ଉପସ୍ଥାପିତ ହେଲା ୧୨ ହଜାର ୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟ: ଶିକ୍ଷା, ସ୍ବାସ୍ଥ୍ୟ, ଗ୍ରାମ ବିକାଶକୁ ଗୁରୁତ୍ବ

0

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବୁଧବାର ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୨, ୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ବାର୍ଷିକ ବଜେଟରେ ୧,୨୦,୦୨୮ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଅତିରିକ୍ତ ବଜେଟର ବ୍ୟୟବରାଦ ଅର୍ଥକୁ ମିଶାଇ ଚଳିତ ଆର୍ଥିକବର୍ଷ ପାଇଁ ବ୍ୟୟବରାଦ ପରିମାଣ ୧,୩୨,୮୧୮କୋଟି ଟଙ୍କାରେ ପହଞ୍ଚିଛି। ଅତିରିକ୍ତ ବଜେଟରେ ପ୍ରଶାସନିକ ବ୍ୟୟ ପାଇଁ ୧,୮୦୦ କୋଟି, କାର୍ୟ୍ୟକ୍ରମ ବ୍ୟୟ ପାଇଁ ୯,୬୧୧କୋଟି, ବିପର୍ୟ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧.୩୬୪କୋଟି, ରାଜ୍ୟ ବଜେଟରୁ ସ୍ଥାନାନ୍ତରିତ ୧୫ କୋଟି ବ୍ୟୟବରାଦ କରାଯାଇଛି।
ରାଜସ୍ବ ଆଦାୟ ସଠିକ ସ୍ତରରେ ରହିଛି ଏବଂ ବକେୟା ରାଜସ୍ବ ଆଦାୟ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବା ସହ ଏବାବଦରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଉଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଜୁଲାଇ ୨୦୧୮ ପର୍ୟ୍ୟନ୍ତ କାର୍ୟ୍ୟକ୍ରମ ବ୍ୟୟ ଗତବର୍ଷ ତୁଳନାରେ ୧୦% ବୃଦ୍ଧିପାଇଛି। ଏହା ବଜେଟର ୨୯% ଅଟେ।
ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ କହିଛନ୍ତି, ଏବେ ରାଜ୍ୟର ଋଣ ଭାର ୭୬ହଜାର ୪୨୮ କୋଟି ଟଙ୍କାରେ ପହଞ୍ଚିଛି। ଖୋଲା ବଜାରରୁ ଚଳିତ ଆର୍ଥିକ ବର୍ଷରେ ୪ହଜାର କୋଟି ଟଙ୍କା ଋଣ ଉଠାଯାଇଛି। ଋଣହାର ମୋଟ ଘରୋଇ ଉତ୍ପାଦର ୧୭.୨% ରହିଛି। ବିତ୍ତୀୟ ପରିଚାଳନା ଆଇନ ଅନୁସାରେ ମୋଟ ଘରୋଇ ଉତ୍ପାଦର ୨୫% ପର୍ୟ୍ୟନ୍ତ ଋଣ ଆହରଣ ବ୍ୟବସ୍ଥା ରହିଥିବାରୁ ରାଜ୍ୟର ଋଣ ଭାର ପୋଷଣୀୟସ୍ତରରେ ରହିଛି। ରାଜସ୍ବ ଏବଂ ଅଣ ରାଜସ୍ବ ବାବଦକୁ ୧୦୦୦ କୋଟି ଟଙ୍କା ଆସିବ। ଗତ ଜୁଲାଇ ମାସ ସୁଦ୍ଧା ରାଜସ୍ବ ସଂଗ୍ରହ ଅଭିବୃଦ୍ଧି ୩୩% ଥିବା ବେଳେ ଅଣ ରାଜସ୍ବ ସଂଗ୍ରହ ଅଭିବୃଦ୍ଧି ୩୪% ରହିଛି। ରାଜ୍ୟର ନିଜସ୍ବ ରାଜସ୍ବ ସଂଗ୍ରହ ପରିମାଣ ୧୩,୦୪୮ କୋଟି ଟଙ୍କା ଥିବା ସେ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ୨୦୧୭-୧୮ରେ ଜିଏସଟି କ୍ଷତିପୂରଣ ବାବଦରେ ୨୨୬୪କୋଟି ଟଙ୍କା ପାଇଛନ୍ତି। ଚଳିତବର୍ଷ ଜୁଲାଇ ମାସ ମଧ୍ୟରେ ୯୬୮କୋଟି ଟଙ୍କା ମିଳିଛି। ପେଟ୍ରୋଲ ଓ ଡିଜେଲ ଉପରୁ ଏବର୍ଷ ୫୬୦୦ କୋଟି ଟଙ୍କା ଟିକସ ମିଳିବ ବୋଲି ସେ ସୂଚନା ଦେଇଛନ୍ତି। ଭାଟ ସଂଗ୍ରହ କ୍ଷେତ୍ରରେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଭାଟ ହାର ଯଥେଷ୍ଟ କମ ରହିଛି।
ଆଜି ଥିଲା ମୌସୁମୀ ଅଧିବେଶନର ଦ୍ବିତୀୟ ଦିବସ। ଆରମ୍ଭରୁ ବିରୋଧୀ କଂଗ୍ରେସ ତେଲଦର ବୃଦ୍ଧିର ପ୍ରତିବାଦ କରିଥିବା ବେଳେ ବିଜେପି ସଦସ୍ୟମାନେ ଆନ୍ଦୋଳନରତ ଶିକ୍ଷକଙ୍କ ସମସ୍ୟାର ସମାଧାନ ଦାବି କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ୟ୍ୟ ବାଧାପ୍ରାପ୍ତ ହୋଇଥିଲା। ବାଚସ୍ପତି ଗୃହକୁ ଦୁଇଟି ପର୍ୟ୍ୟାୟରେ ୧୨.୩୦ ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଗୃହ କାର୍ୟ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ଦାବି ଦୋହରାଇଥିଲେ। ପାଟିତୁଣ୍ଡ, ହୋହଲ୍ଲା ଭିତରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ। ବଜେଟ ଉପସ୍ଥାପନ ପରେ ବାଚସ୍ପତି ଗୃହକୁ ଗୁରୁବାର ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଅତିରିକ୍ତ ବଜେଟ ଉପସ୍ଥାପନ ପରେ ବିଧାନସଭା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ
ଅର୍ଥମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି, ବାର୍ଷିକ ବଜେଟ ଉପସ୍ଥାପନର ପରବର୍ତ୍ତୀ ସମୟରେ ରାଜ୍ୟ ସରକାର କେତେକ ନୂତନ ଯୋଜନା ଓ କାର୍ୟ୍ୟକ୍ରମ ଘୋଷଣା କରିଛନ୍ତି। ସେ ବାବଦରେ ଅତିରିକ୍ତ ବଜେଟରେ ବ୍ୟବସ୍ଥା କରାଯାଇଛି। ସେହିପରି ପ୍ରଚଳିତ କେନ୍ଦ୍ରୀୟ ଯୋଜନା, କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଏବଂ ନୂତନ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ପାଇଁ ରାଜ୍ୟ ଅଂଶ ବାବଦ ଅର୍ଥର ବ୍ୟବସ୍ଥା ରହିଛି। ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଅର୍ଥ ଭରଣା, ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିସନ ସୁପାରିସ କ୍ରମେ ବେତନ ଏବଂ ବକେୟା ୪୦% ଅର୍ଥ ପ୍ରଦାନ କରାଯିବ। ନ୍ୟାୟିକ ଅଧିକାରୀଙ୍କ ପାଇଁ ୧୦୧୬ ଜାନୁଆରୀରୁ ବେତନର ୩୦% ମଧ୍ୟବର୍ତ୍ତିକାଳୀନ ରାଶି ପ୍ରଦାନ ନେଇ ବ୍ୟୟ ବରାଦରେ ବ୍ୟବସ୍ଥା କରାଯାଇଛି।
ଅତିରିକ୍ତ ବଜେଟରେ ବ୍ୟୟ ବରାଦ ହୋଇଥିବା ଅର୍ଥ ମଧ୍ୟରୁ ସହବନ୍ଧିତ ସମ୍ବଳ ସୂତ୍ରରୁ ୫୧୬୬ କୋଟି ଟଙ୍କା, ଅଣବନ୍ଧିତ ସମ୍ବଳରୁ ୧୦୦୦ କୋଟି, ବିଭିନ୍ନ ବିଭାଗ ସମର୍ପିତ କରିଥିବା ୧୦୮୨ କୋଟି ଏବଂ ବର୍ଷ ଶେଷକୁ ସଞ୍ଚୟ ଓ ସମର୍ପଣ ଜରିଆରେ ୫୫୪୨ କୋଟି ଟଙ୍କା ଭରଣା କରାଯିବାକୁ ଆକଳନ କରାଯାଇଛି।
ବ୍ୟୟବରାଦ ଭିତରେ ଶିକ୍ଷା ସହାୟକଙ୍କୁ ନିୟମିତ ଦରମା ପ୍ରଦାନ ପାଇଁ ୭୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସେହିପରି ସୁଧ ରାଶି ପୈଠ ପାଇଁ ୩୫୦ କୋଟି, ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ନିମନ୍ତେ ଏକକ ନିର୍ବାଚନ ପରିଚାଳନା ପାଇଁ ୪୧ କୋଟି, ସଡ଼କ ରକ୍ଷଣା ବେକ୍ଷଣ ପାଇଁ ୧୦୦ କୋଟି, ଓଡ଼ିଶା ଉଠା ଜଳସେଚନ ନିଗମ ପାଇଁ ୩୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
