www.samajalive.in
Saturday, December 6, 2025
23.1 C
Bhubaneswar

‘ନମସ୍ତେ ଟ୍ରମ୍ପ୍‍’ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ; ସ୍ବାଗତ ଅପେକ୍ଷାରେ ଅହମ୍ମଦାବାଦ

ଅହମ୍ମଦାବାଦ : ଆଉ କିଛି ସମୟ ପରେ ଭାରତ ଗସ୍ତରେ ଆସି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମ୍ମଦାବାଦରେ ପହଞ୍ଚିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି।  ଟ୍ରମ୍ପଙ୍କ ସହିତ ତାଙ୍କର ପତ୍ନୀ ମେଲାନିଆ, କନ୍ୟା ଇଭାଙ୍କା, ଜ୍ୱାଇଁ ଜାରେଦ୍‍ କୁଶ୍‍ନର୍‍ ତଥା ତାଙ୍କ ପ୍ରଶାସନର ପ୍ରମୁଖ ନେତୃବୃନ୍ଦ ମଧ୍ୟ ଏହି ଗସ୍ତରେ ସାମିଲ୍‍ ଅଛନ୍ତି । ଅହମ୍ମଦାବାଦରେ ସେ ସାବରମତୀ ଆଶ୍ରମ ପରିଦର୍ଶନ କରିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ରୋଡ୍‍ ଶୋ’ରେ ଭାଗ ନେବେ । ମୋଟେରା କ୍ରିକେଟ୍‍ ଷ୍ଟାଡିୟମ୍‍ଠାରେ ଆୟୋଜିତ ହେବାକୁ ଥିବା ‘ନମସ୍ତେ ଟ୍ରମ୍ପ୍‍’ କାର୍ଯ୍ୟକ୍ରମରେ ଉଭୟ ନେତା ୧ ଲକ୍ଷରୁ ଅଧିକ ଜନତାଙ୍କୁ ମିଳିତ ଭାବେ ସମ୍ବୋଧନ କରିବେ ।
‘ନମସ୍ତେ ଟ୍ରମ୍ପ୍‍’ କାର୍ଯ୍ୟକ୍ରମ ଅବସରରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଅହମ୍ମଦାବାଦରେ ‘ନମସ୍ତେ ଟ୍ରମ୍ପ୍‍’
କାର୍ଯ୍ୟକ୍ରମ ପରେ ସପରିବାର ଶ୍ରୀ ଟ୍ରମ୍ପ୍‍ ଏବଂ ତାଙ୍କ ଟିମ୍‍ ଆଗ୍ରା ଯାଇ ତାଜ୍‍ମହଲ୍‍ ପରିଦର୍ଶନ କରିବେ । ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍‍
ପଟେଲ୍‍ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖେରିଆ ବିମାନ ବନ୍ଦରରେ ପହଞ୍ଚିବା କ୍ଷଣି ଆମେରିକା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ । ସନ୍ଧ୍ୟାରେ
ଆମେରିକା ରାଷ୍ଟ୍ରପତି ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ଏବଂ ମଙ୍ଗଳବାର ହାଇଦ୍ରାବାଦ ହାଉସ୍‍ରେ ଶ୍ରୀ ଟ୍ରମ୍ପ୍‍ ଓ ଶ୍ରୀ ମୋଦିଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ଅନୁଷ୍ଠିତ ହେବ । ମଙ୍ଗଳବାର ସକାଳେ ଶ୍ରୀ ଟ୍ରମ୍ପ୍‍ ଏବଂ ତାଙ୍କର ସହଧର୍ମିଣୀଙ୍କୁ ରାଷ୍ଟ୍ରପତି ଭବନ ସମ୍ମୁଖ ପ୍ରାଙ୍ଗଣରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ସେଠାରୁ ସେମାନେ ରାଜଘାଟ ଯାଇ ମହାତ୍ମାଗାନ୍ଧିଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଏହା ପରେ ପରେ ହାଇଦ୍ରାବାଦ ହାଉସରେ ଶ୍ରୀ ମୋଦି ଓ ଶ୍ରୀ ଟ୍ରମ୍ପ୍‍ଙ୍କ ମଧ୍ୟରେ ଆଲୋଚନା ବୈଠକ ବସିବ ।

ବୈଠକ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆମେରିକା ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଭୋଜିସଭାର ଆୟୋଜନ କରିବେ। ସନ୍ଧ୍ୟାରେ ଶ୍ରୀ ଟ୍ରମ୍ପ୍‍ ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ । ଶ୍ରୀ କୋବିନ୍ଦ ସେଠାରେ ଟ୍ରମ୍ପ୍‍ଙ୍କ ଉଦ୍ଦେଶ୍ୟରେ ଏକ ନୈଶଭୋଜିର ଆୟୋଜନ ମଧ୍ୟ କରିଛନ୍ତି । ଏହାପରେ ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ୍‍ ଆମେରିକା ପ୍ରତ୍ୟାବର୍ତ୍ତନ କରିବେ । ଆଲୋଚନା କାଳରେ ଶ୍ରୀ ଟ୍ରମ୍ପ୍‍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା ଏବଂ ନିରାପତ୍ତା, ସନ୍ତ୍ରାସବାଦର ମୁକାବିଲା, ଶକ୍ତି ନିରାପତ୍ତା ଓ ଭାରତ-ପ୍ରଶାନ୍ତ କ୍ଷେତ୍ରର ପରିସ୍ଥିତି ସମେତ ଅନେକଗୁଡ଼ିଏ ଦ୍ୱିପକ୍ଷୀୟ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀ ଟ୍ରମ୍ପ୍‍ଙ୍କ ସହିତ ଆମେରିକାର ଅର୍ଥମନ୍ତ୍ରୀ ଷ୍ଟିଭେନେ୍‍ ନୁଚିନ୍‍, ବାଣିଜ୍ୟ ମନ୍ତ୍ରୀ ୱିଲ୍‍ବର୍‍ ରୋସ୍‍, ଜାତୀୟ ନିରାପତ୍ତା ପରାମର୍ଶଦାତା ରବର୍ଟ ଓବ୍ରାଏନ୍‍ ତଥା ଶକ୍ତିମନ୍ତ୍ରୀ ଡାନ୍‍ ବ୍ରୋଲିଏଟ୍‍ ଆଦିଙ୍କୁ ନେଇ ଏକ ଉଚ୍ଚ କ୍ଷମତାପନ୍ନ ପ୍ରତିନିଧି ମଣ୍ଡଳୀ ଭାରତ ଆସୁଛନ୍ତି ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories