ଆମ ଗାଁ ଆମ ବିକାଶ: ମଞ୍ଜୁର ହେଲାଣି ୭୯୩.୯୬ କୋଟି ଟଙ୍କାର ପ୍ରକଳ୍ପ

0

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୨୦୯ଟି ପଞ୍ଚାୟତ ପାଇଁ ୧୮୬୯ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ୯ଟି ଜିଲାର ୧୦ଟି ବ୍ଲକରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବ। ଏବାବଦରେ ମୁଖ୍ୟମନ୍ତ୍ରୀ ୪୭.୨୪କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଆଜିର କାର୍ଯ୍ୟକ୍ରମକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟର ୧୫୫ଟି ବ୍ଲକ ଅନ୍ତର୍ଗତ ୩୫୦୮ଟି ପଞ୍ଚାୟତର ଜନସାଧାରଣଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ୭୯୩.୯୬ କୋଟି ଟଙ୍କାର ୩୨, ୪୬୨ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକର ୨୧ଟି ପଞ୍ଚାୟତ ପାଇଁ ୫.୨୬ କୋଟି ଟଙ୍କାର ୧୯୫ଟି ପ୍ରକଳ୍ପ, ପୁରୀ ଜିଲା ଗୋପ ବ୍ଲକର ୩୧ଟି ପଞ୍ଚାୟତ ପାଇଁ ୯.୭୮ କୋଟି ଟଙ୍କାର ୪୨୬ଟି, କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ୨୯ଟି ପଞ୍ଚାୟତ ପାଇଁ ୭.୩୪କୋଟି ଟଙ୍କାର ୩୧୫ଟି, କେନ୍ଦୁଝର ଜିଲା ଘଷିପୁରା ବ୍ଲକର ୨୫ଟି ପଞ୍ଚାୟତ ପାଇଁ ୫.୯୮ କୋଟି ଟଙ୍କାର ୨୧୯ଟି, ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକର ୨୫ଟି ପଞ୍ଚାୟତ ପାଇଁ ୩.୫୯କୋଟି ଟଙ୍କାର ୧୫୫ଟି, ରାୟଗଡ଼ା ଜିଲା ବିଷମକଟକ ବ୍ଲକର ୨୧ଟି ପଞ୍ଚାୟତ ପାଇଁ ୩.୯୯ କୋଟି ଟଙ୍କାର ୧୬୯ଟି, ଗଜପତି ଜିଲା ଗୁମ୍ମା ବ୍ଲକର ୨୦ଟି ପଞ୍ଚାୟତ ପାଇଁ ୪କୋଟି ଟଙ୍କାର ୧୦୭ଟି, କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକର ୧୪ଟି ପଞ୍ଚାୟତ ପାଇଁ ୨.୮୦କୋଟି ଟଙ୍କାର ୬୯ଟି ଏବଂ ମୟୂରଭଞ୍ଜ ଜିଲା ତିରିଙ୍ଗି ବ୍ଲକର ୧୦ଟି ପଞ୍ଚାୟତ ପାଇଁ ୩କୋଟି ଟଙ୍କାର ୧୦୧ଟି ଏବଂ ବିଶୋୟୀ ବ୍ଲକର ୧୩ଟି ପଞ୍ଚାୟତ ପାଇଁ ୩.୩୦ କୋଟି ଟଙ୍କାର ୧୧୩ଟି ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ଆମ ଗାଁ ଅାମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ମଞ୍ଜୁର କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୂହିକ କାର୍ଯ୍ୟାନ୍ବୟନ ଓ ସ୍ବଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି।
ଆଜିର କାର୍ଯ୍ୟକ୍ରମରେ ପ୍ରାୟ ଦେଢ଼ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ। ମନ୍ତ୍ରିପରିଷଦ ବୈଠକ ଯୋଗୁ କାର୍ଯ୍ୟକ୍ରମ ବିଳମ୍ବରେ ଆରମ୍ଭ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ନିକଟରୁ କ୍ଷମା ଚାହିଁଥିଲେ।
କାର୍ଯ୍ୟକ୍ରମରେ ମନ୍ତ୍ରିପରିଷଦ ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ସଂପୃକ୍ତ ଜିଲାର ଜିଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave A Reply