ନବରଙ୍ଗପୁରରେ ସ୍ୱାୟତ ଶାସନ ଦିବସ
ସହରର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ
ନବରଙ୍ଗପୁର: ଆଜି ନବରଙ୍ଗପୁର ପୌର ସଂସ୍ଥା ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୌରପାଳିକା ଅଫିସରେ ପୂର୍ବାହ୍ନ ୯ଟାରେ ପୌର ଅଧ୍ୟକ୍ଷ କୁନୁ ନାୟକ ପତାକା ଉତ୍ତୋଳନ କରିଥିଲେ । ପରେ ପରିଷଦ ଓ କର୍ମଚାରୀଙ୍କ ମଧ୍ୟରେ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମହିଳା ପରିଷଦ ଓ ମହିଳା ପୌର କର୍ମଚାରୀ ମଧ୍ୟରେ ମ୍ୟୁଜିକାଲ ଚୌକି, ଲେମ୍ବୁ ଚାମଚ ଓ ଦୌଡିଟଣା ପ୍ରତିଯୋଗିତା ହୋଇଥିଲା । ସନ୍ଧ୍ୟାରେ ଶାସ୍ତ୍ରୀ ଭବନରେ ସଭା କାର୍ଯ୍ୟ ଓ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭାରେ ପୌର ଅଧ୍ୟକ୍ଷ କୁନୁ ନାୟକ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ନିଜ ଆୟତ୍ତରେ ରଖିବା ହେଉଛି ସ୍ୱାୟତ ଶାସନ ।
ଏହି ଦିବସର ଆଭିମୁଖ୍ୟକୁ ନେଇ ଆମେ ପ୍ରତିବର୍ଷ ପାଳନ କରି ଆସୁଛୁ । ପ୍ରତି ସ୍ଥାନରେ ଉନ୍ନତ ମାନର ସେବା ଓ ସୁସ୍ଥ ପରିବେଶ ରକ୍ଷା କରିବାକୁ ପଡିବ । ଏଥିପାଇଁ ପରିମଳ ଉପରେ ଗୁରୁତ୍ୱ ଦେବା ସହ ନାଳ ଗୁଡିକ ସଫା ହେବ । ସହରର ପ୍ରତ୍ୟେକଙ୍କ ଦାୟିତ୍ୱ ରହିଛି ସହରକୁ କିଭଳି ସରସ ସୁନ୍ଦର, ସବୁଜିମା ପରିବେଶ ରଖିବା । ମକ୍ତା ଯୋଜନାରେ ମହିଳା ଏସ ଏଚ ଜି ମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟର ସମ୍ପାଦନ କରାଯାଉଛି । ବର୍ଜ୍ୟବସ୍ତୁରୁ ଖତ ପ୍ରସ୍ତୁତ କରି ମହିଳା ମାନେ ରୋଜଗାରକ୍ଷମ ହୋଇ ପାରିଛନ୍ତି । ନବରଙ୍ଗପୁର ସହର ସୁନ୍ଦର ଓ ସୁସ୍ଥ ହେଉ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲାପାଳ ଡଃ କମଳଲୋଚନ ମିଶ୍ର ଯୋଗ ଦେଇ ଲୋକଙ୍କ ପାଇଁ ଯେତେବେଳେ ମୌଳିକ ଆବଶ୍ୟକ ପଡ଼ିଲା ସେତେବେଳେ ସ୍ୱାୟତ ଶାସନ ଓ ପୌର ସଂସ୍ଥା ଗଠନ କରାଗଲା । ଯେତେବେଳେ ଗୋଟିଏ ସଂସ୍ଥାକୁ ଶାସନ କରିବାକୁ ଦେଇଛନ୍ତି । ସେତେବେଳେ ସହଯୋଗ କରିବାକୁ ପଡିବ ।
