ନବରଙ୍ଗପୁର: ଯାତାୟତ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ତେବେ ଉମରକୋଟ ବ୍ଲକ ଅନ୍ତର୍ଗତ ଖାଣ୍ଡା ଗ୍ରାମପଞ୍ଚାୟତର କୁମ୍ବିତଡା, ମୁଣ୍ଡିଗଡ଼ା ଚଣାଗୋଦରା ତିନୋଟି ଗାଁକୁ ଯାଇଥିବା ଦେଢ କିଲୋମିଟର ରାସ୍ତାର ଦୂରାବସ୍ଥା ଦେଖିବାକୁ ମିଳିଛି। ଏହି ରାସ୍ତାକୁ ଗତ ଖରା ଦିନ ନିର୍ମାଣ କରାଯାଇଥିବା ବେଳେ କେବଳ ରାସ୍ତା ଉପରେ ରଙ୍ଗମାଟି ପକାଯାଇଛି। ଫଳରେ ବର୍ଷାଦିନରେ ଏବେ ରାସ୍ତା କାଦୁଅ ପଚପଚ ହୋଇ ଆଣ୍ଠୁଏ କାଦୁ ଭରି ଯାଇଛି। ନିମ୍ନମାନର କାମ କରାଯାଇଛି। ପ୍ରାୟ ଦେଢ କିଲୋମିଟର ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି।
ଏବେ ବର୍ଷା କାରଣରୁ ଏହା କାଦୁଅରେ ଭରି ଯିବା ସହିତ ଚିକିଟା ମାଟି କାରଣରୁ ଏହି ରାସ୍ତାଦେଇ ଯାତାୟତ ସମ୍ଭବପର ହେଉନଥିବା ଗ୍ରାମବାସୀ କହିଛନ୍ତି। ବିଶେଷ କରି ସ୍କୁଲପିଲା, ରୋଗୀ ଓ ବାର୍ଦ୍ଧକ୍ୟ ଲୋକମାନେ ଯାତାୟତରେ ବହୁ କଷ୍ଟ ଭୋଗୁଛନ୍ତି। ଏହି ରାସ୍ତାଦେଇ ସାଇକେଲ, ବାଇକ ଅଟୋ ଓ ଚାରିଚକିଆ ଗାଡି ଯାଇ ପାରୁନି। ଏପରିକି ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁନଥିବାରୁ ଫଳରେ ଗର୍ଭବତୀ ମହିଳାମାନେ ଡାକ୍ତରଖାନା ଯିବାକୁ ମଧ୍ୟ ସକ୍ଷମ ହୋଇ ପାରୁନାହାନ୍ତି। ଅନ୍ୟ ପକ୍ଷରେ ସରପଞ୍ଚ ରମେଶ ଚନ୍ଦ୍ରଭତରା ଏହି କାମ ଠିକାଦାର ଦ୍ୱାରା ନିମ୍ନମାନର କରାଯାଇଥିବା ସ୍ୱୀକାର କରିଛନ୍ତି। ତେବେ ବିଡିଓଙ୍କର ସହିତ ଆଲୋଚନା କରି ପଦକ୍ଷେପ ନିଆଯାଇ ରାସ୍ତା ଯାତାୟତ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।



