ନବରଙ୍ଗପୁର: ନବରଙ୍ଗପୁର ଜିଲା ସହିତ ପଡୋଶୀ କଳାହାଣ୍ଡିି ଜିଲାକୁ ସଂଯୋଗ କରୁଥିବା ଅନ୍ୟଏକ ଢୁଲୁ ଘାଟି ରାସ୍ତାର ଅବସ୍ଥା ଦୟନୀୟ ହୋଇଥିବା ବେଳେ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପାତ୍ରପୁଟ ଠାରୁ ଭିତର ମେଙ୍ଗ୍ରା ଦେଇ କଳାହାଣ୍ଡି ଜିଲାର ଜୟପାଟଣା ବ୍ଲକର ଭାଲୁଜୋର୍ ନିକଟରେ ସଂଯୋଗ କରିବା ପାଇଁ ଘାଟି ରାସ୍ତା ନିର୍ମାଣ କରାଯାଇଛି। ଏହା ପ୍ରାୟ ୨୦ କିଲୋମିଟର ମଧ୍ୟରେ ହୋଇଥିବା ବେଳେ ଏହା ଉଭୟ ଜିଲାବାସୀଙ୍କର ଯାତାୟତ ପାଇଁ କମ ଦୂରତା ହୋଉଛି।
ବିଶେଷ କରି ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି ବ୍ଳକ ଓ ନନ୍ଦାହାଣ୍ଡି ବ୍ଲକ ସହିତ କଳାହାଣ୍ଡି ଜିଲାର ଜୟପାଟଣା ଓ କଲମପୁର ବ୍ଲକବାସୀଙ୍କ ପାଇଁ ଏହି ରାସ୍ତା ଅତିନିକଟ ହେଉଛି। ଫଳରେ ଦୈନିକ ଶତାଧିକ ଯାନବାହାନ ଏହି ରାସ୍ତା ଦେଇ ଯାତାୟତ ହେଉଛି। ତେବେ ଏହି ରାସ୍ତାନର୍ମାଣ ଓ ପାହାଡ ଘାଟିଖୋଳି ରାସ୍ତା ନିର୍ମାଣ କରିବାକୁ ବହୁବର୍ଷ ଲାଗିଥିବା ବେଳେ ଏବେ ରାସ୍ତାର ମଝିିଅଂଶ ସଂପୂର୍ଣ୍ଣ ହୋଇପାରିନାହିଁ। ଫଳରେ ଏହି ରାସ୍ତା ଦେଇ ଯାନବାହନରେ ଦୈନିକ ଯାତାୟତ କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏହି ଘାଟିରେ ୪ଟି ବଡବଡ ବୁଲାଣି ରହିଛି। ତେବେ ନବରଙ୍ଗପୁର ଆଡୁ ଯାଉଥିବା ଘାଟି ରାସ୍ତାର ପ୍ରଥମ ବୁଲାଣିରେ କେବଳ ମେଟେଲ ରାସ୍ତା କରାଯାଇଥିବା ବେଳେ ଗତ ବର୍ଷା ମାସରୁ ସବୁ ମେଟାଲ ବାହାରି ଯାଇ ବିପଦସଂକୁଳ ହୋଇଛି। ଏହି ରାସ୍ତାରୁ ଘାଟି ତଳକୁ ପ୍ରାୟ ୨୦ ଫୁଟ ତଳକୁ ଖସୁଥିବା ବେଳେ ବହୁତ ଗଡାଣିଆ ରହିଛି। ତେବେ ମେଟାଲ ବାହରୁଥିବାରୁ ବାଇକ୍ ଚାଳକମାନେ ବହୁ କଷ୍ଟରେ ତଳକୁ ଓହ୍ଲାଉ ଥିବା ଦେଖିବାକୁ ମିଳିଛି।
