ନୂଆଦିଲ୍ଲୀ: ଏଣିକି ଟ୍ରାଫିକ ନିୟମ ଭାଙ୍ଗିବା ମହଙ୍ଗା ପଡ଼ିବ। ଉଲ୍ଲଂଘନକାରୀଙ୍କୁ ଦେବାକୁ ପଡ଼ିବ ୧୦ଗୁଣ ଅଧିକ ଜରିମାନା। କେନ୍ଦ୍ର ସରକାର ଏଭଳି ଆଇନ ଆଣିବାକୁ ଯାଉଛନ୍ତି, ଯାହା ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ସାବାଡ଼ କରିବ। କାରଣ ମୋଟର ଯାନ ସଂଶୋଧନ ବିଲ୍ ୨୦୧୯ ଲୋକସଭାରେ ପାରିତ ହେବା ପରେ ବୁଧବାର ରାଜ୍ୟସଭାରେ ଗୃହୀତ ହୋଇଛି। ବିଲ୍ରେ ଟ୍ରାଫିକ ନିୟମଗୁଡ଼ିକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ପ୍ରାବଧାନ ରହିଛି। ସଡ଼କ ଦୁର୍ଘଟଣା ହ୍ରାସ କରିବା ଲାଗି କେନ୍ଦ୍ର ସରକାର ସମସ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରିବ ବୋଲି ଏହି ଅବସରରେ କେନ୍ଦ୍ରୀୟ ସଡ଼କ ଏବଂ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି।
ତଥ୍ୟ ଅନୁସାରେ ଆମ ଦେଶରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ଦେଢ଼ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। ଟ୍ରାଫିକ ନିୟମ ରହିଥିବା ସତ୍ବେ ଅଧିକାଂଶ ଲୋକ ଏହାର ପାଳନ କରୁନାହାନ୍ତି। ଫଳରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଉଛନ୍ତି ଅଥବା ପଙ୍ଗୁ ପାଲଟି ଯାଉଛନ୍ତି। ତେଣୁ ଟ୍ରାଫିକ ନିୟମକୁ ଜୋରଜବରଦସ୍ତି ପାଳନ କରିବା ଲାଗି ମୋଟର ଯାନ ଆଇନ ୧୯୮୮ରେ ସଂଶୋଧନ କରାଯାଇଛି।
ସଂଶୋଧିତ ବିଲ୍ରେ ପ୍ରମୁଖ ବ୍ୟବସ୍ଥା
୧- ବିନା ହେଲମେଟରେ ଗାଡ଼ି ଚାଳନା କଲେ ୧୦୦୦ ଟଙ୍କା ଜରିମାନା, ୩ ମାସ ପାଇଁ ଲାଇସେନ୍ସ ଜବତ
୨- ବିନା ଲାଇସେନ୍ସରେ ଗାଡ଼ି ଚାଳନା କଲେ ୫୦୦୦ ଟଙ୍କା ଜରିମାନା
୩- ଯୋଗ୍ୟତା ନ ଥାଇ ଗାଡ଼ି ଚଳାଇଲେ ୧୦୦୦୦ ଟଙ୍କା ଜରିମାନା
୪- ଗାଡ଼ି ଚାଳନା ସମୟରେ ମୋବାଇଲରେ କଥା ହେଲେ ୫୦୦୦ ଟଙ୍କା ଜରିମାନା
୫- ଦ୍ରୁତ ଗାଡ଼ି ଚାଳନା ପାଇଁ ୧୦୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା
୬- ମଦ୍ୟପାନ କରି ଗାଡ଼ି ଚଳାଇଲେ ୧୦୦୦୦ ଟଙ୍କା ଫାଇନ
୭- ସିଟ୍ ବେଲ୍ଟ ନ ବାନ୍ଧି ଗାଡ଼ି ଚଳାଇଲେ ୧୦୦୦ ଟଙ୍କା ଜରିମାନା
୮- ବିନା ଟିକେଟରେ ବସ୍ରେ ଯାତ୍ରା କଲେ ୫୦୦ ଟଙ୍କା ଫାଇନ
୯- ନାବାଳକ ଗାଡ଼ି ଚଳାଇଲେ ଅଭିଭାବକ ଅଥବା ଗାଡ଼ି ମାଲିକଙ୍କୁ ୨୫୦୦୦ ଟଙ୍କା ଜରିମାନା ସହିତ ୩ବର୍ଷ ଜେଲ ଦଣ୍ଡ
୧୦- ସଡ଼କ ଦୁର୍ଘଟଣାରେ ମୃତକଙ୍କୁ ସହାୟତା ରାଶି ପରିମାଣ ୨ ଲକ୍ଷକୁ ବୃଦ୍ଧି
୧୧- ଯାତ୍ରୀ ପରିବହନରେ ଓଭରଲୋଡିଂ କଲେ ଅତିରିକ୍ତ ଯାତ୍ରୀ ପିଛା ୧୦୦୦ ଟଙ୍କା ଫାଇନ। ମାଲବାହୀ ଗାଡ଼ିରେ ଓଭରଲୋଡିଂ କଲେ ୨୦୦୦୦ ଟଙ୍କା ସହିତ ଟନ ପିଛା ଅତିରିକ୍ତ ୨୦୦୦ ଟଙ୍କା ଜରିମାନା
୧୨- ଆମ୍ବୁଲାନ୍ସ ରାସ୍ତା ରୋକିଲେ ୧୦୦୦୦ ଟଙ୍କା ଫାଇନ
୧୩- ନୂଆ ଆଇନରେ ଧାର୍ଯ୍ୟଠାରୁ କମ୍ ମାନର ଇଞ୍ଜିନ ନିର୍ମାଣ କଲେ ଯାନ ନିର୍ମାଣକାରୀ କମ୍ପାନୀ ଉପରେ ୫୦୦ କୋଯି ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ ହୋଇପାରେ