କାର୍ୟ୍ୟକ୍ରମ ବ୍ୟୟ କ୍ଷେତ୍ରରେ ମୋଟ ବ୍ୟୟବରାଦ ୯୬୧୧ କୋଟି ଟଙ୍କାରୁ ଭିତ୍ତିଭୂମି ଓ ଗ୍ରାମ୍ୟ ଉନ୍ନୟନ ପାଇଁ ୬୦୯୭ କୋଟି ଟଙ୍କା ବ୍ୟୟ କରାଯିବ। ବସୁଧା ଯୋଜନାରେ ପାନୀୟଜଳ ଯୋଗାଣ ପାଇଁ ୪୦୦ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ପାଇଁ ୧୫୦୦ କୋଟି, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପାଇଁ ୨୦୬୫ କୋଟି, ସ୍ବଚ୍ଛ ଭାରତ ମିଶନ ପାଇଁ ୧୦୦୦ କୋଟି ଓ ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ ୨୧୧ କୋଟି ଟଙ୍କା ବରାଦ କରାଯାଇଛି। ଏହାବ୍ୟତୀତ କେନାଲ ବନ୍ଧ ରାସ୍ତାର ନବୀକରଣ ପାଇଁ ୨୦୦ କୋଟି ବ୍ୟବସ୍ଥା ହୋଇଛି। ସହରାଞ୍ଚଳ ଉନ୍ନୟନ ପାଇଁ ୫୮୯ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ସାମାଜିକ କ୍ଷେତ୍ର ପାଇଁ ୧୩୫୦ କୋଟି ଟଙ୍କାର ବ୍ୟୟ ବରାଦ ମଧ୍ୟରୁ ସର୍ବଶିକ୍ଷା ଅଭିଯାନ ପାଇଁ ରାଜ୍ୟ ସହାୟତା ବାବଦକୁ ୨୪୨ କୋଟି ଟଙ୍କା, ମଧ୍ୟାହ୍ନ ଭୋଜନ ପାଇଁ ୨୩ କୋଟି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ କୋଟି ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ ନିମନ୍ତେ ୨୬୩ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୬୨ କୋଟି, ସ୍ବାସ୍ଥ୍ୟ ସହାୟ ପାଇଁ ୮୨ କୋଟି, ସମ୍ପୂର୍ଣ୍ଣା ପାଇଁ ୨୫ କୋଟି, ନିଦାନ ପାଇଁ ୧୨ କୋଟି, ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତୀକରଣ ଯୋଜନା ପାଇଁ ୫୦ କୋଟି ସମନ୍ବିତ ଶିଶୁ କଲ୍ୟାଣ ଯୋଜନା ପାଇଁ ରାଜ୍ୟ ସହାୟତା ବାବଦକୁ ୮୦ କୋଟି ଏବଂ ମଧୁବାବୁ ପେନସନ ଯୋଜନା ବାବଦକୁ ୨୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରିମିୟମ ବାବଦକୁ ୨୦୦ କୋଟି, ବରଗଡ଼ ଚିନିକଳର ପୁନରୁଦ୍ଧାର ପାଇଁ ୬କୋଟି, ବେସରକାରୀ ମହାବିଦ୍ୟାଳୟକୁ ଅନୁଦାନ ବାବଦରେ ୨୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ଏହି ଅବସରରେ ଶ୍ରୀ ପାଣ୍ଡେ କହିଛନ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସମନ୍ବିତ ଭାବେ ସମସ୍ତ ସ୍ବାସ୍ଥ୍ୟ ଯୋଜନା ପାଇଁ ୨୦୭୫କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ସେଥିରୁ କେନ୍ଦ୍ର ସରକାର ୭୦୦ କୋଟି ଟଙ୍କା ଦେବେ। କେତେକ ଯୋଜନାରେ କେନ୍ଦ୍ର ଅର୍ଥ ଦେଉନଥିବାରୁ ସମସ୍ତ ଅର୍ଥ ରାଜ୍ୟକୁ ଭରଣା କରିବାକୁ ପଡୁଛି। କେନ୍ଦ୍ର ଅର୍ଥ ନଦେବାରୁ ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀଙ୍କ ବୃତ୍ତି ବାବଦରେ ରାଜ୍ୟ ସରକାର ଗତ ୫ବର୍ଷର ୨୬୩ କୋଟି ଟଙ୍କା ଦେବେ ବୋଲି ସେ କହିଛନ୍ତି।

Leave A Reply