ଦେଶ ଛାଡ଼ି ବିଦେଶରେ ରହିବାକୁ ଭାରତୀୟ ଧନୀ ଅଧିକ ଆଗ୍ରହୀ

ନୂଆଦିଲ୍ଲୀ: କରୋନା ଭୂତାଣୁ ମହାମାରୀ ଯୋଗୁ ଦୀର୍ଘଦିନ ଧରି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସେବା ବନ୍ଦ ରହିଥିଲା। ମହାମାରୀ ପାଇଁ ବିଦେଶରେ ରହୁଥିବା ଲୋକ ନିଜ ଦେଶକୁ ଫେରିବାକୁ ବ୍ୟାକୁଳ ହୋଇପଡ଼ିଥିଲେ। କିନ୍ତୁ ଭାରତୀୟମାନଙ୍କ ମଧ୍ୟରେ ଦେଶ ଛାଡ଼ି ବିଦେଶରେ ରହିବା ଇଚ୍ଛା ଅଧିକ। କାରଣ ଅନ୍ୟ ଦେଶରେ ରହିବାର ଆଗ୍ରହକୁ ନେଇ ହୋଇଥିବା ଏକ ସର୍ଭେରେ ଶୀର୍ଷ ସ୍ଥାନରେ ରହିଛନ୍ତି ଭାରତୀୟ। ଗତ ବର୍ଷ ହେନଲୀ ଆଣ୍ଡ ପାର୍ଟନର୍ସ ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ରିପୋର୍ଟ ଅନୁସାରେ, ଏହି ତାଲିକାରେ ଭାରତ ସର୍ବାଗ୍ରେ ରହିଥିବାବେଳେ, ଏହା ପଛକୁ ଆମେରିକା, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଏବଂ ନାଇଜେରିଆ ରହିଛନ୍ତି।

୨୦୨୦ରେ ଭାରତୀୟ ଧନୀମାନଙ୍କ ଦ୍ବାରା ସବୁଠୁ ଅଧିକ ଥର ‘ନିବେଶ ଜରିଆରେ ନିବାସ’ ଏବଂ ‘ନିବେଶ ଜରିଆରେ ନାଗରିକତା’ କାର୍ଯ୍ୟକ୍ରମ ବିଷୟରେ ଯାଞ୍ଚ କରାଯାଇଛି। ଏକ ଯାଞ୍ଚ ଏଜେନ୍ସି କହିଛି ଯେ, ୨୦୧୯ ତୁଳନାରେ ୨୦୨୦ରେ ପ୍ରଶ୍ନ ସଂଖ୍ୟା ଅଧିକ। ବର୍ତ୍ତମାନ ଭାରତରେ ଦ୍ଵେତ ନାଗରିକତାର ଅନୁମତି ନାହିଁ। ଏଥିପାଇଁ ଅନ୍ୟ କୌଣସି ଦେଶର ନାଗରିକତା ପାଇଁ ଭାରତର ନାଗରିକତା ଛାଡ଼ିବାକୁ ପଡ଼ିବ। ଏପରି ଲୋକଙ୍କ ପାଇଁ ‘ନିବେଶ ଜରିଆରେ ନାଗରିକତା’ କାର୍ଯ୍ୟକ୍ରମ ବେଶ୍‌ ଲାଭବାନ ବୋଲି କୁହାଯାଉଛି।

୨୦୧୯ରେ ୭ ହଜାର ଭାରତୀୟ ଧନୀ ଛାଡ଼ିଥିଲେ ଦେଶ

ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ, ଅନ୍ୟ ଦେଶରେ ରହିବାର ଆଗ୍ରହକୁ ନେଇ ୨୦୧୯ ତୁଳନାରେ ଭାରତୀୟମାନଙ୍କ ଦ୍ବାରା କରାଯାଇଥିବା ପ୍ରଶ୍ନରେ ୬୩% ବୃଦ୍ଧି ପାଇଛି। ୨୦୧୯ରେ ୭ ହଜାର ଭାରତୀୟ ଦେଶ ଛାଡ଼ିଥିଲେ ବୋଲି କୁହାଯାଇଛି। ହେନ୍‌ଲୀ ପାର୍ଟନର୍ସର ବିଶ୍ବ ଦକ୍ଷିଣ ଏସିଆ ଟିମ୍‌ ନିର୍ଦେଶକ ନିର୍ଭୟ ହାଣ୍ଡା କହିଛନ୍ତି, ଆମେ ୨୦୧୯ ତୁଳନାରେ ୨୦୨୦ରେ ଭାରତୀୟମାନଙ୍କ ଦ୍ବାରା କରାଯାଇଥିବା ପ୍ରଶ୍ନରେ ୬୨.୫% ବୃଦ୍ଧି ଦେଖିବାକୁ ପାଇଛୁ।

Comments are closed.