in
Sunday, December 7, 2025
16.1 C
Bhubaneswar

ନବୀନ ବାବୁ : ନିଜେ ହିଁ ନିଜ ପରିଚୟ

କ୍ରମାଗତ ୧୮ ବର୍ଷ ଶାସନରେ ରହିବା ପରେ ନବୀନ ଯେଉଁ ଲୋକପ୍ରିୟତାକୁ ପୁଞ୍ଜି କରି ଚାଲିଛନ୍ତି ତା’ ପଛରେ ରହିଛି ଏକ ଅମ୍ଳାନ ବ୍ୟକ୍ତିତ୍ୱ। ସତ କହିବାକୁ ଗଲେ ଓଡ଼ିଶାର ରାଜନୀତିକୁ ନବୀନ ଏକ ନୂଆ ସଂଜ୍ଞା ଦେଇଛନ୍ତି ଓ ଏକ ନୂଆ ପରିମାପକ ଥୋଇଛନ୍ତି। ୧୯୯୭ ଏପ୍ରିଲ ମାସରେ ଯେତେବେଳେ ସେ ପ୍ରଥମ କରି ରାଜନୀତିରେ ପାଦ ଥାପିଲେ ତାହା ଥିଲା ତଟକା ପବନ ଭଳି।
ଦୁଇ ଦଶନ୍ଧି ପରେ ଆମେ ଯେତେବେଳେ ନବୀନଙ୍କ ରାଜନୈତିକ ପରାକାଷ୍ଠାକୁ ତଉଲୁଥାଇଁ ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ ରାଜନୀତି କ୍ଷେତ୍ରରେ ସେ ପରିପକ୍ୱ। ଯାହାଙ୍କର ରାଜନୀତିରେ ଆଦୌ ପ୍ରବେଶ ନଥିଲା ସେହିଭଳି ଜଣେ ବ୍ୟକ୍ତି ଅନ୍ୟ ସବୁ ଦଳର ରାଜନେତାମାନଙ୍କୁ ନିଷ୍ପ୍ରଭ କରିବା ସହିତ ନିଜକୁ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବରେ ପ୍ରତିଷ୍ଠିତ କରିବା ଏକ ଐତିହାସିକ ଘଟଣା। ଜଣେ କିମ୍ବଦନ୍ତୀ ପୁରୁଷ ଭାବରେ ସେ କେବଳ ଓଡ଼ିଶାର ଅସ୍ଥିର ଓ ଗୋଳିଆ ରାଜନୀତି ପାଇଁ ସ୍ଥିରତା ଆଣିଛନ୍ତି ତାହା ନୁହେଁ ରାଜନୀତିକୁ ଏକ ନୂଆ ଦିଗ୍‍ଦର୍ଶନ ଦେଇଛନ୍ତି। ଲୋକପ୍ରିୟତା ପଛରେ ଦକ୍ଷ ଶାସନ ଯଦି ଗୋଟିଏ ବଡ କାରଣ, ନବୀନ ତାହାକୁ ପ୍ରମାଣିତ କରି ଦେଖାଇଛନ୍ତି।
ସ୍ୱାଧୀନତା ପରବର୍ତ୍ତୀ ଭାରତର ରାଜନୀତିରେ ଖୁବ୍‍ କମ୍‍ ଆଞ୍ଚଳିକ ଦଳ ଅଛନ୍ତି ଯେଉଁମାନେ ଦୀର୍ଘ ସମୟ ଧରି କ୍ଷମତାରେ ରହି ଆସିଛନ୍ତି ଓ ସେଥିମଧ୍ୟରୁ ବିଜେଡି ଅନ୍ୟତମ।
ନବୀନଙ୍କ ନେତୃତ୍ୱ ଓ ରାଜନୀତିର ଅନ୍ୟ ଏକ ଦିଗ ହେଉଛି ବିରୋଧୀ ଦଳର ଅସ୍ତିତ୍ୱ ଶୂନ୍ୟତା। ନବୀନ ପଟ୍ଟନାୟକ ଏକ ମାତ୍ର ରାଜନେତା ଯିଏ କେବେ ବି ବିରୋଧୀଙ୍କ ଆସନରେ ଅଧିଷ୍ଠିତ ହୋଇନାହାନ୍ତି।