ରାସ୍ତାରେ ବଡବଡ ମେଟାଲ ବାହାରି ପଡିଥିବାରୁ ଦ୍ରୁତଗତିରେ ଥିବା ବାଇକ ଖସଡାରେ ଭାରସାମ୍ୟ ହରାଇ ଖସି ପଡୁଥିବାରୁ ଲୋକମାନେ ଖଣ୍ଡିଆ ଖାବରା ହେଉଥିବା ଅଭିଯୋଗ ହୋଇଛି। ଏହା ଛଡା ଭିତର ମେଙ୍ଗ୍ରାରୁ ପ୍ରାୟ ୩କିଲୋମିଟର ରାସ୍ତା ମେଟାଲ ହୋଇଥିବା ବେଳେ ଏଠାରେ ମଧ୍ୟ ମେଟାଲ ବାହାରିଥିବାରୁ ବାଇକ ଚାଳକମାନେ ବହୁ ହଇରାଣ ହେଉଛନ୍ତି। ଏହା ବ୍ୟତୀତ ଘାଟି ରାସ୍ତା ଅଣ ଓସାରିଆ କାରଣରୁ ଏହା ବିପଦ ସଙ୍କୁଳ ହୋଇଛି। କିଛି ଦିନ ତଳେ ଘାଟିର ମଝି ବୁଲାଣିରେ ଏକ ଟ୍ରାକ୍ଟର ଓଲଟି ପଡି ଦୁଇଜଣଙ୍କର ପ୍ରାଣହାନୀ ହୋଇଥିବା ଜଣାଯାଇଛି। ଘାଟି ତଳର ଅଂଶ ଭାଲୁଜୋର ନିକଟ ନାଳରେ ସେତୁ ନିର୍ମାଣ ହୋଇନଥିବାରୁ ଯାତ୍ରୀମାନେ ଏଠାରେ ମଧ୍ୟ ହଇରାଣ ହେଉଛନ୍ତି। ଏଠାରେ ବର୍ଷାଦିନ ଅଧିକ ପାଣି ରହୁଥିବାରୁ ଏହି ରାସ୍ତା ଯାତାୟତରେ ବାଧାପ୍ରାପ୍ତ ହେଉଛି। ଏହି ରାସ୍ତାର ପ୍ରାୟ ତିନି କିଲୋମିଟର ରାସ୍ତା ଓ ଘାଟିର ପ୍ରଥମ ବୁଲାଣି ରାସ୍ତା ପିଚୁ କରାଯିବା ସହିତ ଅନ୍ୟବୁଲାଣି ରାସ୍ତାର ମରାମତି କରିବା ସହିତ ଭାଲୁଜୋର ସେତୁ ନିର୍ମାଣ କରାଗଲେ ଏହି ଦୁଇଟି ଜିଲାବାସୀ ବିଶେଷ ଭାବେ ଗମନାଗମନରେ ଉପକୃତ ହୋଇପାରିବେ। ପାତ୍ରପୁଟ ନବଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କର ନିଜଗ୍ରାମ ହୋଇଥିବା ବେଳେ ସେ ଏଥିପ୍ରତି ଦୃଷ୍ଟି ଦେଇ ନବରଙ୍ଗପୁୁର ଜିଲା ଭାଗରେ ଥିବା ମେଟାଲ ରାସ୍ତା ଓ ଘାଟି ରାସ୍ତାର ପିଚୁ କରିବାକୁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏହି ରାସ୍ତାର ଜରୁରୀ ଆବଶ୍ୟକତା ଥିବାରୁ ଏହି ରାସ୍ତାକୁ ନବରଙ୍ଗପୁର ଦଶହରାପଦାଠାରୁ ଠାରୁ କଳାହାଣ୍ଡି ଜିଲାର ଜୟପାଟଣା ପର୍ଯ୍ୟନ୍ତ ଦୁଇଥାକିଆ କରାଯାଇ ଉନ୍ନତମାନର ରାସ୍ତା ନିର୍ମାଣ କରାଗଲେ ଦୁଇ ପଡୋଶୀ ଜିଲା ମଧ୍ୟରେ ସମାଜିକ ଓ ବ୍ୟବସାୟୀକ ସଂପର୍କ ଅଧିକ ସୁଦୃଢ ହୋଇ ପାରିବ ଏବଂ ଲୋକଙ୍କର ଆର୍ଥିକ ବିକାଶରେ ସହାୟକ ହୋଇପାରିବ।



