ଶୃଙ୍ଖଳା ବିଜୟ ପାଇଁ ଶେଷ ଦିନିକିଆ ଲଢ଼େଇ ଆଜି

ଚେନ୍ନଇ: ନିକଟ ଅତୀତରେ ଘରୋଇ ଦିନିକିଆ ଶୃଙ୍ଖଳା ଜିତିବା ପାଇଁ ଭାରତକୁ ଏପରି ନାକେଦମ୍ ହେବାକୁ ପଡ଼ିନଥିଲା। ପୁଣି ଭାରତୀୟ ପିଚ୍ରେ ଘରୋଇ ବ୍ୟାଟ୍ସମ୍ୟାନଙ୍କୁ ପ୍ରତିପକ୍ଷ ପେସ୍ ବୋଲର ଏପରି ଅସୁବିଧାରେ ପକାଇବା ମଧ୍ୟ କମ୍ ଦେଖିବାକୁ ମିଳିଛି। ଭାରତ-ଅେଷ୍ଟ୍ରଲିଆ ଟେଷ୍ଟ ଶୃଙ୍ଖଳାରେ ଉଭୟ ଦଳର ସ୍ପିନର ପ୍ରାଧାନ୍ୟ ବିସ୍ତାର କରିଥିବା ବେଳେ ଦିନିକିଆ ଶୃଙ୍ଖଳାରେ ସମ୍ପୂର୍ଣ୍ଣ ବିପରୀତ ଦେଖିବାରୁ ମିଳିଛି। ଗତ ୨ଟି ଦିନିକିଆରେ ମୋଟ ୨୫ଟି ୱିକେଟ ପଡ଼ିଥିବା ବେେଳ ପେସ୍ ବୋଲର ଏଥିରୁ ୨୨ଟି ନେଇଛନ୍ତି। ପୁଣି ଭାରତୀୟ ପିଚ୍ରେ ଏହା କ୍ବଚିତ ଦେଖିବାକୁ ମିଳେ ଯେ ପ୍ରଥମେ ବ୍ୟାଟିଂ କରିଥିବା ଦଳ କ୍ରମାଗତ ୨ଟି ମ୍ୟାଚ୍ରେ ୨୦୦ ରନ୍ ଛୁଇଁ ପାରିନାହିଁ। ଶୃଙ୍ଖଳା ଏବେ ୧-୧ ସ୍ଥିତିେର ଥିବା ବେଳେ ବୁଧବାର ଏଠାରେ ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳାଯିବ। ସ୍ପିନ୍ ସହାୟକ ଚେନ୍ନଇ ପିଚ୍ରେ ଏହି ନିର୍ଣ୍ଣାୟକ ମ୍ୟାଚ୍ ଜିତି ଦିନିକିଆ ବିଶ୍ବକପ୍ ବର୍ଷରେ ଶୃଙ୍ଖଳା ଜିତିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି।
ପ୍ରଥମ ମ୍ୟାଚ୍ରେ ମହମ୍ମଦ ସିରାଜ୍ ଓ ମହମ୍ମଦ ସାମି ଅଷ୍ଟ୍ରେଲିଆ ବ୍ୟାଟିଂକୁ ଧ୍ବସ୍ତ କରିଥିବା ବେଳେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଓ ମାର୍କସ ଷ୍ଟୋଇନିସ୍ ୫ଟି ୱିକେଟ ନେଇ ଭାରତକୁ ପରାଜୟ ଦ୍ବାରରେ ପହଞ୍ଚାଇଥିଲେ। କେ.ଏଲ୍. ରାହୁଲ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଇନିଂସ ବଳରେ ଭାରତ ଜିତିଥିଲା। ୨ୟ ଦିନିକିଆରେ ଷ୍ଟାର୍କ ୫ଟି ୱିକେଟ ନେଇଥିବା ବେଳେ ବାକି ୨ ପେସ୍ ବୋଲର ୫ଟି; ଏହିପରି ଭାରତର ୧୦ଟିଯାକ ୱିକେଟ ପେସ୍ ବୋଲର ନେଇଥିଲେ। ମାତ୍ର ୧୧ ଓଭରରେ ୧୧୮ ରନ୍ ବିଜୟଲକ୍ଷ୍ୟର ପିଛାକରି ଅଷ୍ଟ୍ରେଲିଆ ଜିତିଥିଲା। ଗତ ୨ଟିଯାକ ମ୍ୟାଚ୍ରେ ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ଏହାର ଉପର ଅର୍ଡର। ପ୍ରଥମ ଦିନିକିଆରେ ଭାରତ ୮୩ ରନ୍ରେ ଏବଂ ୨ୟରେ ୪୯ ରନ୍ରେ ଭାରତ ପ୍ରଥମ ୫ଟି ୱିକେଟ ହରାଇଥିଲା। ଉଭୟ ମ୍ୟାଚ୍ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ମିଚେଲ ଷ୍ଟାର୍କ। ନୂଆ ବଲ୍ରେ ସ୍ବିଙ୍ଗ୍କରି ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଷ୍ଟାର୍କ ଅସୁବିଧାରେ ପକାଇଛନ୍ତି। ପ୍ରଥମ ମ୍ୟାଚ୍ରେ ୩ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ଷ୍ଟାର୍କ ଆଉଟ୍ କରି ଦେଇଥିଲେ। ୨ୟ ଦିନିକିଆରେ ଷ୍ଟାର୍କ ୫ଟି ୱିକେଟ ନେଇ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଅନ୍ୟ ଦୁଇ ପେସ୍ ବୋଲର ସନ୍ ଆବଟ୍ ୩ଟି ଓ ନାଥାନ୍ ଏଲିସ୍ ୨ଟି ୱିକେଟ ନେଇଥିଲେ। ବୋଲିଂରେ ଷ୍ଟାର୍କ ଭାରତ ପାଇଁ ଚିନ୍ତା ପାଲଟିଥିବା ବେଳେ ବ୍ୟାଟିଂରେ ଭାରତୀୟ ବୋଲରଙ୍କ ନିଦ ହଜାଇ ଦେଇଛନ୍ତି ମିଚେଲ ମାର୍ଶ। ଦଳକୁ ଫେରିଥିବା ମାର୍ଶ ଓପନ୍କରି ପ୍ରଥମ ମ୍ୟାଚ୍ରେ ୬୫ ବଲ୍ରୁ ୮୧ ଏବଂ ୨ୟ ମ୍ୟାଚ୍ରେ ୩୬ ବଲ୍ରୁ ଅପରାଜିତ ୬୬ ରନ୍ କରିଛନ୍ତି। ପୁଣି ଟ୍ରାଭିସ୍ ହେଡ୍ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ ହାସଲକରି ଫର୍ମକୁ ଫେରିବାର ସୂଚନା ଦେଇଛନ୍ତି।
ସୂର୍ଯ୍ୟକୁମାର ଯାଦବ ଉଭୟ ମ୍ୟାଚ୍ରେ ପ୍ରଥମ ବଲ୍ରେ ହିଁ ମିଚେଲ ଷ୍ଟାର୍କଙ୍କ ଶିକାର ହୋଇଛନ୍ତି। ସୂର୍ଯ୍ୟ ଉଭୟ ମ୍ୟାଚ୍ରେ ବହୁତ ଜଲ୍ଦି ବ୍ୟାଟିଂ କରିବାକୁ ଆସିଥିଲେ। ଫଳରେ ତାଙ୍କୁ ନୂଆ ବଲ୍ର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଡେଭିଡ୍ ୱାର୍ଣ୍ଣରଙ୍କ ପରି ବ୍ୟାଟିଂ ମହାରଥୀଙ୍କୁ ନେଇ ନାନା ପ୍ରଶ୍ନ ଉଠିଛି। ଟେଷ୍ଟ କ୍ରିକେଟ୍ରେ ବିଫଳ ହୋଇଥିଲେ ହେଁ ସୀମିତ ଓଭରରେ ୱାର୍ଣ୍ଣର ଭଲ ବ୍ୟାଟିଂ କରିଛନ୍ତି। ଏମିତି ବି ହୋଇପାରେ ୱାର୍ଣ୍ଣରଙ୍କୁ ଓପନ୍ କରାଇ ମାର୍ନସ ଲାବୁସେନ୍ଙ୍କ ସ୍ଥାନରେ ମିଚେଲ ମାର୍ଶଙ୍କୁ ୪ନଂରେ ବ୍ୟାଟିଂ ପଠା ଯାଇପାରେ। ତେବେ ଗତ ୨ଟି ମ୍ୟାଚ୍ରେ ମାର୍ଶଙ୍କ ପ୍ରଦର୍ଶନ ଦେଖି ମଧ୍ୟକ୍ରମରେ ତାଙ୍କୁ ଖେଳାଇବା ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ ହୋଇପାରେ। ଚେନ୍ନଇର ପିଚ୍ରେ ବଲ୍ ସ୍ପିନ୍ କରିବାର ଥିବାରୁ ଭାରତ ୩ ଜଣିଆ ସ୍ପିନ୍ ଆକ୍ରମଣ ବଜାୟ ରଖିପାରେ। ତେବେ କୁଲଦୀପ ଯାଦବଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦର ଖେଳିପାରନ୍ତି। ଏହି ପିଚ୍ରେ ଅଷ୍ଟ୍ରେଲିଆ ଏଲିସ୍ଙ୍କ ସ୍ଥାନରେ ବାମହାତି ସ୍ପିନର ଆଷ୍ଟନ୍ ଏଗାର୍ଙ୍କୁ ଖେଳାଇପାରେ। ତଥାପି ଉଭୟ ଦଳ ଟସ୍ ଜିତି ଫିଲ୍ଡିଂ ନେବାକୁ ଚାହିଁବେ। ଆଉ ୪୬ ରନ୍ କଲେ ରାହୁଲ ଦିନିକିଆରେ ଯୁଗ୍ମ ଦ୍ରୁତତମ ୨୦୦୦ ରନ୍ରେ ପହଞ୍ଚିବେ। ଶିଖର ଧାୱନ ୪୮ ଦିନିକିଆ ଇନିଂସରେ ୨୦୦୦ ରନ୍ରେ ପହଞ୍ଚିଥିଲେ।
Comments are closed.