୧୯୯୭ ରେ ଏକ ଆଞ୍ଚଳିକ ଦଳ ଭାବରେ ବିଜେଡିର ଗଠନ ଓଡ଼ିଶାର ରାଜନୈତିକ ଇତିହାସରେ ଯେମିତି ଏକ ମାଇଲଖୁଣ୍ଟ ବିରୋଧୀ ଦଳମାନଙ୍କ ପାଇଁ। ଯଦି ଓଡ଼ିଶାର ଅତୀତ ରାଜନୀତିକୁ ପର୍ଯ୍ୟାଲୋଚନା କରାଯାଏ କୌଣସି ସରକାର ତାହା ଜାତୀୟ ଦଳ ହେଉ କି ଓ ପ୍ରାନ୍ତୀୟ ଦଳ ହେଉ ଏତେ ସମୟ ଧରି କ୍ଷମତାରେ ରହିନାହାନ୍ତି। ରାଜନୀତିରେ ଏହା ଏକ ବିରଳ ଘଟଣାକ୍ରମ।
କ୍ରମାଗତ ଭାବେ ୪ଥର ନିର୍ବାଚନ ଜିତି ନବୀନ ଭୋଟ୍‍ ରାଜନୀତିକୁ ଏକ ନୂଆ ଅର୍ଥ ପ୍ରଦାନ କରିଛନ୍ତି। ଯଦି ଜଣେ ରାଜନେତା ଜନତାର ଦୃଷ୍ଟିକୋଣକୁ ସବୁଦିନ ପାଇଁ ବଦଳାଇ ଦିଅନ୍ତି ତାଙ୍କ ପାଇଁ ନିର୍ବାଚନ ବିଜୟ ଏକ ସହଜସାଧ୍ୟ କଥା ହୋଇପଡେ। ଦକ୍ଷ ରଣକୌଶଳ ଓ ଲୋକଙ୍କ ମନରେ ଅନୁକୂଳ ଧାରଣା ସୃଷ୍ଟି କରିବାରେ ନବୀନ ଅତି ସଫଳ। ଦୁଇ ଦଶନ୍ଧି ଧରି ଓଡିଶାର ଜନସାଧାରଣଙ୍କ ସହିତ ସେ ଯେଉଁ ଭାବଗତ ସମ୍ପର୍କ ପ୍ରତିଷ୍ଠା କରିପାରିଛନ୍ତି ତାହା ବିରଳ ଓ ଅନନ୍ୟ ସାଧାରଣ। ଚାରି କୋଟି ଜନତାଙ୍କ ସହିତ ତାଙ୍କ ସମ୍ପର୍କ ଭିତରେ କେବେ ବି ପ୍ରତିବନ୍ଧକ ସୃଷ୍ଟି ହୋଇନାହିଁ ଏବଂ ଏହା ପଛରେ ରହିଛି ବ୍ୟକ୍ତିନିଷ୍ଠା ଓ ନିର୍ମଳ ଭାବମୂର୍ତ୍ତି। ନବୀନଙ୍କ ବିରୋଧରେ ନା କୌଣସି ଦୁର୍ନୀତି ଅଭିଯୋଗ ପ୍ରମାଣିତ ହୋଇପାରିଛି ନା ଅନ୍ୟ କୌଣସି ପ୍ରତିବନ୍ଧକ ତାଙ୍କୁ ଲୋକଙ୍କଠାରୁ ଦୂରେଇଦେବାରେ ସଫଳ ହୋଇଛି। ୨୦୧୪ ମସିହା ସାଧାରଣ ନିର୍ବାଚନରେ ଯେତେବେଳେ ସମଗ୍ର ଦେଶରେ ମୋଦୀ ମ୍ୟାଜିକ କାମ କରୁଥିଲା ଓଡ଼ିଶାରେ କିନ୍ତୁ ତା’ର କୌଣସି ପ୍ରଭାବ ପଡ଼ିନଥିଲା। ନବୀନ ପଟ୍ଟନାୟକଙ୍କ ଭଳି ଆଉ ଜଣେ ନେତା ଏଯାଏ ବାହାରିନାହାନ୍ତି ଯିଏକି ଜନସାଧାରଣଙ୍କର ବିଶ୍ୱାସଭାଜନ ହୋଇପାରିବା ସହ ସେମାନଙ୍କର ସମର୍ଥନ ଲାଭ କରିପାରିବେ। ଏଣୁ ନବୀନ ଓଡ଼ିଶାର ବିକଳ୍ପବିହୀନ ନେତା ଭାବେ ପରିଚିତ।
୧୯୯୭ରେ ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ଯେଉଁ ବିଜୁ ଜନତା ଦଳ ଗଠନ ହେଲା ତାହା କମ୍ୟୁନିଷ୍ଟ ଭଳି କ୍ୟାଡରଭିତ୍ତିକ ଦଳ ନ ହେବା ସତ୍ତ୍ବେ ନିର୍ବାଚନ ପରେ ନିର୍ବାଚନ ଜିତିବା ପଛରେ କେବଳ ଜଣେ ବ୍ୟକ୍ତିଙ୍କ କରିସ୍ମା କାମ କରି ଆସିଛି। ଭାରତର ପ୍ରାଦେଶିକ ରାଜନୀତିରେ ଏହା ବିରଳ।
ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଫଳତାର ରହସ୍ୟ କ’ଣ ? ବିରୋଧୀଦଳମାନେ ତାଙ୍କର ଶାସନକୁ, ତାଙ୍କର ରାଜନୈତିକ କାର୍ଯ୍ୟକ୍ରମ ଓ ଯୋଜନାକୁ ସମାଲୋଚନା କରିପାରନ୍ତି; କିନ୍ତୁ ଜଣେ ବ୍ୟକ୍ତି ହିସାବରେ ନବୀନଙ୍କୁ ଓଡ଼ିଶାର ଜନତାଙ୍କ ଆଗରେ ନିନ୍ଦିତ କରିବା ପାଇଁ ଯେତେ ବି ଉଦ୍ୟମ ହୋଇଛି ତାହା ବିଫଳ ହୋଇଛି। ବିଭିନ୍ନ ସମୟରେ ଦେଖା ଦେଇଥିବା ପ୍ରତିକୂଳ ପରିସ୍ଥିତିକୁ ସାମନା କରି ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ଏବଂ ସମର୍ଥକ ଓ ଅନୁଗାମୀଙ୍କୁ ଯଥାର୍ଥ ସମ୍ମାନ ଦେଇ ସରକାରକୁ ଆଗେଇ ନେବା ଏତେ ସହଜସାଧ୍ୟ କଥା ନୁହେଁ। ନବୀନ କିନ୍ତୁ ପ୍ରମାଣିତ କରିପାରିଛନ୍ତି ଯେ ଶାସନରେ ନିଷ୍ଠା ଓ ଅଙ୍ଗୀକାର ରହିଲେ ସବୁ କିଛି ସମ୍ଭବ। ନିଜେ ଦୀର୍ଘ ୨୦ ବର୍ଷ ଧରି ଓଡ଼ିଶାର ଶାସନ କ୍ଷମତାରେ ରହିବା ବ୍ୟତୀତ ନିଜ ପିତାଙ୍କ ନାମରେ ଗଠିତ ହୋଇଥିବା ଦଳକୁ ଏକ ମଜଭୁତ ରାଜନୈତିକ ସଭାରେ ପରିଣତ କରିପାରିଥିବା ନବୀନ ପଟ୍ଟନାୟକଙ୍କ ରାଜନୀତିରେ କୁଟିଳତା ନାହିଁ, ଅଭଦ୍ରୋଚିତ ଆଚରଣ ନାହିଁ କି କର୍ତ୍ତବ୍ୟରେ ଅବହେଳାର ନିଦର୍ଶନ ନାହିଁ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହେଉ କି ସାଧାରଣ ସମୟରେ ହେଉ ରାଜ୍ୟର ସାଢ଼େ ଚାରି କୋଟି ଜନତାଙ୍କ ବିକାଶ, ପ୍ରଗତି ଓ ସ୍ୱାର୍ଥ ହାସଲ ପାଇଁ ନବୀନ ପଟ୍ଟନାୟକ ଯେଉଁ କାର୍ଯ୍ୟସୂଚୀ ତିଆରି କରି ଆସିଛନ୍ତି ତାହାର ପଟାନ୍ତର ନାହିଁ।
ବିଭିନ୍ନ ସାମାଜିକ ସୂଚକାଙ୍କରେ ଓଡ଼ିଶାର ସ୍ଥିିତି ଆଜି ବେଶ୍‍ ସୁରକ୍ଷିତ ଓ ଉଲ୍ଲେଖଯୋଗ୍ୟ। ଯେଉଁ ସରକାର ଓ ପ୍ରଶାସନର ମୂଳରେ ଜନସାଧାରଣଙ୍କର ମଙ୍ଗଳ ହିଁ ଅସଲ ଲକ୍ଷ୍ୟ ସେହି ଦଳ ସରକାର କ୍ଷମତା ରାଜନୀତିରେ ସଫଳତା ହାସଲ କରିବାକୁ ବାଧ୍ୟ। ନବୀନ ପଟ୍ଟନାୟକ ହେଉଛନ୍ତି ତାହାର ଜ୍ୱଳନ୍ତ ନିଦର୍ଶନ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories