ଇନ୍ଦୋର: ମଧ୍ୟପ୍ରଦେଶ ସରକାର ପ୍ରତିଶ୍ରୁତି ପାଳନ ନ କରିବାରୁ ଜଣେ ମହିଳା ଶିକ୍ଷକ ଅଭିନବ ପ୍ରତିବାଦ ଜଣାଇଛନ୍ତି। ଦାବି ପୂରଣ ପାଇଁ ଶିକ୍ଷକମାନେ ବିଗତ ୭୨ ଦିନ ଧରି ଆନ୍ଦୋଳନ କରିବା ସହିତ ଧାରଣା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ମହିଳା ଶିକ୍ଷକ ନିଜର ମୁଣ୍ଡନ କରାଇଛନ୍ତି। ସର୍ବସମ୍ମୁଖରେ ଧାରଣା ସ୍ଥଳରେ ମହିଳା ଜଣକ ମୁଣ୍ଡନ ହେବା ସମସ୍ତଙ୍କୁ ଭାବୁକ କରିଦେଇଥିଲେ ହେଁ ସରକାରଙ୍କ ନିଦ ଭାଙ୍ଗି ନାହିଁ।
ଏହି ଅତିଥି ମହିଳା ଶିକ୍ଷକଙ୍କ ନାମ ହେଉଛି ଡା. ଶାହୀନ ଖାନ। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଅତିଥି ଶିକ୍ଷକମାନଙ୍କୁ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା ଯେ, ଦଳ ସରକାର ଗଢ଼ିବା ପରେ ସେମାନଙ୍କ ଦାବି ପୂରଣ କରିବ। ଆମେ ମାନେ ଗୋଟିଏ ବର୍ଷ ଅପେକ୍ଷା କରିବା ପରେ ବି ସରକାର ତାଙ୍କ ପ୍ରତିଶ୍ରୁତି ପାଳନ କଲେ ନାହିଁ। ତେଣୁ ଆମେ ଆନ୍ଦୋଳନ କରୁଛୁ। କିନ୍ତୁ ସରକାର ଆମ କଥା ଶୁଣୁ ନାହାନ୍ତି। ଆମେମାନେ ପିଲାଙ୍କୁ ପଢ଼ାଇ ସେମାନଙ୍କ ଭବିଷ୍ୟତ ଗଢ଼ୁଛୁ, କିନ୍ତୁ ଆଜି ଆମମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯାଇଛି। ତେଣୁ ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏ ଆମେ ଆନ୍ଦୋଳନରୁ ହଟିବୁ ନାହିଁ।
ଅତିଥି ଶିକ୍ଷକ ନିୟମିତକରଣ ସଂଘର୍ଷ ମୋର୍ଚ୍ଚା ଅଧ୍ୟକ୍ଷ ଦେବରାଜ ସିଂହ କହିଛନ୍ତି ଯେ, ଜଣେ ମହିଳା ଶିକ୍ଷକ ମୁଣ୍ଡନ ହେବା ଘଟଣାଠାରୁ ଅଧିକ ଦୁଃଖଦ ଘଟଣା ଆଉ କ’ଣ ହୋଇପାରେ। ଡା. ଶାହୀନ ଯେଉଁ ମୁଣ୍ଡନ କରିଛନ୍ତି ସେହି କେଶକୁ ଆମେ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇବୁ। ଫଳରେ ସେ ଜାଣିବେ ଯେ ତାଙ୍କ ପ୍ରତିଶ୍ରୁତି ଏଠାରେ ପାଳନ ହେଉନାହିଁ।
ଅନ୍ୟପଟେ ଏହି ଘଟଣା ପରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଟ୍ବିଟ୍ କରି କଡ଼ା ସମାଲୋଚନା କରିଛନ୍ତି। ଶିବରାଜ କମଲନାଥଙ୍କ ୨୦୧୮ର ଏକ ପୁରୁଣା ଟ୍ବିଟ୍କୁ ଶେୟାର କରି ଲେଖିଛନ୍ତି ଯେ, ମହୋଦୟ ମୁଖ୍ୟମନ୍ତ୍ରୀ, ଆଜି ବି କେଶ ନାରୀଙ୍କ ସମ୍ମାନର ପ୍ରତୀକ। ରାଜ୍ୟରେ ଶୋଇପଡ଼ିଥିବା ସରକାରଙ୍କୁ ଉଠାଇବା ଲାଗି ଆଜି ମହିଳା ଶିକ୍ଷକ ନିଜର କେଶ ତ୍ୟାଗ କଲେ। ସେମାନଙ୍କ କଷ୍ଟକୁ ଆପଣ ଅନୁଭବ କରିପାରୁଛନ୍ତି କି ବୋଲି ଶିବରାଜ ପ୍ରଶ୍ନ କରିଛନ୍ତି।



