ମୁମ୍ବଇ ଇଣ୍ଡିଆନ୍‌ସକୁ ୬ ୱିକେଟରେ ହରାଇଲା ଚେନ୍ନଇ ସୁପର କିଙ୍ଗ୍‌ସ

ଚେନ୍ନଇ: ଚେପକ୍ ଷ୍ଟାଡିୟମ୍‌ର ପିଚ୍‌ ଧିମା ଥିଲେ ହେଁ ଚେନ୍ନଇ ସୁପର କିଙ୍ଗ୍‌ସର ୩ ପେସ୍‌ ବୋଲର ମାଥିଶା ପାଥିରାନା, ଦୀପକ ଚହର ଓ ତୁଷାର ଦେଶପାଣ୍ଡେ ମିଳିତ ଭାବେ ୭ଟି ୱିକେଟ୍‌ ନେଇଥିଲେ। ଫଳତଃ ଶନିବାର ଅପରାହ୍‌ଣର ମ୍ୟାଚ୍‌ରେ ମୁମ୍ବଇ ଇଣ୍ଡିଆନ୍‌ସକୁ ସହଜରେ ୬ ୱିକେଟରେ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ପରାସ୍ତ କରିଛି। ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ନେହଲ ୱଧେରାଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ମୁମ୍ବଇ ୮ ୱିକେଟରେ ୧୩୯ ରନ୍‌ କରିଥିଲା। ସାମୂହିକ ଯୋଗଦାନ ବଳରେ ୧୪ଟି ବଲ୍‌ ବାକିଥାଇ ସିଏସ୍‌କେ ୪ ୱିକେଟ ହରାଇ ଜିତି ନେଇଥିଲା। ୧୧ଶ ମ୍ୟାଚ୍‌ରେ ୬ଷ୍ଠ ବିଜୟ ପରେ ସିଏସ୍‌କେ ୨ୟ ସ୍ଥାନକୁ ଉନ୍ନୀତ ହୋଇଛି। ୧୦ମ ମ୍ୟାଚ୍‌ରେ ୫ ଥର ଚମ୍ପିଆନ୍ ମୁମ୍ବଇ ୫ମ ପରାଜୟ ଭୋଗିଛି।
ଋତୁରାଜ ଗାଏକ୍‌ୱାଡ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନଇ ସୁପର କିଙ୍ଗ୍‌ସ ଦ୍ରୁତଗତିରେ ୧୪୦ ରନ୍‌ର ପିଛା ଆରମ୍ଭ କରିଥିଲା। ୪ ଓଭରରେ ସିଏସ୍‌କେର ଓପ୍‌ନିଂ ଯୋଡ଼ି ୪୬ ରନ୍‌ କରିଥିଲା। ଋତୁରାଜ ୧୬ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୩୦ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ଅନ୍ୟ ଓପ୍‌ନର ଡେଭନ୍ କନ୍‌ୱେ ଓ ଅଜିଙ୍କ୍ୟ ରାହାଣେ ୫ ଓଭରରେ ୩୫ ରନ୍‌ ଯୋଡ଼ିଥିଲେ। ରାହାଣେ ୧୭ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୧ ରନ୍‌କରି ବିଦାୟ ନେଇଥିଲେ। ଇମ୍ପାକ୍ଟ ଖେଳାଳି ଭାବେ ଆସିିଥିବା ଅମ୍ବତି ରାୟୁଡୁ ୧୧ ବଲ୍‌ରୁ ୧୨ ରନ୍‌ କରି ପାରିଥିଲେ। ନ୍ୟୁଜିଲାଣ୍ଡର ବାମହାତି ଓପ୍‌ନର ଡେଭନ୍‌ କନ୍‌ୱେ ୧୭ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ୪୨ ବଲ୍‌ରୁ ୪ଟି ଚୌକା ସହ ୪୪ ରନ୍‌ କରିଥିଲେ। ଶିବମ୍ ଦୁବେ ଓ ମହେନ୍ଦ୍ର ସିଂହ ଧୋନି (୨) ଅପରାଜିତ ରହି ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ବାମହାତି ଶିବମ୍ ଦୁବେ ୧୮ ବଲ୍‌ରୁ ୩ଟି ଛକା ସହ ୨୬ ରନ୍‌କରି ଅପରାଜିତ ଥିଲେ। ପୀୟୂଷ ଚାୱଲା ୨ଟି ୱିକେଟ ନେଇଥିଲେ।

