ନାଗପୁର: ନାଗପୁର ପରିବାର ଅଦାଲତରେ(ଫ୍ୟାମିଲି କୋର୍ଟ) ଏକ ବିରଳ ଘଟଣା ଘଟିଛି । ହ୍ଵାଟ୍ସ୍ଆପ୍ ଭିଡିଓ କଲ୍ ମାଧ୍ୟମରେ ପତି-ପତ୍ନୀଙ୍କ ବିବାହ ବିଚ୍ଛେଦ ହୋଇଛି । ୩୫ ବର୍ଷୀୟ ନାଗପୁର ଖାମଲାରେ ରହୁଥିବା ମହିଳା ଆମେରିକା ମିଚିଗାନ୍ ରେ ଷ୍ଟୁଡେଣ୍ଟ୍ ଭିସାରେ ଅଧ୍ୟୟନ କରୁଛନ୍ତି । ଶିକ୍ଷାନୁଷ୍ଠାନରୁ ଦୀର୍ଘ ଦିନ ଛୁଟି ନମିଳିବା କାରଣରୁ ପତ୍ନୀ ଛାଡପତ୍ରର ଶୁଣାଣି ସମୟରେ ଉପସ୍ଥିତ ରହି ପାରିବେ ନାହିଁ ବୋଲି କୋର୍ଟକୁ ଜଣାଇଥିଲେ ।
ମହିଳା ଜଣଙ୍କ କୋର୍ଟକୁ ଅନୁରୋଧ କରିଥିଲେ ଯେ, ଏହି ମାମଲାର ଶୁଣାଣି ହ୍ଵାଟ୍ସ୍ଆପ୍ ଭିଡିଓ କଲ୍ ମାଧ୍ୟମରେ କରାଯାଉ । ଉଭୟ ପକ୍ଷରୁ ସହମତି ମିଳିବା ପରେ ନାଗପୁର ଫ୍ୟାମିଲି କୋର୍ଟର ଜଜ ସ୍ବାତି ଚୌହାନ ହ୍ଵାଟ୍ସ୍ଆପ୍ ଭିଡିଓ କଲ୍ ମାଧ୍ୟମରେ ଛାଡ଼ପତ୍ର ମଞ୍ଜୁର କରିଥିଲେ । ପତି ନିଜ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କା ଭରଣପୋଷଣ ଦେବା ସର୍ତ୍ତରେ ଏହି ଶୁଣାଣି ହୋଇଛି । ଉଭୟଙ୍କ ଛାଡପତ୍ର ୧୪ ଜାନୁଆରୀରେ ଚୂଡାନ୍ତ ହୋଇଥିଲା। ପତ୍ନୀଙ୍କୁ ହ୍ଵାଟ୍ସ୍ଆପ୍ ଭିଡିଓ କଲ୍ ମାଧ୍ୟରେ ଏହି ଛାଡପତ୍ର ମିଳିଥିଲା।
ସୂଚନାଯୋଗ୍ୟ, ୨୦୧୩ ମସିହା ଅଗଷ୍ଟ ୧୧ରେ ଉଭୟଙ୍କ ପରିବାର ସହମ୍ମତିରେ ବିବାହ ହୋଇଥିଲା। ଆମେରିକା ଭିସାର କାର୍ଯ୍ୟକାଳ ଶେଷ ହେବା ପରେ ପତ୍ନୀ କିଛି ଦିନ ଶାଶୂଘରେ ରହିବାରୁ ଉଭୟଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଥିଲା। ପରେ ସେ ଷ୍ଟୁଡେଣ୍ଟ୍ ଭିସାରେ ମିଚିଗାନ୍ ଯାଇଥିଲେ।



