ପ୍ରଥମଂ ଶୈଳପୁତ୍ରୀ ଚ ଦ୍ୱିତୀୟଂ ବ୍ରହ୍ମଚାରିଣୀ।।
ତୃତୀୟଂ ଚନ୍ଦ୍ରଘଣ୍ଟେତି କୁଷ୍ମାଣ୍ଡେତି ଚତୁର୍ଥକମ୍।।
ପଞ୍ଚମଂ ସ୍କନ୍ଦମାତେତି ଷଷ୍ଠଂ କାତ୍ୟାୟନୀତି ଚ।।
ସପ୍ତମଂ କାଳରାତ୍ରିତି ମହାଗୌରୀତି ଚାଷ୍ଟମମ୍।।
ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗାଃ ପ୍ରକୀର୍ତ୍ତିତାଃ।।
ଉକ୍ତାନ୍ୟେତାନି ନାମାନି ବ୍ରହ୍ମଣୈବ ମହାତ୍ମନାଃ।।
ଆଜିଠାରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରି। ୯ଦିନ ଧରି ନବରାତ୍ରି ଅବସରରେ ମା’ ଦୁର୍ଗାଙ୍କର ବିଭିନ୍ନ ରୂପକୁ ପୂଜା କରିବା ପରେ ଦଶମ ଦିନ ବିଜୟାଦଶମୀ ପାଳିତ ହୁଏ। ଏହି ନବଦୁର୍ଗାଙ୍କର ବାହନ ଏବଂ ଅସ୍ତ୍ରଶସ୍ତ୍ର ଭିନ୍ନଭିନ୍ନ। ଦୁର୍ଗା ସପ୍ତଶତୀ ଗ୍ରନ୍ଥର ଦେବୀ କବଚ ସ୍ତୋତ୍ରରେ ନବଦୁର୍ଗାଙ୍କ ନାମ ବର୍ଣ୍ଣନା କରାଯାଇଛି।
ନବରାତ୍ରର ପ୍ରଥମ ଦିନରେ କଳସ ସ୍ଥାପନ କରିବା ପରେ ଭକ୍ତମାନେ ୯ଦିନ କାଳ ଉପବାସ କିମ୍ବା ଫଳାହାର କରିଥାନ୍ତି। ଏହି ୯ଦିନ ଶକ୍ତିସ୍ୱରୂପିଣୀ ମା’ ଦୁର୍ଗା ମର୍ତ୍ତ୍ୟରେ ଅବସ୍ଥାନ କରନ୍ତି। ତେଣୁ ତାଙ୍କୁ ଭାବ, ଭକ୍ତି, ନୈବେଦ୍ୟ ସହ ପୂଜା କଲେ ମା’ଙ୍କର ଆଶୀର୍ବାଦ ପ୍ରାପ୍ତି ହୁଏ। ନବରାତ୍ରିର ପ୍ରତ୍ୟେକ ଦିନରେ ମା’ଙ୍କର ସ୍ୱରୂପ ଏବଂ ନୈବେଦ୍ୟ ସମ୍ପର୍କରେ ଜାଣନ୍ତୁ-
ପ୍ରଥମ ଦିନ: ଏହି ଦିନ ମା’ଙ୍କୁ ଶୈଳପୁତ୍ରୀ ରୂପରେ ପୂଜା କରାଯାଏ। ନୈବେଦ୍ୟ ଭାବେ ମା’ଙ୍କୁ ଶୁଦ୍ଧ ଗୁଆଘିଅ ଅର୍ପଣ କଲେ ଭକ୍ତ ସମସ୍ତ ପ୍ରକାର କଷ୍ଟ ଏବଂ ରୋଗରୁ ମୁକ୍ତି ପାଇଥାନ୍ତି ବୋଲି ବିଶ୍ୱାସ ରହିଛି।
ଦ୍ୱିତୀୟ ଦିନ: ବ୍ରହ୍ମଚାରିଣୀ ରୂପରେ ଏହି ଦିନ ମା’ ପୂଜା ପାଇଥାନ୍ତି। ଏହି ଅବସରରେ ମା’ଙ୍କୁ ଶର୍କରା, ଧଳା ମିଷ୍ଟାନ୍ନ, ଫଳ, ମିଶ୍ରି ଆଦି ନୈବେଦ୍ୟ ଅର୍ପଣ କରିବା ଉଚିତ।
ତୃତୀୟ ଦିନ: ମା’ଙ୍କର ଚନ୍ଦ୍ରଘଣ୍ଟା ରୂପ ନବରାତ୍ରିର ତୃତୀୟ ଦିନରେ ପୂଜା କରାଯାଏ। ଏହି ଦିନ ମା’ଙ୍କୁ କ୍ଷୀରରେ ପ୍ରସ୍ତୁତ ମିଷ୍ଟାନ୍ନ, କ୍ଷୀରି ଆଦି ନୈବେଦ୍ୟ ଅର୍ପଣ କରନ୍ତୁ।
ଚତୁର୍ଥ ଦିନ: କୁଷ୍ମାଣ୍ଡା ରୂପରେ ମା’ ଏହି ଦିନ ପୂଜା ପାଇଥାନ୍ତି। ନୈବେଦ୍ୟ ଭାବେ ମାଲପୁଆ ଅର୍ପଣ କରିବା ପରେ ଛୋଟ ପିଲାଙ୍କୁ ଏହି ଭୋଗ ବାଣ୍ଟିଦେବେ।
ପଞ୍ଚମ ଦିନ: ନବରାତ୍ରିର ପଞ୍ଚମ ଦିନରେ ମା’ଙ୍କୁ ସ୍କନ୍ଦମାତା ରୂପରେ ପୂଜା କରାଯାଉଥିବା ବେଳେ କଦଳୀ ନୈବେଦ୍ୟ ଅର୍ପଣ କଲେ ଭକ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।
ଷଷ୍ଠ ଦିନ: ମା’ଙ୍କର କାତ୍ୟାୟନୀ ରୂପ ଏହି ଦିନ ପୂଜା ପାଇଥାନ୍ତି। ଷଷ୍ଠଦିନରେ ମା’ଙ୍କୁ ମହୁ ଭୋଗ ଲଗାଇବା ଖୁବ୍ ଶୁଭଙ୍କର। ଏହାଦ୍ୱାରା ଜୀବନରେ ମଧୁରତା ଆସିଥାଏ ଏବଂ ମଣିଷର ଆକର୍ଷଣ ଶକ୍ତି ବଢେ ବୋଲି ବିଶ୍ୱାସ ରହିଛି।
ସପ୍ତମ ଦିନ: ଏହି ଦିନ ମା’ କାଳରାତ୍ରି ରୂପରେ ପୂଜା ପାଆନ୍ତି। ଗୁଡ କିମ୍ବା ଏଥିରେ ପ୍ରସ୍ତୁତ ମିଷ୍ଟାନ୍ନ ଭୋଗ ଲଗାଇବା ସୌଭାଗ୍ୟ ଆଣେ। ବିଶ୍ୱାସ କରାଯାଏ, ଏହି ଦିନ ମା’ଙ୍କୁ ଗୁଡର ନୈବେଦ୍ୟ ଅର୍ପଣ କରିବା ପରେ ବ୍ରାହ୍ମଣଙ୍କୁ ଏହା ଦାନ କଲେ ଦୁଃଖ, ଶୋକ ଏବଂ ଆଗାମୀ ସଙ୍କଟରୁ ମୁକ୍ତି ମିଳେ।
ଅଷ୍ଟମ ଦିନ: ମା’ ଏହି ଦିନ ମହାଗୌରୀ ଭାବେ ପୂଜା ପାଆନ୍ତି। ମା’ଙ୍କୁ ଶ୍ରୀଫଳ ବା ନଡିଆ ନୈବେଦ୍ୟ ଆକାରରେ ଅର୍ପଣ କରାଯାଏ।
ନବମ ଦିନ: ନବରାତ୍ରିର ଶେଷଦିନର ମା’ଙ୍କର ସିଦ୍ଧିଦାତ୍ରୀ ସ୍ୱରୂପ ପୂଜା କରାଯାଏ। ଏହି ଦିନ ଦେବୀଙ୍କୁ ତିଳ ବା ରାଶି ନୈବେଦ୍ୟ ଆକାରରେ ଅର୍ପଣ କରିବା ଶୁଭଙ୍କର। ଏଥିସହିତ ଡାଳିମ୍ବ ମଧ୍ୟ ଅର୍ପଣ କରାଯାଏ।