କାଉନସିଲକୁ ନେଇ ଶାସନ କରିବାକୁ ଦେଇଛନ୍ତି । ସେଥି ପାଇଁ କାଉନସିଲକୁ ଧରି ସମସ୍ୟାର ସମାଧାନ କରିବା ଆବଶ୍ୟକ । ନବରଙ୍ଗପୁର ଏକ ସଂସ୍କୃତି ସମ୍ପନ୍ନ ସହର । ଜିଲାର ବିକାଶ ପାଇଁ ‘ଭିଜନ’ କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ପ୍ରସ୍ଥାବ ଆସିଛି । ଜିଲା ପ୍ରଶାସନ ପକ୍ଷରୁ ଯାହା ସହଯୋଗ ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି କହିଥିଲେ । ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ ସ୍ୱାୟତ ଶାସନ ହେଉଛି ଲୋକଙ୍କ ଶାସନ ଲୋକଙ୍କ ହାତରେ ଟେକିଦେବା ହେଉଛି ଏହି ଦିବସର ଉଦ୍ଦେଶ୍ୟ । ସହର ପରିମଳ ମୁକ୍ତ ହେବ । ସହର ସ୍ୱଚ୍ଛ ରହିବ ସେନେଇ କାର୍ଯ୍ୟ କରିବାକୁ ପଡିବ । କାଉନସିଲର ଓ କର୍ମକର୍ତ୍ତା ମଧ୍ୟରେ ସମନ୍ୱୟ ରହି ବିକାଶ କରିବାକୁ ପଡିବ ବୋଲି କହିଥିଲେ । ଅତିରିକ୍ତ ଜିଲାପାଳ ଭାସ୍କର ରଇତ ପରିମଳ ପରିଚ୍ଛନ୍ନତା ରଖିବା ପାଇଁ ନିଜ ନିଜ ୱାର୍ଡରେ ବ୍ୟବସ୍ଥା କରାଯାଉ । ସହର ମଧ୍ୟରେ ବୁଲା ଗାଈଗୋରୁ ସମସ୍ୟା ରହୁଛି । ପ୍ରତି ମାସରେ ଯେଉଁ ସଫେଇ କର୍ମଚାରୀ ଉତ୍ତମ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସମ୍ମାନୀତ କରିବାକୁ ପ୍ରସ୍ଥାବ ଦେଇଥିଲେ ।
ପୌର ଅଧ୍ୟକ୍ଷ କୁନୁ ନାୟକ କହିଥିଲେ ଯେ, ସମସ୍ତଙ୍କ ସହଯୋଗରେ ସହରର ବିକାଶ ହେବ । ଶାସ୍ତ୍ରୀ ଭବନ ଭାଙ୍ଗି ଅଡିଟୋରିୟମ କରାଯିବ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଅଧ୍ୟାପିକା ସଂଯୁକ୍ତା ପଣ୍ଡା ଯୋଗ ଦେଇ ଇଂରେଜ ମାନେ କଳିକତା ଓ ମାଡ୍ରାସକୁ ସ୍ୱାୟତ ଶାସନ ବ୍ୟବସ୍ଥା ପ୍ରଥମେ କରିଥିଲେ । ଗ୍ରାମୀଣ ବିକାଶ ପରେ ସହର ବିକାଶ ଉପରେ ଗୁରୁତ୍ୱ ଦିଆଗଲା । ନିଜ ପାଖରେ ଶାସନ ବ୍ୟବସ୍ଥା ନରଖି ଭାଗ ଭାଗ କରାଗଲା । ପୌର ସଂସ୍ଥା ଗୁଡିକ ଏବେ ସ୍ୱାୟତ ଶାସନ ବ୍ୟବସ୍ଥାରେ ରହିଲା । ସ୍ୱାୟତ ଶାସନ ଗଠନ, କାର୍ଯ୍ୟକାରିତା ଓ ଏହାର ପରିଚାଳନା ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ପୌର ଉପାଧ୍ୟକ୍ଷା ସୌମ୍ୟା ମହାପାତ୍ର ସଫେଇ କର୍ମଚାରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ଖରା ବର୍ଷା ଓ ଶୀତକୁ ଖାତିରି ନକରି ସେବା କରୁଛନ୍ତି । ନିଜର କର୍ତ୍ତବ୍ୟକୁ ସମସ୍ତେ ପାଳନ କଲେ ସହର ସୁନ୍ଦର ହୋଇ ଗଢି ଉଠିବ ବୋଲି କହିଥିଲେ । ପୌର ସଂସ୍ଥା ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ଧନ୍ୟବାଦ ଅର୍ପଣ କରିଥିଲେ । ଜ୍ୟୋତି ପରିଚ୍ଛା ମଞ୍ଚ ସଂଚାଳନ କରିଥିଲେ । ଏହି ଅବସର ବିଭିନ୍ନ ପ୍ରତିଯୋଗିତାରେ କୃତି ପତିଯୋଗୀ ଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା
Comments are closed.