ଟସ୍ ଜିତି ଚେନ୍ନଇ ସୁପର କିଙ୍ଗ୍‌ସ ଫିଲ୍‌ଡିଂ କରିଥିଲା। ୨ୟ ଓଭରରେ ଆଉଟ୍‌ ହୋଇଥିବା ଅଷ୍ଟ୍ରେଲୀୟ ଓପ୍‌ନର କାମେରନ୍ ଗ୍ରୀନ୍‌ ୬ ରନ୍‌ କରିଥିଲେ। ପରେ ଦୀପକ ଚହରଙ୍କ ୨ୟ ଓଭରରେ ୨ଟି ୱିକେଟ ପଡ଼ିଥିଲା। ଈଶାନ୍ କିଷନ୍ ୭ ରନ୍‌କରି ଆଉଟ୍‌ ହୋଇଥିଲେ। ୩ଟି ବଲ୍‌ରେ ୨ଟି ୱିକେଟ ପଡ଼ିବା ପରେ ଅଧିନାୟକ ରୋହିତ ଶର୍ମାଙ୍କୁ ଦାୟିତ୍ବର ସହ ଖେଳିବାର ଥିଲା। ହେଲେ ରୋହିତ ସମ୍ମୁଖୀନ ହୋଇଥିବା ୩ୟ ବଲ୍‌ରେ ଏକ ବେପରୁଆ ସଟ୍‌ ଖେଳି ଆଉଟ୍‌ ହୋଇଥିଲେ। ୧୪ ରନ୍‌ରେ ୩ଟି ୱିକେଟ ପଡ଼ିବା ପରେ ନେହଲ ୱଧେରା ଓ ଫର୍ମକୁ ଫେରିଥିବା ସୂର୍ଯ୍ୟକୁମାର ଯାଦବ ୪ର୍ଥ ୱିକେଟ୍‌ ପାଇଁ ୪୫ ବଲ୍‌ରୁ ୫୫ ରନ୍‌ ଯୋଡ଼ିଥିଲେ। ସୂର୍ଯ୍ୟକୁମାର ୨୨ ବଲ୍‌ରୁ ୩ଟି ଚୌକା ସହ ୨୬ ରନ୍‌କରି ବିଦାୟ ନେଇଥିଲେ। ଚଳିତ ସଂସ୍କରଣରେ ୨ୟ ମ୍ୟାଚ୍‌ ଖେଳିଥିବା ଟ୍ରିଷ୍ଟାନ୍ ଷ୍ଟବ୍‌ସ ଅତ୍ୟନ୍ତ ଦୟନୀୟ ବ୍ୟାଟିଂକରି ଧିମା ଖେଳିଥିଲେ। ଦକ୍ଷିଣ ଆଫ୍ରିକାର ଷ୍ଟବ୍‌ସ ୨୧ ବଲ୍‌ରୁ ୨ଟି ଚୌକା ସହ ୨୦ ରନ୍‌ କରିଥିଲେ। ଆହତ ତିଳକ ବର୍ମାଙ୍କ ଅନୁପସ୍ଥିତିରେ ମଧ୍ୟକ୍ରମ ସମ୍ଭାଳିଥିବା ନେହଲ ୱଧେରା ଜୀବନର ପ୍ରଥମ ଆଇପିଏଲ୍‌ ଅର୍ଦ୍ଧଶତକ ହାସଲ କରିଥିଲେ। ୱଧେରା ୫୧ ବଲ୍‌ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୬୪ ରନ୍‌ କରିଥିଲେ। ମୁମ୍ବଇ ଶେଷ ୩ ଓଭରରୁ ମାତ୍ର ୧୭ ରନ୍‌କରି ୪ଟି ୱିକେଟ ହରାଇଥିଲା। ବିଳମ୍ବରେ ବ୍ୟାଟିଂ ଆସିଥିବା ଟିମ୍ ଡେଭିଡ୍‌ ୨ ରନ୍‌ କରି ପାରିଥିଲେ। ଶ୍ରୀଲଙ୍କାର ମାଥିଶା ପାଥିରାନା ୪ ଓଭରରୁ ମାତ୍ର ୧୫ ରନ୍‌ଦେଇ ୩ଟି ୱିକେଟ ନେଇଥିଲେ। ଦୀପକ ଚହର ଓ ତୁଷାର ଦେଶପାଣ୍ଡେ ୨ଟି ଲେଖାଏଁ ୱିକେଟ ପାଇଥିଲେ। ପାଥିରାନା ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।

Comments are closed.